Cricket: ତୃତୀୟ ଟ୍ବେଣ୍ଟି-୨୦: ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ନ୍ୟୁଜିଲାଣ୍ଡ

ଇଡେନ ପାର୍କଠାରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଏହା ସହିତ ଏହି ପାଞ୍ଚ ମ୍ୟାଚ୍‌ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି ଘରୋଇ ଦଳ।

ଅକ୍‌ଲାଣ୍ଡ: ଇଡେନ ପାର୍କଠାରେ ଶୁକ୍ରବାର ଖେଳାଯାଇଥିବା ତୃତୀୟ ଟ୍ବେଣ୍ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ଏହା ସହିତ ଏହି ପାଞ୍ଚ ମ୍ୟାଚ୍‌ ଶୃଙ୍ଖଳାରେ ୨-୧ରେ ଆଗୁଆ ହୋଇଯାଇଛି ଘରୋଇ ଦଳ।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ନିଜର ଆଗଧାଡ଼ି ବ୍ୟାଟରଙ୍କ ଚରମ ବିଫଳତା ଯୋଗୁଁ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୩୬ ରନ୍‌ କରିଥିଲା। ନିଜର ବରିଷ୍ଠ ବ୍ୟାଟରମାନଙ୍କୁ ବିଶ୍ରାମ ଦେଇ କିଛି ନବାଗତ ଓ ଅନଭିଜ୍ଞ ବ୍ୟାଟର୍‌ଙ୍କ ସହ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡର ଅଭିଜ୍ଞ ପେସ୍‌ ଆକ୍ରମଣ ଆଗରେ ତିଷ୍ଠି ପାରିନଥିଲା। ନିଜ କ୍ୟାରିୟରର ୩ୟ ଟ୍ବେଣ୍ଟି-୨୦ ଖେଳୁଥିବା ଏନକୋବାନି ମୋକୋଏନା ସର୍ବାଧିକ ୨୬ ରନ୍‌ କରିଥିବାବେଳେ ଜର୍ଜ ଲିଣ୍ଡେ ୨୩ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ୍‌ ପକ୍ଷରୁ ବେନ୍‌ ସିଅର୍ସ, କାଇଲ୍‌ ଜେମିସନ୍‌ ଓ ମିଚେଲ୍‌ ସାଣ୍ଟନର୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

୧୩୭ ରନ୍‌ର ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ ଟମ୍‌ ଲିଥାମ୍‌ଙ୍କ ଅର୍ଦ୍ଧଶତକ (୫୫ ବଲ୍‌ରୁ ୬୩ ରନ୍‌) ବଳରେ ୧୬.୨ ଓଭରରେ ୨ ୱିକେଟ୍‌ ହରାଇ ହାସଲ କରିନେଇଥିଲା। ଲିଥାମ୍‌ ନିଜର ସାଥୀ ଓପନର ଡେଓ୍ବନ୍‌ କନଓ୍ବେ (୨୬ ବଲ୍‌ରୁ ୩୯ ରନ୍‌)ଙ୍କ ମିଶି ପ୍ରଥମ ୱିକେଟ୍‌ ଯୋଡ଼ିରେ ୯୬ ରନ୍‌ କରିବା ସହ ଦଳୀୟ ବିଜୟ ପାଇଁ ପଥ ପ୍ରଶସ୍ଥ କରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଥୋ ସିମ୍ପାଲା ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସୌଜନ୍ୟ ସମ୍ବାଦ

Exit mobile version