India-EU free trade agreement: ଭାରତ-ଇୟୁ ମୁକ୍ତ ବାଣିଜ୍ୟ ରାଜିନାମା ବିଷୟରେ ୨୪ଟି ୟୁରୋପୀୟ ଭାଷାରେ ପୋଷ୍ଟ କଲେ ମୋଦୀ

ମଙ୍ଗଳବାର ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ସେମାନଙ୍କର ବାଣିଜ୍ୟ ଚୁକ୍ତି କରିବା ପରେ ଏହା ବିଷୟରେ ୨୪ଟି ଭିନ୍ନ ୟୁରୋପୀୟ ଭାଷାରେ ପୋଷ୍ଟ କରିଥିଲେ। ଏହା ଦ୍ବାରା ସେ ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ପାରିଥିଲେ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଥମ ଥର ଲୋକସଭା ନିର୍ବାଚନ ଜିତି ପ୍ରଧାନମନ୍ତ୍ରୀ ହେବା ପରେ ବ୍ରିଟେନର ଏକ ଖବରକାଗଜ ତାଙ୍କୁ ଭାରତର ପ୍ରଥମ ସାମାଜିକ ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ଭାବେ ବର୍ଣ୍ଣନା କରିଥିଲା। ବାର ବର୍ଷ ପରେ ମୋଦୀ ସାମାଜିକ ଗଣମାଧ୍ୟମ ଦ୍ବାରା କେମିତି ସାରା ବିଶ୍ବକୁ ନିଜ ହାତମୁଠାରେ ରଖି ହେବ ସେଥିରେ ସିଦ୍ଧହସ୍ତ ହୋଇପାରିଛନ୍ତି। ମଙ୍ଗଳବାର ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ସେମାନଙ୍କର ବାଣିଜ୍ୟ ଚୁକ୍ତି ଘୋଷଣା କରିବା ସମୟରେ ମୋଦୀ ତାଙ୍କର ଏହି ଦକ୍ଷତା ପ୍ରଦର୍ଶନ କରିଥିଲେ।

୨୪ଟି ଭିନ୍ନ ୟୁରୋପୀୟ ଭାଷାରେ ପୋଷ୍ଟ କଲେ ମୋଦୀ

ପ୍ରଧାନମନ୍ତ୍ରୀ ମୋଦୀ ଏହି ଐତିହାସିକ ବାଣିଜ୍ୟିକ ରାଜିନାମା ସମ୍ପର୍କରେ ୨୪ଟି ଭିନ୍ନ ୟୁରୋପୀୟ ଭାଷାରେ ପୋଷ୍ଟ କରି ଲକ୍ଷ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚି ପାରିଥିଲେ। ମୋଦୀ ତାଙ୍କ ‘ଏକ୍ସ’ ପୋଷ୍ଟରେ ଲେଖିଥିଲେ, “ଭାରତ-ୟୁରୋପୀୟ ସଂଘର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଏହାକୁ ସମ୍ଭବ କରିବାରେ ବର୍ଷ ବର୍ଷ ଧରି ୟୁରୋପର ସମସ୍ତ ନେତାଙ୍କ ଗଠନମୂଳକ ମନୋଭାବ ଏବଂ ପ୍ରତିବଦ୍ଧତା ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଏହି ଚୁକ୍ତିନାମା ଅର୍ଥନୈତିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବ, ଆମ ଲୋକଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ଏବଂ ଏକ ସମୃଦ୍ଧ ଭବିଷ୍ୟତ ପାଇଁ ଭାରତ-ୟୁରୋପ ସହଭାଗିତାକୁ ସୁଦୃଢ଼ ​​କରିବ।”

ଭୂରାଜନୈତିକ ବିଶେଷଜ୍ଞମାନେ ଏହାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବହୁଭାଷୀ ମାଷ୍ଟରଷ୍ଟ୍ରୋକ୍‌ ଭାବେ ଅଭିହିତ କରିଛନ୍ତି। ଗୋଟିଏ ବାର୍ତ୍ତା ସହିତ ମୋଦୀ ବ୍ୟକ୍ତିଗତ ଭାବରେ ୟୁରୋପୀୟ ସଂଘର ସମସ୍ତ ୨୭ ରାଷ୍ଟ୍ରଙ୍କ ପାଖରେ ପହଞ୍ଚି ପାରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ ଭାରତ ଏବଂ ୟୁରୋପୀୟ ସଂଘ ପାଇଁ ଏହି ବାଣିଜ୍ୟ ଚୁକ୍ତି କେବଳ ବ୍ୟବସାୟିକ ନୁହେ, ବରଂ ଅଧିକ ବ୍ୟକ୍ତିଗତ ଥିଲା।

ଫ୍ରେଞ୍ଚ, ଜର୍ମାନ, ଗ୍ରୀକ୍, ଇଟାଲିଆନ୍‌…

ଟ୍ରମ୍ପଙ୍କ କଠୋର ବାଣିଜ୍ୟ ରଣନୀତି ଏବଂ ଶୁଳ୍କ ନୀତିରେ ଉଭୟ ଭାରତ ଏବଂ ୟୁରୋପୀୟ ସଂଘ ହତଚକିତ ହୋଇଯାଇଛନ୍ତି। ଟ୍ରମ୍ପ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରି ଆମେରିକା ସପକ୍ଷରେ ଏକ ଏକପାଖିଆ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିବାକୁ ଚାପ ପକାଉଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ ତାଙ୍କ ଗ୍ରିନଲ୍ୟାଣ୍ଡ ଦଖଲ ଅଭିଳାଷକୁ ସମର୍ଥନ କରିବା ପାଇଁ ୟୁରୋପ ଉପରେ ଚାପ ପକାଉଛି। ମୋଦୀ ଫ୍ରେଞ୍ଚ, ଜର୍ମାନ, ଗ୍ରୀକ୍, ଇଟାଲିଆନ୍‌, ବୁଲଗେରିଆନ୍, କ୍ରୋଏସିଆନ୍, ଚେକ୍, ଡେନିସ୍, ଡଚ୍, ଏଷ୍ଟୋନିଆନ୍, ଫିନିଶ୍, ହଙ୍ଗେରିଆନ୍, ଆଇରିସ୍‌, ଲାଟଭିଆନ୍, ଲିଥୁନିଆନ୍, ମାଲ୍ଟିଜ୍, ପୋଲିଶ୍, ପର୍ତ୍ତୁଗିଜ୍, ରୋମାନିଆନ୍, ସ୍ଲୋଭାକ୍, ସ୍ଲୋଭେନିଆନ୍, ସ୍ପେନିସ୍ ଏବଂ ସ୍ୱିଡିସ୍ ଭାଷାରେ ପୋଷ୍ଟ କରିଥିଲେ।

ହିନ୍ଦୀ ଭାଷାରେ ପୋଷ୍ଟ କଲେ ବିଦେଶୀ ନେତା

ଫିନଲ୍ୟାଣ୍ଡ ରାଷ୍ଟ୍ରପତିଙ୍କ ସମେତ ଅନେକ ନେତା ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୋଷ୍ଟର ଜବାବରେ ବାଣିଜ୍ୟ ଚୁକ୍ତି ଉପରେ ହିନ୍ଦୀରେ ପୋଷ୍ଟ କରିଥିଲେ। ୟୁରୋପୀୟ କମିଶନର ରାଜନୈତିକ ସମାଲୋଚକ ଡକ୍ଟର କ୍ରିଷ୍ଟିନା ଭାନବର୍ଗେନ୍ ଏହାକୁ ଏକ ସମୟରେ ୨୭ଟି ରାଷ୍ଟ୍ର ପାଇଁ ମୋଦୀଙ୍କର ଏକ ସୁନ୍ଦର ଉପହାର ଭାବେ ବର୍ଣ୍ଣନା କରିବା ସହିତ ବାଣିଜ୍ୟିକ କାରବାର ଉଦ୍ଦେଶ୍ୟରେ ଏକବିଂଶ ଶତାବ୍ଦୀର ସର୍ବୋତ୍ତମ କୂଟନୀତି ବୋଲି କହିଥିଲେ। ଭୂରାଜନୈତିକ ବିଶେଷଜ୍ଞ ମାରିଓସ୍ କାରାଟଜିଆସ୍ କହିଛନ୍ତି, ଡିଜିଟାଲ ଯୁଗରେ ମୋଦୀଙ୍କ ପରି ନେତାମାନେ ବିଶ୍ୱବାସୀଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରିବା ପାଇଁ ସୋସିଆଲ ମିଡିଆର ଉପଯୋଗ କରୁଛନ୍ତି ଯାହା ହୃଦୟସ୍ପର୍ଶୀ, ପ୍ରେରଣାଦାୟକ ଏବଂ ପ୍ରଭାବଶାଳୀ।

 

 

 

ସୌଜନ୍ୟ ସମ୍ବାଦ

Exit mobile version