Heavy Rain Alert: ଆଜି ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ, କାଲିଠୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର,୦୪/୦୮: ମହାନଦୀରେ ପାଣି ଖସୁଛି । ନରାଜଠାରେ ପାଣି ବିପଦ ସଙ୍କେତ ତଳେ ରହିଛି । ଖଇରମାଳ, ବରମୂଳ ଓ ମୁଣ୍ଡଳିରେ ପାଣି କମିଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୬୧୯.୬୨ ଫୁଟକୁ ଖସିଛି । ପାଣି କମୁଥିବାରୁ ହୀରାକୁଦର ଆଉ ଗେଟ୍ ବନ୍ଦ କରାଯାଇଛି । ୧୭ଟି ଗେଟ୍ ଦେଇ ୨ ଲକ୍ଷ ୫୬ହଜାର ଘନଫୁଟ ପାଣି ନିଷ୍କାସିତ ହେଉଥିଲା ।
ରାତି ୯ଟା ସୁଦ୍ଧା ହୀରାକୁଦକୁ ୧ଲକ୍ଷ ୯ହଜାର ଘନଫୁଟ ପାଣି ପ୍ରବେଶ କରୁଥିଲା । ଖଇରମାଳରେ ୩ଲକ୍ଷ ୮୫ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିବାବେଳେ ବରମୂଳରେ ୪ଲକ୍ଷ ୨୪ହଜାର ଘନଫୁଟ ଓ ମୁଣ୍ଡଳୀରେ ୫ଲକ୍ଷ ୮୨ହଜାର ୮୬୫ ଘନଫୁଟ ପାଣି ପ୍ରବାହିତ ହେଉଥିଲା । ସେପଟେ ମହାନଦୀର ତଳମୁଣ୍ଡରୁ ପାଣି ଖସିଗଲାଣି ।
ମଙ୍ଗଳବାର ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଅଧିକ ପଢ଼ନ୍ତୁ :- ଟ୍ରକରୁ ୨୩ ହଜାର କଫ୍ ସିରପ୍ ବୋତଲ ଜବତ, ୨ ଗିରଫ
୫ ତାରିଖ (ବୁଧବାର) ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ୬ ଓ ୭ ତାରିଖରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୮ ଓ ୯ ତାରିଖରେ କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସୌଜନ୍ୟ ପ୍ରମେୟ




