ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଗ୍ୟାସ୍ ସଙ୍କଟ ଦେଖାଦେଇଥିବାରୁ ଦେଶର ଗାଡ଼ି ନିର୍ମାତାମାନେ ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। ଗାଡ଼ି ତିଆରି ବେଳେ ଫାଉଣ୍ଡ୍ରି, ଫୋର୍ଜିଂ ଓ ମେସିନ୍ ୟୁନିଟ୍ରେ ଏଲ୍ପିଜି ଓ ପିଏନ୍ଜି ଗ୍ୟାସ୍ ବ୍ୟବହାର କରାଯାଏ। କେନ୍ଦ୍ର ସରକାର ବାଣିଜ୍ୟିକ ଏଲ୍ପିଜିର ବ୍ୟବହାର ଉପରେ ରୋକ ଲଗାଇଥିବାରୁ ଗାଡ଼ି ନିର୍ମାତାମାନେ ତାହା ପାଇବାରେ ଅସୁବିଧା ସାମ୍ନା କରୁଛନ୍ତି। ନିଜ ସମସ୍ୟା ସମ୍ପର୍କରେ ଗାଡ଼ି ନିର୍ମାତା ସଂଘ ‘ସିଆମ୍’ ଓ ଗାଡ଼ି ଉପକରଣ ନିର୍ମାତା ସଂଘ ‘ଏସିଏମ୍ଏ’ ପକ୍ଷରୁ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ, ଭାରି ଶିଳ୍ପ ମନ୍ତ୍ରଣାଳୟ ଓ ବାଣିଜ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ଅବଗତ କରାଯାଇଛି। ଶିଳ୍ପ ବ୍ୟବହାର ପାଇଁ ଏଲ୍ପିଜି ଓ ପିଏନ୍ଜି ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସିଆମ୍ର ମହାନିର୍ଦ୍ଦେଶକ ରାଜେଶ ମେନନ କହିଛନ୍ତି ଯେ ସଂପ୍ରତି ଦେଖାଦେଥିବା ଭୂରାଜନୈତିକ ସଙ୍କଟ ଶିଳ୍ପକୁ କିଭଳି ପ୍ରଭାବିତ କରୁଛି, ତାହା ଉପରେ ଆମେ ନଜର ରଖିଛୁ। ଯୁଦ୍ଧ ଦ୍ବାରା ଯୋଗାଣ ଶୃଙ୍ଖଳ ବ୍ୟାହତ ହୋଇଥିବାରୁ ତାହା ଗାଡ଼ି ଉତ୍ପାଦନ ପ୍ରକ୍ରିୟା ଓ ରପ୍ତାନିକୁ ପ୍ରଭାବିତ କରିବା ଆଶଙ୍କା ରହିଥିବା ସେ କହିଛନ୍ତି।
ଚଳିତ ବର୍ଷ ଫେବ୍ରୁଆରି ମାସ ଗାଡ଼ି ବିକ୍ରି ତଥ୍ୟ ଜାରି କରି ସିଆମ୍ ଜଣାଇଛି ଯେ ଯାତ୍ରୀବାହୀ, ଦୁଇଚକିଆ ଓ ତିନିଚକିଆ ଯାନ ବିକ୍ରି ଉଲ୍ଲେଖନୀୟ ଥିଲା। ଏହି ମାସରେ ଯାତ୍ରୀବାହୀ ଯାନ ବିକ୍ରି ୧୦.୬ ପ୍ରତିଶତ ବୃଦ୍ଧି ପାଇ ୪,୧୭,୭୦୫ ୟୁନିଟ୍ରେ ପହଞ୍ଚିଛି ଯାହା ଗତବର୍ଷ ଫେବ୍ରୁଆରିରେ ୩,୭୭,୬୮୯ ୟୁନିଟ୍ ଥିଲା। ଦୁଇଚକିଆ ଯାନ ବିକ୍ରି ୩୫.୨ ପ୍ରତିଶତ ବୃଦ୍ଧି ପାଇ ୧୮,୭୧,୪୦୬ ୟୁନିଟ୍ ହୋଇଛି। ମୋଟରସାଇକେଲ ବିକ୍ରି ବାର୍ଷିକ ୩୧ ପ୍ରତିଶତ ବୃଦ୍ଧି ପାଇ ୧୦,୯୬,୫୭୩ ୟୁନିଟ୍ ହୋଇଛି। ସ୍କୁଟର ବିକ୍ରି ବାର୍ଷିକ ୪୨.୩ ପ୍ରତିଶତ ବୃଦ୍ଧି ପାଇ ୭,୨୯,୭୭୪ ୟୁନିଟ୍ ହୋଇଛି। ତିନିଚକିଆ ଯାନଗୁଡିକ ବିକ୍ରିରେ ମଧ୍ୟ ବାର୍ଷିକ ୨୯ ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଗତ ମାସରେ ୭୪,୫୭୩ ୟୁନିଟ୍ ତିନିଚକିଆ ବିକ୍ରି ହୋଇଥିଲା। ଫେବ୍ରୁଆରି ମାସରେ ମୋଟ ଯାନ ବିକ୍ରି ବାର୍ଷିକ ୩୦ ପ୍ରତିଶତ ବୃଦ୍ଧି ପାଇ ୨୩,୬୩,୬୮୪ ୟୁନିଟରେ ପହଞ୍ଚିଛି, ଯାହା ଗତ ବର୍ଷ ଫେବ୍ରୁଆରିରେ ୧୮,୨୦,୦୮୨ ୟୁନିଟ୍ ଥିଲା।
ସୌଜନ୍ୟ ସମ୍ବାଦ
