ଆଖିଧରା ରୋଗ କାହିଁକି ହୋଇଥାଏ?
ଆଖିଧରା ଏକ ଭୂତାଣୁ ଓ ଜୀବାଣୁ ଜନିତ ରୋଗ। ଶୀତ ଋତୁ ବ୍ୟତୀତ ଖରା ଓ ବର୍ଷା ଦିନରେ ଏହି ରୋଗ ଦେଖାଯାଇଥାଏ। ପ୍ରଥମେ ଗୋଟେ ଆଖି ସଂକ୍ରମିତ ହେବା ପରେ ଦ୍ବିତୀୟ ଆଖି ମଧ୍ୟ ସଂକ୍ରମିତ ହୋଇଥାଏ। ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପି ନ ଥାଏ। ଏଡିନୋ ଭୂତାଣୁ ଏହି ରୋଗର କାରଣ। ଏହା ୭ରୁ ୮ ଦିନ ଭିତରେ ଭଲ ହୋଇଯାଏ।
ଆଖି ଧରିଲେ କ’ଣ କରିବେ ଓ କ’ଣ କରିବେ ନାହିଁ?
ଆଖି ଧରିଲେ ପରିଷ୍କାର ଉଷୁମ ପାଣିରେ ଆଖି ପୋଛନ୍ତୁ। ଡାକ୍ତରଙ୍କ ପରାମର୍ଶ ବିନା ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ। ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ। ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ ବ୍ୟବହାର କରନ୍ତୁ ନାହିଁ।
ଏହାର ଲକ୍ଷଣ କ’ଣ?
ଆଖିଧରା ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଆଖି ଭିତରେ କୁଣ୍ଡେଇ ହୁଏ, ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ। ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ। ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହାରିଥାଏ। କିନ୍ତୁ ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ। ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରା ଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ। ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ।
ଆଖି ଧରିବା ଫଳରେ ଅନ୍ୟ କେଉଁ ରୋଗ ହେବାର ଡର ରହିଛି?
ଆଖି ଧରିବା ଫଳରେ ସିଧାସଳଖ କୌଣସି ରୋଗ ହୁଏ ନାହିଁ। ଯଦି ଆଖିରେ କିଛି ଆଘାତ ଲାଗିଯାଏ ତେବେ ଏହା ଅଧିକ ସଂକ୍ରମିତ ହୋଇଯାଏ। ତେଣୁ ସେଥିପ୍ରତି ସାବଧାନ ରହିବା ଉଚିତ।
ଏହାର ଘରୋଇ ଉପଚାର କ’ଣ ରହିଛି?
ଘରୋଇ ଉପଚାରରେ କେବଳ ଆଖିକୁ ପରିଷ୍କାର କରିବା ଉଚିତ। ହଳଦୀ ପାଣିରେ ପୋଛିବା ସବୁବେଳେ ଠିକ୍ ହୋଇ ନଥିବାରୁ ଆମେ ଏହାକୁ ବାରଣ କରୁ। ତେଣୁ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ବ୍ୟବହାର କରିବା ଉଚିତ।
ସୌଜନ୍ୟ ସମ୍ବାଦ
