ରାଜ୍ୟ

Bari politics: ବରୀ ରାଜନୀତିରେ ହଟଚମଟ: ବିଡିଓଙ୍କୁ ହତ୍ୟା ଧମକ, ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନାଁରେ ମାମଲା

ନେତା ଓ ପ୍ରଶାସକଙ୍କ କଳିକୁ ନେଇ ବରୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ପୂର୍ବରୁ ବିଧାୟକ-ଅମଲା କଳି ଚର୍ଚ୍ଚାରେ ଥିଲା। ଆଜି ଆଉ ଏକ ବିବାଦୀୟ ଘଟଣା ଯୋଡ଼ି ହୋଇଛି। ବିଡିଓ ମିନତି ଜଗଦ୍ଦେବଙ୍କୁ ତାଙ୍କ ଅଫିସ ଭିତରେ ପଶି ହତ୍ୟା ଧମକ

ବରୀ: ନେତା ଓ ପ୍ରଶାସକଙ୍କ କଳିକୁ ନେଇ ବରୀ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ପୂର୍ବରୁ ବିଧାୟକ-ଅମଲା କଳି ଚର୍ଚ୍ଚାରେ ଥିଲା। ଆଜି ଆଉ ଏକ ବିବାଦୀୟ ଘଟଣା ଯୋଡ଼ି ହୋଇଛି। ବିଡିଓ ମିନତି ଜଗଦ୍ଦେବଙ୍କୁ ତାଙ୍କ ଅଫିସ ଭିତରେ ପଶି ହତ୍ୟା ଧମକ ଦେବା ଅଭିଯୋଗରେ ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ିଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି। ବିଡିଓଙ୍କ ଏତଲା ଆଧାରରେ ବରୀ ଥାନା ନମ୍ବର ୩୪୯/୨୬ରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ବିଡିଓ ପରସ୍ପର ଉପରେ ଦୋଷାରପ କରିଛନ୍ତି। ବିଡିଓ ତାଙ୍କୁ ଅପମାନିତ କରିବା ସହ ବିନା ଅନୁମତିରେ ବୈଠକ ବାତିଲ କରିଥିବା ଅଭିଯୋଗ ଆଣିଛନ୍ତି ଶ୍ରୀ ଗେଡ଼ି। ଅଫିସ ଭିତରେ ବିଡିଓ ବସିରହିବା ବେଳେ ଅଧ୍ୟକ୍ଷ ହିସାବରେ ତାଙ୍କୁ ବସିବାକୁ ଚେୟାର ଦେଇନଥିବା କହିଛନ୍ତି। ଏ ସଂପର୍କରେ ବ୍ଲକ୍‌ ଅଧ୍ୟକ୍ଷ ଶ୍ରୀ ଗେଡ଼ିଙ୍କୁ ପଚାରିବାରୁ ସେ କହିଥିଲେ ଯେ ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରକୋଷ୍ଠରେ ଥାଇ ସେ ବିଡିଓଙ୍କୁ ୪ରୁ ୫ ଥର ଫୋନ୍‌ କରିଥିଲେ। ମାତ୍ର ବିଡିଓ ତାଙ୍କ ଫୋନ୍‌ ଉଠାଇ ନଥିଲେ। ତେଣୁ ସେ ତାଙ୍କୁ ଭେଟିବାକୁ ଅଫିସକୁ ଯାଇଥିଲେ। ବିଡିଓ ସେଠାରେ ତାଙ୍କୁ ବସିବାକୁ ଚେୟାର ଦେଇନଥିଲେ। କିଛି ସମୟ ଛିଡ଼ାହୋଇ ରହିବା ପରେ କାହିଁକି ପଞ୍ଚାୟତ ସମିତି ବୈଠକ ବାତିଲ ପାଇଁ ତାଙ୍କ ଅନୁମତି ନ ନେଇ ଚିଠି କରାଗଲା ବୋଲି ପଚାରିଥିଲେ। ‘ଓଡ଼ିଶା ସାରା ବିକାଶ ଧାରା’ ଯୋଜନାରେ ନିର୍ମାଣ ହୋଇଥିବା ବିଭିନ୍ନ ପ୍ରକଳ୍ପର ବିଲ୍‌ ପୈଠ କରାଯାଉ ନଥିବା ସଂପର୍କରେ ସେ ବିଡିଓଙ୍କୁ ଜଣାଇଥିଲେ। ସେହିଭଳି ବ୍ଲକର ସରକାରୀ ଗାଡ଼ି ନେଇ ସରକାରୀ ତେଲରେ ଭୁବନେଶ୍ବର ବୁଲୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ତେବେ ଅନ୍ୟ ଗୋଷ୍ଠୀ ଗଣ୍ଡଗୋଳ କରିବାରୁ ବୈଠକ ବାତିଲ କରାଯାଇଛି ବୋଲି କହିଥିଲେ ବିଡିଓ। ଯଦି ସେ ତାଙ୍କୁ ଧମକ ଦେଇଛନ୍ତି ତା’ର ପ୍ରମାଣ ଦିଅନ୍ତୁ। ହତ୍ୟା ଅଭିଯୋଗ ଭିତ୍ତିହୀନ ବୋଲି ଶ୍ରୀ ଗେଡ଼ି କହିଥିଲେ। ଅନ୍ୟପକ୍ଷରେ ବିଡିଓ କହିଥିଲେ ଯେ ଅଧ୍ୟକ୍ଷ ତାଙ୍କ ଅଫିସକୁ ଆସି ସିଧାସଳଖ ହତ୍ୟା ଧମକ ଦେଇଥିବାରୁ ସେ ଏ ସଂକ୍ରାନ୍ତରେ ଥାନାରେ ଏତଲା ଦେଇଛନ୍ତି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button