FIA Flags ATF Cost Rise: ଇନ୍ଧନ ଚିନ୍ତାରେ ଏୟାରଲାଇନ୍ସ; ସଂଘ କହିଲା, ସମାଧାନ କର ନ ହେଲେ ବନ୍ଦ ହୋଇଯିବ ସେ

FIA Flags ATF Cost Rise: ଟେନସନ ଦେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ। ହର୍ମୁଜ ବନ୍ଦ ଯୋଗୁ ଏବେ ସବୁ ବନ୍ଦ ହେଲାଣି। ଭାରତୀୟ ବିମାନ ସେବା ମଧ୍ୟ ଏଥିରେ ଗଭୀର ଭାବେ ପ୍ରଭାବିତ ହୋଇଛି। ସ୍ଥିତି ଏମିତି ହେଲାଣି ଯେ ବିମାନ କମ୍ପାନୀଗୁଡ଼ିକ ଏବେ ସେବା ବନ୍ଦ କରିବାକୁ ଚିନ୍ତା କରୁଛନ୍ତି। ଦେଶର ବିମାନ କମ୍ପାନୀଗୁଡ଼ିକ ଏବେ ପ୍ରବଳ କ୍ଷତି ସହୁଛନ୍ତି। ଏୟାର ଇଣ୍ଡିଆ,ଇଣ୍ଡିଗୋ ଏବଂ ସ୍ପାଇସଜେଟ୍ ଭଳି ପ୍ରମୁଖ ବିମାନ କମ୍ପାନୀଗୁଡ଼ିକର ସଂଗଠନ,ଫେଡେରେସନ ଅଫ୍ ଇଣ୍ଡିଆନ୍ ଏୟାରଲାଇନ୍ସ (FIA)ଏନେଇ ଚିନ୍ତା ବ୍ୟକ୍ତ କରିଛି। ଏଫ୍ଆଇଏକହିଛି ଯେ ବିମାନ ଟରବାଇନ୍ ଇନ୍ଧନ (ATF)ର ଦର ବୃଦ୍ଧି ଯୋଗୁ ସେମାନଙ୍କର ପରିଚାଳନା ଖର୍ଚ୍ଚ ୨୦%ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଏଫଆଇଏ ଏହି ବିଷୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପାଖରେ ଏକ ରିପୋର୍ଟ ଦାଖଲ କରିଛି। ରିପୋର୍ଟ ଅନୁଯାୟୀ,ଘରୋଇ ବିମାନ କମ୍ପାନୀଗୁଡ଼ିକ ପାଇଁବିମାନ ଚଳାଇବା କ୍ରମଶଃ କଷ୍ଟକର ହୋଇପଡୁଛି। ପରିସ୍ଥିତି ଏତେ ଭୟଙ୍କର ହେଲାଣି ଯେ କମ୍ପାନୀଗୁଡ଼ିକ ସର୍ଭିସ ବନ୍ଦ କରିବାକୁ ଚିନ୍ତା କରୁଛନ୍ତି। ଏଫ୍ଆଇଏ ରିପୋର୍ଟରେ ସରକାରଙ୍କ ଠାରୁ ଉତ୍ପାଦ ଶୁଳ୍କ ଆହୁରି ହ୍ରାସ କରିବାକୁ ଦାବି କରିଛି। ଫଳରେ କମ୍ପାନୀଗୁଡ଼ିକ ସହୁଥିବା କ୍ଷତି ଭରଣା ହୋଇପାରିବ।

 

ଇରାନ ଯୁଦ୍ଧ ଯୋଗୁ ୪୫.୫% ମହଙ୍ଗା ହେଲା ଅଶୋଧିତ ତେଲ

ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ, ଫେବୃଆରୀ ୨୮ ତାରିଖ ଠାରୁ ଏପର୍ଯ୍ୟନ୍ତ ଅଶୋଧିତ ତୈଳ ମୂଲ୍ୟ ୪୫.୫% ବୃଦ୍ଧି ପାଇଛି। ତଥାପି, ସରକାର ଘରୋଇ ବିମାନ ପାଇଁ ATF ମୂଲ୍ୟ ବୃଦ୍ଧିକୁ ୨୫% ପର୍ଯ୍ୟନ୍ତ କ୍ୟାପ୍ କରିଛନ୍ତି। ଫଳସ୍ୱରୂପ, ତୈଳ କମ୍ପାନୀଗୁଡ଼ିକ (OMCs) ଏପ୍ରିଲରେ ଘରୋଇ ATF ମୂଲ୍ୟ କେବଳ ୯.୨% ବୃଦ୍ଧି କରିଥିଲେ, କିନ୍ତୁ ଆନ୍ତର୍ଜାତୀୟ କାର୍ଯ୍ୟ ପାଇଁ ଏହି ବୃଦ୍ଧି ବହୁତ ଅଧିକ ରହିଥିଲା।

ବିମାନ କମ୍ପାନୀଗୁଡ଼ିକର ଇନ୍ଧନ ମୂଲ୍ୟ ୪ରୁ ୬୦%କୁ ବୃଦ୍ଧି ପାଇଛି

ଏଫଆଇଏ କହିବା ଅନୁଯାୟୀ,ଆନ୍ତର୍ଜାତୀୟ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ଇନ୍ଧନ ମୂଲ୍ୟରେ ଦେଖା ଦେଇଥିବା ଗୁରୁତ୍ୱପୂର୍ଣ୍ଣ ପାର୍ଥକ୍ୟ ଏୟାରଲାଇନ୍ସ ନେଟୱାର୍କଗୁଡ଼ିକୁ ଆର୍ଥିକ ଭାବରେ ଦୁର୍ବଳ କରିଦେଇଛି। ଇନ୍ଧନ ଖର୍ଚ୍ଚ,ଯାହା ପୂର୍ବରୁ ଏୟାରଲାଇନ୍ସର ମୋଟ ପରିଚାଳନା ଖର୍ଚ୍ଚର ୪୦% ଥିଲା,ଏବେ ୬୦%କୁ ବୃଦ୍ଧି ପାଇଛି। ତେଣୁ ସଂଘଟନ ପକ୍ଷରୁ ୧୧ ପ୍ରତିଶତ ଉତ୍ପାଦନ ଶୁଳ୍କ ଛାଡ଼ କରିବାକୁ ଦାବି କରାଯାଇଛି।

୧୧% ଉତ୍ପାଦ ଶୁଳ୍କ ହଟାଇବା ପାଇଁ ବିମାନ କମ୍ପାନୀଗୁଡ଼ିକ ଦାବି, FIAର ୩ ଦାବି

୧. ATF ଉପରେ ୧୧% ଉତ୍ପାଦ ଶୁଳ୍କକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯିବା ଉଚିତ
୨. ପ୍ରମୁଖ ରାଜ୍ୟଗୁଡ଼ିକରେ ବିମାନ ଇନ୍ଧନ ଉପରେ ଭାଟ୍ ହ୍ରାସ କରାଯିବା ଉଚିତ
୩. କୋଭିଡ-୧୯ ପରେ ୨୦୨୨ରେ ପ୍ରଚଳନ ହୋଇଥିବା ‘ଅଶୋଧିତ ବ୍ରେଣ୍ଟ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥା’କୁ ପୁନଃସ୍ଥାପିତ କରାଯିବା ଉଚିତ।

ଏସବୁ ଦାବି ରଖିବା ସହିତ ସଂଘ ଚେତାବନୀ ଦେଇଛି ଯେ ଯଦି ଏହି ସମସ୍ୟାଗୁଡ଼ିକର ସମାଧାନ ନହୁଏ, ତେବେ ବିମାନ କମ୍ପାନୀଗୁଡ଼ିକ କ୍ଷମତା ଏବଂ ଉଡ଼ାଣ ସଂଖ୍ୟା ହ୍ରାସ କରିବାକୁ ବାଧ୍ୟ ହେବେ। ଏହା ସିଧାସଳଖ ଯାତ୍ରୀ ଏବଂ ସଂଯୋଗ ଉପରେ ପ୍ରଭାବ ପକାଇବ।

ମନ୍ତ୍ରଣାଳୟଦେଇପାରେ ୫,୦୦୦ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଇଛି। ଘରୋଇ ବିମାନ ସେବା ପାଇଁ ଏପ୍ରିଲ ୨୦୨୬ ଠାରୁ ତିନି ମାସ ପାଇଁ ଅବତରଣ ଏବଂ ପାର୍କିଂ ଫି ୨୫% ହ୍ରାସ କରାଯାଇଛି। ଏହା ବ୍ୟତୀତ, କ୍ୟାସ୍ ଫ୍ଲୋ ସମସ୍ୟାର ସମ୍ମୁଖୀନ ହେଉଥିବା କମ୍ପାନୀଗୁଡ଼ିକୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ବିମାନ କ୍ଷେତ୍ର ପାଇଁ ୫ ହଜାର କୋଟି ଟଙ୍କାର ଏକ ଜରୁରୀକାଳୀନ ବିମାନ କ୍ରେଡିଟ୍ ଯୋଜନା ପ୍ରଣୟନ କରିବାକୁ ବିଚାର କରୁଛନ୍ତି।

 

ସୌଜନ୍ୟ Prameya News7