ବକ୍ସ ଅଫିସରେ ୧୦୦୦ କୋଟି ଟଙ୍କା ଆୟ କରିବା ଯେକୌଣସି ବଲିଉଡ୍ ଅଭିନେତାଙ୍କ ପାଇଁ ଏକ ବିରଳ ସଫଳତା। ରଣବୀର ସିଂହଙ୍କ ‘ଧୁରନ୍ଧର’ ଚଳଚ୍ଚିତ୍ର ଗତ ବର୍ଷ ୧୨୦୦ କୋଟି ଟଙ୍କା ଆୟ କରିଥିବା ବେଳେ ଏ ବର୍ଷ ‘ଧୁରନ୍ଧର ୨’ ମାତ୍ର ନଅ ଦିନରେ ୧୦୦୦ କୋଟି ଟଙ୍କାର ମାଇଲଖୁଣ୍ଟ ଅତିକ୍ରମ କରିଦେଇଛି। ତାଙ୍କ ପୂର୍ବରୁ ଶାହାରୁଖ ଖାଁ ଗୋଟିଏ ବର୍ଷରେ ଲଗାତାର ଦୁଇଟି ସୁପର୍ହିଟ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଗୁଡ଼ିକର ବ୍ୟବସାୟ ୧୦୦୦ କୋଟି ଟଙ୍କା ଟପିଯାଇଥିଲା।
ରଣବୀର ଓ ଶାହରୁଖ ଦୁଇଟି ଲେଖାଏଁ ୧୦୦୦ କୋଟି ଟଙ୍କା ବ୍ୟବସାୟ କରିଥିବା ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ବଲିଉଡ୍ର ସବୁଠାରୁ ବିବାଦୀୟ ଅଭିନେତା ସଞ୍ଜୟ ଦତ୍ତ ଏଭଳି ଚାରିଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ୨୦୨୨ରେ ତାଙ୍କ ଅଭିନୀତ ‘କେଜିଏଫ୍: ଚାପ୍ଟର ୨’ ବିଶ୍ବବ୍ୟାପୀ ୧୨୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏହା ପର ବର୍ଷ ସେ ‘ଯବାନ’ ଚଳଚ୍ଚିତ୍ରରେ ଅତିଥି ଅଭିନେତା ଭାବେ ଦେଖା ଦେଇଥିଲେ, ଯାହା ମଧ୍ୟ ୧୨୦୦ କୋଟି ଟଙ୍କା ଆୟ କରିଥିଲା। ଏହା ପରେ ଦୁଇଟି ‘ଧୁରନ୍ଧର’ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରିଛନ୍ତି। ସଞ୍ଜୟ ଏବେ ବଲିଉଡ୍ର ଏକମାତ୍ର ଅଭିନେତା, ଯାହାଙ୍କର ଚାରିଟି ଚଳଚ୍ଚିତ୍ର ୧୦୦୦ କୋଟି ଟଙ୍କାରୁ ଅଧିକ ଆୟ କରିପାରିଛି।
ସୌଜନ୍ୟ ସମ୍ବାଦ
