Environmental Movement: ପରିବେଶ ଆନ୍ଦୋଳନ: ଲଭ୍ କେନାଲ୍ ପ୍ରତିବାଦ

ପରିବେଶ ହେଉଛି ମାନବ ଜୀବନର ମୂଳ ଆଧାର। ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ଓ ସୁରକ୍ଷିତ ରହେ। ମାତ୍ର ଶିଳ୍ପାୟନର ବର୍ଜ୍ୟ ତଥା ରାସାୟନିକ ବର୍ଜ୍ୟ ଯେତେବେଳେ ପ୍ରକୃତିକୁ ଦୂଷିତ କରେ, ସେତେବେଳେ ମାନବଜୀବନ ଗୁରୁତର ସଙ୍କଟରେ ପଡ଼େ। ଆମେରିକାର ‘ଲଭ୍ କେନାଲ୍‌’ ଆନ୍ଦୋଳନ ଏଭଳି ଏକ ସଙ୍କଟକୁ ନେଇ ଦୃଢ଼ ପ୍ରତିବାଦ ଥିଲା। ଏହି ପ୍ରତିବାଦ କେବଳ ଏକ ସ୍ଥାନୀୟ ଆନ୍ଦୋଳନ ନୁହେଁ ବରଂ ପରିବେଶ ସୁରକ୍ଷା ପାଇଁ ସାଧାରଣ ଲୋକଙ୍କ ଏକତା ଓ ସାହସର ଏକ ଐତିହାସିକ ପ୍ରତୀକ ବୋଲି କୁହାଯାଇପାରେ। ଏହା ସାରା ବିଶ୍ବକୁ ଦେଖାଇ ଦେଇଥିଲା ଯେ ସାଧାରଣ ନାଗରିକ ମଧ୍ୟ ବିପଦ ବିରୋଧରେ ଲଢ଼ି ସମାଜରେ ପରିବର୍ତ୍ତନ ଆଣିପାରନ୍ତି। ୧୯୪୦ ମସିହାରେ ଗଢ଼ିଉଠିଥିବା ‘ହୁକର୍ କେମିକାଲ୍ କମ୍ପାନି’ ନାମକ ଏକ ରାସାୟନିକ ସାମଗ୍ରୀ ଉତ୍ପାଦନକାରୀ ସଂସ୍ଥା ନାଏଗ୍ରା ଜଳପ୍ରପାତ ନିକଟରେ ଥିବା ଏକ ପରିତ୍ୟକ୍ତ କେନାଲ୍‌ରେ ହଜାର ହଜାର ଟନ୍‌ ବିଷାକ୍ତ ରାସାୟନିକ ବର୍ଜ୍ୟ ଛାଡ଼ିଥିଲା। କିଛି ବର୍ଷ ପରେ ସେଠାରେ ଲୋକେ ଘର ଓ ବିଦ୍ୟାଳୟ ନିର୍ମାଣ କରିଥିଲେ। ପ୍ରଥମେ ଲୋକମାନେ ସେଠାରେ ଖୁସିରେ ବସବାସ କରୁଥିଲେ, କିନ୍ତୁ ମାଟି ତଳେ ଲୁଚିଥିବା ବିପଦ ବିଷୟରେ ସେମାନେ ଅଜ୍ଞାତ ଥିଲେ।

୧୯୭୦ ମସିହାରେ ପ୍ରବଳ ବର୍ଷା କାରଣରୁ ବିଷାକ୍ତ ରାସାୟନିକ ପଦ‌ାର୍ଥଗୁଡ଼ିକ ଭୂମି ଉପରକୁ ଆସିବାକୁ ଲାଗିଲା। ଏହାଫଳରେ ସେଠାରେ ରହୁଥିବା ପରିବାରଗୁଡ଼ିକ ଅଜଣା ଚର୍ମରୋଗ, କର୍କଟ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ହେବାକୁ ଲାଗିଲେ। ସେଠାରେ ରହୁଥିବା ଲୋକମାନେ ଭୟଭୀତ ହୋଇପଡ଼ିଲେ। ଏହା ମଧ୍ୟ ସେମାନଙ୍କୁ କ୍ଷୁବ୍ଧ କରିଥିଲା। ଅନେକ ଶିଶୁ ରୋଗାକ୍ରାନ୍ତ ହୋଇ ଜନ୍ମ ନେଉଥିବାରୁ ମାଆମାନେ ନିଜ ସନ୍ତାନଙ୍କ ସୁରକ୍ଷା ପାଇଁ ଚିନ୍ତିତ ହେଉଥିଲେ। ଲୋକମାନେ ସରକାରଙ୍କୁ ଏହାର ଜବାବ୍ ମାଗିଥିଲେ। ଏହି ସମୟରେ ଜନୈକା ସାହସୀ ମହିଳା ଲୁଇସ୍ ଗିବ୍‌ସ ପ୍ରତିବାଦକାରୀଙ୍କ ନେତୃତ୍ୱ ନେଲେ। ସେ ଲୋକମାନଙ୍କୁ ଏକାଠି କରି ପ୍ରତିବାଦ ସଭା ଆୟୋଜନ କରିଥିଲେ ଏବଂ ସରକାରଙ୍କ ନିକଟରେ ସୁରକ୍ଷା ପାଇଁ ଦାବି କରିଥିଲେ। ତାଙ୍କର ଦୃଢ଼ ସଙ୍କଳ୍ପ ସମଗ୍ର ଆମେରିକାର ଲୋକଙ୍କୁ ପ୍ରେରଣା ଦେଇଥିଲା। ନାଗରିକମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରି ସୁରକ୍ଷିତ ଘର ଓ ପରିଷ୍କାର ପରିବେଶ ଦାବି କରିଥିଲେ।
ଶେଷରେ, ୧୯୭୮ ମସିହାରେ ରାଷ୍ଟ୍ରପତି ଜିମି କାର୍ଟର ଜରୁରୀ ସ୍ଥିତି ଘୋଷଣା କରି ଅନେକ ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଇଥିଲେ। ଏହି ଦୁର୍ଘଟଣା ପରେ ପରିବେଶ ସୁରକ୍ଷା ନୀତି ଆହୁରି କଠୋର ହୋଇଥିଲା ଏବଂ ଯୁକ୍ତରାଷ୍ଟ୍ର ପରିବେଶ ସୁରକ୍ଷା ସଂସ୍ଥା ଦ୍ୱାରା ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା।

 

 

 

 

ସୌଜନ୍ୟ ସମ୍ବାଦ