Father-in-law: ଜୋଇଁଙ୍କୁ ଜୋତାମାଳ ପିନ୍ଧାଇ ବୁଲାଇଲେ ଶ୍ୱଶୁର
ଜୋଇଁଙ୍କ ବେକରେ ଜୋତାମାଳ ଝୁଲାଇ ବଜାର ବୁଲାଇଲେ ଶ୍ବଶୁର। ଯାଜପୁର ଜିଲ୍ଲା ବିଂଝାରପୁର ଥାନା କଲ୍ୟାଣପୁରରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି।

ବିଂଝାରପୁର: ଜୋଇଁଙ୍କ ବେକରେ ଜୋତାମାଳ ଝୁଲାଇ ବଜାର ବୁଲାଇଲେ ଶ୍ବଶୁର। ଯାଜପୁରଜିଲ୍ଲା ବିଂଝାରପୁର ଥାନା କଲ୍ୟାଣପୁରରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଖବର ପାଇ ବିଂଝାରପୁର ପୁଲିସ ତଦନ୍ତ ଚଳାଇଥିଲେ ମଧ୍ୟ କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ, କଲ୍ୟାଣପୁର ପଞ୍ଚାୟତ ବୈରୀବାଗ ଗ୍ରାମର ନିରଞ୍ଜନ ଦାସଙ୍କ ଝିଅ ସହିତ ଭଦ୍ରକ ଅଞ୍ଚଳର ଆନନ୍ଦ ଦାସଙ୍କ ବିବାହ ହୋଇଥିଲା। ପାରିବାରିକ କଳହକୁ ନେଇ ଆନନ୍ଦଙ୍କ ପତ୍ନୀ ଘରୁ ରାଗି ବାପଘରକୁ ଚାଲିଆସିଥିଲେ। ପତ୍ନୀଙ୍କୁ ନେବାକୁ ଶ୍ବଶୁରଘରକୁ ଆସିଥିଲେ ଆନନ୍ଦ। ସେଠାରେ ମଧ୍ୟ ପତ୍ନୀଙ୍କ ସହ ବଚସା ହୋଇଥିଲା। ଏଥିରେ ଶ୍ୱଶୁର ନିରଞ୍ଜନ ଉତ୍କ୍ଷିପ୍ତ ହୋଇ ଜୋଇଁଙ୍କୁ ମାଡ଼ ମାରିବା ସହ ମୁଣ୍ଡରେ ରଙ୍ଗ ମାରି ବେକରେ ଜୋତାମାଳ ପିନ୍ଧାଇ ରାସ୍ତାରେ ବୁଲାଇଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଏଭଳି ଅମାନୁଷିକ ଘଟଣାକୁ ନିନ୍ଦା କରାଯାଇଛି। ସାମାଜିକ ଗଣମାଧ୍ୟମରୁ ଏହି ଦୃଶ୍ୟ ଦେଖିବା ପରେ ଆଇଆଇସି ବିଲ୍ୱମଙ୍ଗଳ ସେଠୀ କଲ୍ୟାଣପୁରରେ ପହଞ୍ଚି ତଦନ୍ତ କରିଥିବା କହିଛନ୍ତି। ମାତ୍ର ଥାନାରେ କୌଣସି ଅଭିଯୋଗ ହୋଇନଥିବା ସେ ଜଣାଇଛନ୍ତି।
ସୌଜନ୍ୟ ସମ୍ବାଦ




