ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ସଞ୍ଚୟ କରିବା ଲାଗି ବର୍ଷକ ପର୍ଯ୍ୟନ୍ତ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆହ୍ବାନ ଦେବାର କିଛି ଦିନ ପରେ କେନ୍ଦ୍ର ସରକାର ସୁନା ଓ ରୁପା ଉପରେ ଆମଦାନି ଶୁଳ୍କକୁ ଦୁଇଗୁଣାରୁ ଅଧିକ ବଢ଼ାଇଛନ୍ତି। ଏହି ଶୁଳ୍କ ଯାହା ୬ ପ୍ରତିଶତ ଥିଲା ତାହାକୁ ୧୫ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଆମଦାନି ଶୁଳ୍କ ବଢ଼ିବା ପରେ ଦେଶରେ ସୁନା ଓ ରୁପା ଦରରେ ହଠାତ୍ ବଡ଼ ଧରଣର ବୃଦ୍ଧି ହୋଇଛି। ବୁଧବାର ଅପରାହ୍ନରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦାମ୍ ୧୨,୭୫୦ ଟଙ୍କା ବୃଦ୍ଧି ପାଇ ୧,୫୩,୯୦୦ ଟଙ୍କାରେ ପହଞ୍ଚିଛି। ସେହିପରି, ୨୪ କ୍ୟାରେଟ୍ ସୁନା ଦାମ୍ ୧୩,୯୧୦ ଟଙ୍କା ବୃଦ୍ଧି ପାଇ ୧,୬୭,୮୯୦ ଟଙ୍କା ହୋଇଛି।
ରୁପା କେଜି ୩୦ ହଜାର ଟଙ୍କା ବଢ଼ି ୩,୩୦,୦୦୦ ଟଙ୍କା ହୋଇଛି। ଅନ୍ୟପଟେ, ଦିଲ୍ଲୀର ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ୍ ୯୦୦୦ ଟଙ୍କା ବୃଦ୍ଧି ପାଇ ୧ ଲକ୍ଷ ୬୦ ହଜାର ଟଙ୍କା ହୋଇଛି। ରୁପା କେଜି ୧୮ ହଜାର ଟଙ୍କା ବୃଦ୍ଧି ପାଇ ୨ ଲକ୍ଷ ୮୭ ହଜାର ଟଙ୍କା ହୋଇଛି। କେନ୍ଦ୍ର ସରକାର ସୁନା ଆମଦାନି ଉପରେ ୧୦ ପ୍ରତିଶତ ମୂଳ ଆମଦାନି ଶୁଳ୍କ ଓ ୫ ପ୍ରତିଶତର କୃଷି ଭିତ୍ତିଭୂମି ଓ ବିକାଶ ଶୁଳ୍କ ଲଗାଇଛନ୍ତି। ଫଳରେ ମୋଟ୍ ପ୍ରଭାବୀ ଶୁଳ୍କ ୧୫ ପ୍ରତିଶତ ହୋଇଛି। ୨୦୨୪ ବଜେଟ୍ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁନା ଉପରେ ଥିବା ୧୫ ପ୍ରତିଶତର ଆମଦାନି ଶୁଳ୍କକୁ ୬ ପ୍ରତିଶତକୁ ହ୍ରାସ କରିଥିଲେ। ତେବେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ଦେଖାଦେଇଥିବା ସଙ୍କଟମୟ ସ୍ଥିତିକୁ ଦୃଷ୍ଟିରେ ରଖି ପୁଣି ଥରେ ସୁନା ଓ ରୁପା ଉପରେ ଆମଦାନି ଶୁଳ୍କ ବୃଦ୍ଧି କରାଯାଇଛି। ପ୍ରତିବର୍ଷ ସୁନା ଆମଦାନି କରିବାରେ ୭୨୦୦ କୋଟି ଡଲାର ଖର୍ଚ୍ଚ ହେଉଛି। ତାହାକୁ ସଞ୍ଚୟ କରିବା ଲକ୍ଷ୍ୟ ନେଇ ଲୋକମାନଙ୍କୁ ବର୍ଷକ ପର୍ଯ୍ୟନ୍ତ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ବାନ ଦେଇଛନ୍ତି। ଶୁଳ୍କ ବଢ଼ିବା ପରେ ସୁନା ଆମଦାନି କମ୍ ହେବ ବୋଲି ସରକାର ଭାବୁଛନ୍ତି।
ଶୁଳ୍କ ବଢ଼ିବା ପରେ ସୁନା ଆମଦାନି କମ୍ ହେବ
୨୦୨୦-୨୧ ବେଳକୁ ସୁନା ଉପରେ ଆମଦାନି ଶୁଳ୍କ ମାତ୍ର ୨.୫ ପ୍ରତିଶତ ଥିଲା। ୨୦୨୧-୨୨ରେ ତାହା ୩.୪ ପ୍ରତିଶତକୁ ବଢ଼ିବା ପରେ ୨୦୨୨-୨୩ରେ ୨.୮ ପ୍ରତିଶତକୁ ହ୍ରାସ ପାଇଥିଲା। ୨୦୨୩-୨୪ରେ ତାହା ୩.୮ ପ୍ରତିଶତ ଓ ୨୦୨୪-୨୫ରେ ୪.୯ ପ୍ରତିଶତ ଓ ୨୦୨୫-୨୬ରେ ୬.୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ସରକାର ପୁଣି ଥରେ ଆମଦାନି ଶୁଳ୍କକୁ ୧୫ ପ୍ରତିଶତ କରିଥିବାରୁ ସୁନା ଚୋରାଚାଲାଣ ବଢ଼ିବା ଆଶଙ୍କା କରାଯାଉଛି। ଶୁଳ୍କ କମ୍ ଥିବା ସମୟରେ ସୁନା ଚୋରାଚାଲାଣ କମ୍ ରହୁଥିଲା। ଇଣ୍ଡିଆନ ବୁଲିଅନ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ର ଜାତୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କହିଛନ୍ତି ଯେ ଚଳନ୍ତୀ ଖାତା ନିଅଣ୍ଟ (ରପ୍ତାନି କମ୍ ଓ ଆମଦାନି ଅଧିକ ସ୍ଥିତି) କମ୍ କରିବା ଲାଗି ସରକାର ଶୁଳ୍କ ବୃଦ୍ଧି ପଦକ୍ଷେପ ନେଇଛନ୍ତି। ପୂର୍ବରୁ ସୁନା ଦାମ୍ ଉଚ୍ଚା ଥିବା ବେଳେ ଶୁଳ୍କ ବୃଦ୍ଧି କରାଯାଇଥିବାରୁ ତାହା ଆହୁରି ମହଙ୍ଗା ହୋଇଯିବ ଏବଂ ସୁନାର ଚାହିଦା ଯଥେଷ୍ଟ ପ୍ରଭାବିତ ହେବ।
ସୌଜନ୍ୟ ସମ୍ବାଦ