କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଶୁକ୍ରବାର ତିନିଜଣ ଖେଳାଳି ଦୁଷ୍ମନ୍ତ ଚମିରା, ପଥୁମ୍ ନିଶଙ୍କା ଓ କାମିନ୍ଦୁ ମେଣ୍ଡିସ୍ଙ୍କୁ ଆଇପିଏଲ୍ ଖେଳିବାକୁ ସବୁଜ ସଂକେତ ପ୍ରଦାନ କରିଛି। ଏହି ଖେଳାଳିମାନେ ଫିଟ୍ନେସ୍ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପରେ ସେମାନଙ୍କୁ ବୋର୍ଡ ପକ୍ଷରୁ ଆପତ୍ତି ବିହୀନ ପ୍ରମାଣପତ୍ର(ଏନଓସି) ପ୍ରଦାନ କରିଛି। ଚମିରା ଓ ନିଶଙ୍କା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିବାକୁ ଥିବାବେଳେ ମେଣ୍ଡିସ୍ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳିବେ। ତେବେ ଆଉ ତିନି ଖେଳାଳି ମଥିସା ପଥିରାଣା, ଓ୍ବାନିଣ୍ଡୁ ହସରଙ୍ଗା, ନୁଓ୍ବାନ ତୁଷାରା ଓ ଏସାନ ମାଲିଙ୍ଗାଙ୍କ ଶାରିରୀକ ପ୍ରଦର୍ଶନ ପରୀକ୍ଷା ବାକିଥିବାରୁ ସେମାନଙ୍କୁ ଏନଓସି ପ୍ରଦାନ କରାଯାଇନାହିଁ।
ଏପ୍ରିଲ ସୁଦ୍ଧା ଦଳରେ ଯୋଗ ଦେବାର ସମ୍ଭାବନା ରହିଛି
ଗତକାଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଚିବ ବନ୍ଦୁଲା ଦିଶାନାୟକେ କହିଥିଲେ ଯେ ମଥିସାଙ୍କ ଆହତ ସମସ୍ୟାର ଉପଶମ ହୋଇଛି ଏବଂ ସେ ଖେଳିବାକୁ ସଂପୂର୍ଣ୍ଣ ଫିଟ୍ ହୋଇଛନ୍ତି। ତେବେ ତାଙ୍କର ଔପଚାରିକ ଶାରିରୀକ ପରୀକ୍ଷା ପରେ ତାଙ୍କୁ ଏନଓସି ଦିଆଯିବ। ଅନ୍ୟପକ୍ଷରେ କେକେଆର୍ ମୁଖ୍ୟ ପ୍ରଶିକ୍ଷକ ଅଭିଷେକ ନାୟାର କହିଛନ୍ତି ଯେ ପଥିରାଣା ଏପ୍ରିଲ ସୁଦ୍ଧା ଦଳରେ ଯୋଗ ଦେବାର ସମ୍ଭାବନା ରହିଛି।
ସୌଜନ୍ୟ ସମ୍ବାଦ
