ପ୍ରକୃତିର ଜଗତ ଅନେକ ଅଦ୍ଭୁତ କଳାକୃତିରେ ପରିପୂର୍ଣ୍ଣ। ଆଉ ପ୍ରତ୍ୟେକ ଫୁଲ ଗୋଟିଏ ଗୋଟିଏ କଳାକୃତି। ପ୍ରତି ଫୁଲ ନିଜର ପୃଥକ୍ ସୌନ୍ଦର୍ଯ୍ୟ ଓ ପରିଚୟ ସହିତ ଆମକୁ ଆକର୍ଷିତ କରନ୍ତି। ସେହିପରି ଏକ ବିରଳ ଓ ଆଶ୍ଚର୍ଯ୍ୟଜନକ ଫୁଲ ହେଉଛି ‘ଡଙ୍କି ଅର୍କିଡ୍’। ଏହି ଫୁଲ ନିଜର ଅସାଧାରଣ ଆକୃତି ଓ ମନୋହର ରୂପ ପାଇଁ ପରିଚିତ। ଏହି ଫୁଲ ପ୍ରକୃତିର ସୃଜନଶୀଳତାର ଏକ ଜୀବନ୍ତ ପ୍ରମାଣ, ଯାହାକୁ ଦେଖିଲେ ମନ ଆଶ୍ଚର୍ଯ୍ୟରେ ଭରିଯାଏ। ଏହି ଫୁଲର ନାମ ‘ଡଙ୍କି’ ରଖାଯିବା ପଛରେ କାରଣଟି ହେଲା, ଏହାର ପାଖୁଡ଼ା ଗଧର କାନ ଭଳି ଦେଖାଯାଏ। ଏହି ବିଶେଷ ଲକ୍ଷଣ ଏହାକୁ ଅନ୍ୟାନ୍ୟ ଅର୍କିଡ୍ ପ୍ରଜାତିଠାରୁ ସ୍ୱତନ୍ତ୍ର କରେ।
ଡଙ୍କି ଅର୍କିଡ୍ ସାଧାରଣତଃ ଡାୟୁରିସ୍ ଜାତିର ଗଛମାନଙ୍କ ଭିତରେ ଦେଖିବାକୁ ମିଳିଥାଏ ଏବଂ ଏହା ଅର୍କିଡେସି ପରିବାରର ଏକ ଅଂଶ। ଏହି ଫୁଲ ମୁଖ୍ୟତଃ ଅଷ୍ଟ୍ରେଲିଆରେ ଦେଖାଯାଏ। ଏହା ତୃଣଭୂମି, ଖୋଲା ମାଟି ଓ ଜଙ୍ଗଲ ଅଞ୍ଚଳରେ ବଢ଼ିଥାଏ। ବର୍ଷା ପରବର୍ତ୍ତୀ ସମୟରେ ଏହା ଅଧିକ ସୁନ୍ଦର ଭାବରେ ଫୁଟିଥାଏ, ଯାହା ପରିବେଶକୁ ରଙ୍ଗିନ ଓ ଜୀବନ୍ତ କରିଥାଏ। ସାଧାରଣତଃ ଏହି ଅର୍କିଡ୍ର ରଙ୍ଗ ହଳଦିଆ ହୋଇଥାଏ। ଫୁଲର ଉପର ଭାଗର ଦୁଇଟି ଲମ୍ବା ପାଖୁଡ଼ା ଗଧର କାନ ଭଳି ଦେଖାଯାଏ।
ଏହି ଫୁଲର ପ୍ରଜନନ ପ୍ରକ୍ରିୟା ମଧ୍ୟ ଆକର୍ଷଣୀୟ। ଡଙ୍କି ଅର୍କିଡ୍ ଅନ୍ୟ ଫୁଲଗୁଡ଼ିକ ପରି ମହୁମାଛିମାନଙ୍କୁ ଆକର୍ଷିତ କରେ। ସେମାନେ ଫୁଲରେ ବସିବା ସମୟରେ ପରାଗସଂଗମ ହୋଇଯାଏ ଏବଂ ଏହା ଏହି ଫୁଲର ବଂଶ ବଢ଼ିବାରେ ସାହାଯ୍ୟ କରେ। ଡଙ୍କି ଅର୍କିଡ୍ କେବଳ ଦେଖିବାକୁ ସୁନ୍ଦର ନୁହେଁ, ପରିବେଶ ସନ୍ତୁଳନରେ ଏହାର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହା ପ୍ରକୃତିର ଜୈବିବିଧତା ରକ୍ଷାକରିବା ପ୍ରକ୍ରିୟାରେ ଭୂମିକା ନିଭାଏ।
ସୌଜନ୍ୟ ସମ୍ବାଦ

