Flood: ସୀମା ଟପିଲାଣି ଯନ୍ତ୍ରଣା: ୨୩ ଦିନ ଧରି ବନ୍ୟା ଆଁରେ ଦଶରଥପୁର, ମୁଣ୍ଡରେ ଛାତ ନାହିଁ କି ପେଟକୁ ଦାନା ନାହିଁ
ଗତ ୨୩ ଦିନ ହେବ ବନ୍ୟାରେ ଛଟପଟ ହେଉଛି ଦଶରଥପୁର। ସମଗ୍ର ଅଞ୍ଚଳ ବନ୍ୟା ଆଁରେ ରହିଛି। ସବୁଆଡେ ଖାଲି ପାଣି ଆଉ ପାଣି। ବନ୍ୟା ଜଳକୁ ଲଗାଣ ବର୍ଷା ଦାଉ ସାଧୁଛି। କେଉଁଠି ଚୁଲି ଜଳୁନି ତ ଆଉ କେଉଁଠି ବିଦ୍ୟୁତ୍ ସଂଯୋଗ ବିଚ୍ଛନ୍ନ।

ଯାଜପୁର/ଦଶରଥପୁର: ଗତ ୨୩ ଦିନ ହେବ ବନ୍ୟାରେ ଛଟପଟ ହେଉଛି ଦଶରଥପୁର। ସମଗ୍ର ଅଞ୍ଚଳ ବନ୍ୟା ଆଁରେ ରହିଛି। ସବୁଆଡେ ଖାଲି ପାଣି ଆଉ ପାଣି। ବନ୍ୟା ଜଳକୁ ଲଗାଣ ବର୍ଷା ଦାଉ ସାଧୁଛି। କେଉଁଠି ଚୁଲି ଜଳୁନି ତ ଆଉ କେଉଁଠି ବିଦ୍ୟୁତ୍ ସଂଯୋଗ ବିଚ୍ଛନ୍ନ। ଯନ୍ତ୍ରଣା ଅସହ୍ୟ ହୋଇ ପଡ଼ିଲାଣି। ଏଭଳି ଲଗାତାର ୨୩ ଦିନ ବନ୍ୟା ଅଞ୍ଚଳବାସୀ ପୂର୍ବରୁ କେବେ ଦେଖିନଥିଲେ। ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ପ୍ରତିଦିନ ବଢ଼ିବାରେ ଲାଗିଛି। ଲଗାତାର ବନ୍ୟାପାଣି ଗାଁରେ ପ୍ରବେଶ କରିବାରୁ ଲୋକେ ଭୋକଉପାସରେ ଖୋଲା ଆକାଶ ତଳେ ଏବଂ ସରକାରୀ ଆଶ୍ରୟସ୍ଥଳରେ ରାତି କାଟୁଛନ୍ତି। ଯୋଗାଯୋଗ ଓ ପାନୀୟଜଳ ବ୍ୟବସ୍ଥା ବିଶେଷ ଭାବେ ପ୍ରଭାବିତ ହୋଇଛି। ବନ୍ୟା ବିପନ୍ନଙ୍କ ଅବସ୍ଥା ପରଖିବା ପାଇଁ ଆଜି ‘ସମ୍ବାଦ’ ଟିମ୍ ପହଞ୍ଚିଥିଲା ବନ୍ୟା ବିପନ୍ନଙ୍କ ପାଖରେ।
ପ୍ରତିବର୍ଷ ବର୍ଷାଋତୁରେ ବୈତରଣୀ ଓ କାଣୀ ନଦୀରେ ବନ୍ୟା ଆସି ଦଶରଥପୁର ଅଞ୍ଚଳବାସୀଙ୍କୁ ପ୍ରଭାବିତ କରିଥାଏ। କେଉଁଠି ନା କେଉଁଠି ଘାଇ ହୁଏ, କିନ୍ତୁ ୩/୪ ଦିନରେ ବନ୍ୟା ପାଣି ଶୁଖିଯାଏ। ତେବେ ଚଳିତବର୍ଷର ସ୍ଥିତି ସଂପୂର୍ଣ୍ଣ ଅଲଗା। ଦୀର୍ଘ ୨୩ ଦିନ ଧରି ବନ୍ୟା ପରେ ବନ୍ୟା ଆସିବାରୁ ପାଣି ଛାଡୁନି। ଅନେକ ଲୋକଙ୍କ ମୁଣ୍ଡ ଉପରୁ ଛପର ଭାସି ଯାଇଛି। ପେଟକୁ ଦାନା ଯୋଗାଡ଼ କରିବାର ସୁଯୋଗ ନାହିଁ। ବନ୍ୟା ପ୍ରଭାବିତ ବହୁ ଗାଁରେ କଚ୍ଚାଘର ସବୁ ମାଟିରେ ଲୋଟିଛି। ବର୍ଷକର ଧାନଚାଉଳ, ଘର ଆସବାବପତ୍ର ପାଣିରେ ଭାସି ଯାଇଛି। ତରପଦା ପଞ୍ଚାୟତ ୨ନମ୍ବର ୱାର୍ଡର ବିଧବା ରଙ୍ଗଲତା ବେହେରା। ପରିବାର କହିଲେ ଏକା। ବନ୍ୟାରେ ଘର ଭାସି ଯାଇଥିବା ବେଳେ କୌଣସି ଆସବାବପତ୍ର ଆଉ ନାହିଁ। ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଚୁଲି ରୋଷେଇ ଓ କାଠ ଜାଳ ଉପରେ ନିର୍ଭରଶୀଳ।
ବ୍ୟାପିଲାଣି ଥଣ୍ଡାଜ୍ବର
ଜଳୁନି ଆଲୁଅ, ପିଇବା ପାଣି ସ୍ଥିତି ଗମ୍ଭୀର
ସାଇତି ରଖିଥିବା ଜାଳ ଭାସି ଯାଇଛି। ବନ୍ୟାଜଳରେ ଚୁଲି ଭାଙ୍ଗିଯାଇଛି। କେବଳ ରିଲିଫ୍ ଖାଦ୍ୟରେ ଭୋକ ମେଣ୍ଟୁଛି, ତାହା ବି ଯଥେଷ୍ଟ ହେଉନି। ଗାଁରେ ଥିବା ବିଜୁଳି ଟ୍ରାନ୍ସଫର୍ମର ଜଳମଗ୍ନ ହୋଇଥିବାରୁ ଅନ୍ଧାର ରାତିରେ ରିଲିଫ୍ ମହବତି ଭରସା ସାଜିଛି। ଘରେ ଥିବା ଛୋଟପିଲାଙ୍କୁ ବିନା ଆଲୁଅ ଓ ପଙ୍ଖାରେ ରଖିବା ସମ୍ଭବ ହେଉନି। ଶିଶୁମାନେ ଗରମରେ ଛଟପଟ ହେଉଛନ୍ତି। ପାନୀୟଜଳ ପ୍ରକଳ୍ପ ପାଇପ୍ ଫାଟି ଆଁ କରିଛି। ଗାଁ ଭିତରେ ୫-୬ ଫୁଟର ପ୍ରଖର ପାଣିସ୍ରୋତ ଅନେକ ରାସ୍ତାକୁ ଖୋଳିତାଡ଼ି ଖିନଭିନ କରିଦେଇଛି। ଗୋଟିଏ ଗୋଟିଏ ଗାଁକୁ ଯୋଗାଯୋଗ ପାଇଁ ବାଉଁଶ କିମ୍ବା ବିଜୁଳି ଖୁଣ୍ଟ ଭରସା ସାଜିଛି।
ବନ୍ୟା କମୁଥିଲାବେଳେ ଏବେ ଘରେ ଘରେ ଥଣ୍ଡାଜ୍ବର ବ୍ୟାପିବା ଆରମ୍ଭ ହୋଇଛି। ସାପ କାମୁଡ଼ା ରୋଗୀ ସଂଖ୍ୟା ବଢ଼ୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ୩/୪ଟି ସ୍ବତନ୍ତ୍ର ଡାକ୍ତରୀ ଦଳ ସେବା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟାରେ ଲୋକଙ୍କ ସହିତ ଗୋସଂପଦ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଅନେକ ଗୋରୁଗାଈଙ୍କ ମୃତ୍ୟୁ ହେଉଥିବାବେଳେ ବର୍ତ୍ତମାନ ଚାରଣ ଭୂମିର ଅଭାବ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗାମୀ ୨/୩ ମାସ ପାଇଁ ଗୋଖାଦ୍ୟ ଯୋଗାଇ ଦେବାକୁ ବନ୍ୟା ପ୍ରଭାବିତ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




