ଇସଲାମାବାଦ୍: ଆଦିଆଲା ଜେଲରେ ବନ୍ଦୀ ଥିବା ପାକିସ୍ତାନର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ନଥିବା ଖବର ପ୍ରକାଶ ପାଇବା ପରେ ଦେଶବ୍ୟାପୀ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଛି। ଇମ୍ରାନ ଖାନଙ୍କୁ ତୁରନ୍ତ ଜେଲରୁ ବାହାର କରି ତାଙ୍କର ଚିକିତ୍ସା କରାଇବା ଦାବିରେ ପାକିସ୍ତାନ ତେହେରିକ୍-ଏ-ଇନସାଫ(ପିଟିଆଇ)ର କର୍ମଚାରୀମାନେ ଇସଲାମାବାଦ, କରାଚୀ, ସ୍ବାବୀ ଓ ରାଵଲପିଣ୍ଡି ଭଳି ବିଭିନ୍ନ ସହରରେ ରାସ୍ତାରୋକ କରିଛନ୍ତି। ସରକାରଙ୍କ ବିରୋଧରେ ନାରାବାଜୀ କରିବା ସହ ଇସଲାମାବାଦ୍, ରାଵଲପିଣ୍ଡିରେ ଟାୟାର ଜାଳି କର୍ମୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ଏହି ଘଟଣା ଉପରେ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପରେ, ଶେହବାଜ ସରିଫ ସରକାର ଇମ୍ରାନଙ୍କୁ ଜେଲରୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି। ଇମ୍ରାନ ଖାନଙ୍କ ଉତ୍ତମ ଚିକିତ୍ସା ପାଇଁ ସରକାର ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ଗଠନ କରିଛନ୍ତି। ରାୱଲପିଣ୍ଡିର ଅଲ୍ ଶିଫା ଚକ୍ଷୁ ହସ୍ପିଟାଲର ଡାକ୍ତର ମହମ୍ମଦ ଅମଜାଦ ଓ ଡାକ୍ତର ନଦୀମ କୁରେଶୀଙ୍କୁ ଏହି ଟିମରେ ସାମିଲ ଅଛନ୍ତି। ସେପଟେ କିନ୍ତୁ ପ୍ରତିବାଦ ଜାରି ରଖିଛି ”ପିଟିଆଇ”।

