Site icon Swayam News

Health insurance: ଦେଶର ଅଭ୍ୟନ୍ତରକୁ ଭେଦିଲାଣି ସ୍ୱାସ୍ଥ୍ୟ ବୀମା ସଚେତନତା

ଆଜି ଭାରତରେ ଦଶଟି ନୂତନ ସ୍ୱାସ୍ଥ୍ୟ ବୀମା ପଲିସି ମଧ୍ୟରୁ ପ୍ରାୟ ଛଅଟି ବିକ୍ରି ହେଉଛି ମହାନଗର ବହିର୍ଭୂତ ଅଞ୍ଚଳରେ। ବୀମାର ପ୍ରାଥମିକ ଚାହିଦା କେନ୍ଦ୍ର ଭାବରେ ବିବେଚିତ ଟାୟାର-୧ ସହରଗୁଡ଼ିକୁ ପଛରେ ପକାଇ ଟାୟାର-୨ ଓ ଟାୟାର-୩ ଅଞ୍ଚଳଗୁଡ଼ିକ ସମ୍ପ୍ରତି ସ୍ବାସ୍ଥ୍ୟବୀମା ପଲିସି କ୍ରୟରେ ଆଗୁଆ ଅଛନ୍ତି। ଭାରତର ଆଭ୍ୟନ୍ତରୀଣ ଅଞ୍ଚଳରେ ସଚେତନତା, ଡିଜିଟାଲ୍ ପ୍ରବେଶ ଓ ସୁଲଭତା ବୀମାକୁ ସୁଦୂରପ୍ରସାରୀ କରିବାରେ ଲାଗିଛି। ‘ପଲିସିବଜାର’ ୱେବ୍‌ସାଇଟ୍‌ କରିଥିବା ଗତ ପାଞ୍ଚ ବର୍ଷର ତଥ୍ୟର ବିଶ୍ଳେଷଣରୁ ଏଭଳି ସାରାଂଶ ମିଳିଛି।

ସୂଚନାନୁଯାୟୀ, ଆର୍ଥିକ ବର୍ଷ ୨୦୨୨ରେ ସମସ୍ତ ସ୍ବାସ୍ଥ୍ୟ ବୀମା ପଲିସିରେ ଟାୟାର-୧ ସହରଗୁଡ଼ିକର ଭାଗୀଦାରି ୪୬% ଥିଲାବେଳେ ଟାୟାର-୨ ଓ ଟାୟାର-୩ କ୍ଷେତ୍ରଗୁଡ଼ିକ ମିଳିତ ଭାବରେ ୫୪%ର ଅଂଶୀଦାର ଥିଲେ। ତେବେ ଆର୍ଥିକ ବର୍ଷ ୨୦୨୬ ସୁଦ୍ଧା ଚିତ୍ର ଓଲଟିଯାଇଛି। ଟାୟାର-୧ର ଅଂଶ ୩୮%କୁ ଖସି ଆସିଥିବା ବେଳେ ଟାୟାର-୨ ଓ ଟାୟାର-୩ ମିଳିତ ଭାବରେ ନୂତନ ପଲିସିର ୬୨% ଆୟତ୍ତ କରିନେଇଛନ୍ତି। ଏଥିରୁ ସ୍ୱାସ୍ଥ୍ୟ ବୀମା ଆଉ ମେଟ୍ରୋ-ନେତୃତ୍ୱାଧୀନ ଏକ ପ୍ରସଙ୍ଗ ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଡିଜିଟାଲ୍ ଅନବୋର୍ଡିଂ, ଉନ୍ନତ ପହଞ୍ଚ ଓ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ନେଇ ସଚେତନତା ବୃଦ୍ଧି ଛୋଟ ସହରର ଲୋକମାନଙ୍କୁ ସ୍ବାସ୍ଥ ବୀମା କରିବା ପାଇଁ ଅଧିକ ପ୍ରୋତ୍ସାହିତ କରୁଛି। ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକମାେନ କେବଳ ସ୍ବାସ୍ଥ୍ୟ ବୀମା ଯୋଜନାରେ ସାମିଲ ହେଉ ନାହାନ୍ତି, ତାହାର ଗୁଣବତ୍ତାକୁ ମଧ୍ୟ ପ୍ରାଧାନ୍ୟ ଦେଉଛନ୍ତି। ପାରମ୍ପରିକ ଭାବରେ ଛୋଟ ସହରଗୁଡ଼ିକ ୩-୫ ଲକ୍ଷ ଟଙ୍କାର ବୀମାରାଶି କଭର ସହିତ ଜଡ଼ିତ ଥିଲାବେଳେ ଏବେ ଟାୟାର-୨ ସହରଗୁଡ଼ିକରେ ୧୦-୧୪ ଲକ୍ଷ ଟଙ୍କାର କଭରେଜ୍‌ ବିଶିଷ୍ଟ ବୀମା ପଲିସିର ଭାଗ ୨୦୨୨ରେ ୨୭% ଥିବା ବେଳେ ୨୦୨୬  ଆର୍ଥିକ ବର୍ଷରେ ୪୭% ହୋଇଛି। ଏହି ଅବଧି ମଧ୍ୟରେ ୧୫ ଲକ୍ଷ ଟଙ୍କାରୁ ଅଧିକ କଭର ଥିବା ପଲିସିଗୁଡ଼ିକର ଭାଗ ୧%ରୁ ୧୩%କୁ ବୃଦ୍ଧି ପାଇଛି।

ଏହି ପରିବର୍ତ୍ତନରୁ ଚିକିତ୍ସା ମୁଦ୍ରାସ୍ଫୀତି ନେଇ ବଢ଼ୁଥିବା ସଚେତନତାର ସୂଚନା ମିଳୁଛି ଏବଂ ଛୋଟ ସହରଗୁଡ଼ିକ ଉଚ୍ଚ ସ୍ୱାସ୍ଥ୍ୟସେବା ଖର୍ଚ୍ଚରୁ ମୁକ୍ତ ନୁହେଁ ବୋଲି ଧାରଣାକୁ ପ୍ରତିଫଳିତ କରୁଛି। ସେହିପରି ଛୋଟ ସହରଗୁଡ଼ିକରେ ଗ୍ରାହକମାନେ ଅଧିକ ବୀମାଭୁକ୍ତ ରାଶି କଭର, ଉନ୍ନତ ନବୀକରଣ ଆଚରଣ, ମଡ୍ୟୁଲାର୍ ଯୋଜନା ଏବଂ ଇଏମ୍‌ଆଇ ଭଳି ନମନୀୟ ପେମେଣ୍ଟ ବିକଳ୍ପଗୁଡ଼ିକୁ ବାଛିବାରେ ଲାଗିଛନ୍ତି। ଏଥି ସହିତ ପ୍ରିମିଅମ୍‌କୁ ଆଉ ଜିଏସ୍‌ଟି ପ୍ରଭାବିତ କରୁ ନଥିବାରୁ ପରିବାରଗୁଡ଼ିକ ବୀମା ପଲିସିକୁ କଷ୍ଟମାଇଜ୍ କରିବାକୁ ଅଧିକ ଇଚ୍ଛୁକ। ଅଣ-ମେଟ୍ରୋ ଗ୍ରାହକଙ୍କ ଏହି ବୃଦ୍ଧିକୁ ଲକ୍ଷ୍ୟ କରି ଏବେ ବୀମା କମ୍ପାନିମାେନ ସେମାନଙ୍କ ଚାହିଦା ଅନୁସାରେ ପଲିସି ଓ ଦେୟ ନିର୍ଦ୍ଧାରଣ କରୁଛନ୍ତି। ଏହା ନିଃସନ୍ଦେହ ଯେ ଅଧିକରୁ ଅଧିକ ଲୋକ ସ୍ବାସ୍ଥ୍ୟ ବୀମା କରିବା ଦ୍ବାରା ସେମାନଙ୍କ ଚିକିତ୍ସାଜନିତ ଆର୍ଥିକ ଅସ୍ଥିରତାର ଭୟ ଦୂର ହୋଇପାରୁଛି।

ସୌଜନ୍ୟ ସମ୍ବାଦ

Exit mobile version