ୟୁସାନ୍ (ଚୀନ୍): ଚଳିତ ବିଶ୍ବ ଓପନ୍ ସ୍ନୁକର ପ୍ରତିଯୋଗିତାରେ ନୂଆ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। ଇଂଲଣ୍ଡର ରୋନି ଓ’ ସୁଲିଭାନ୍ ସର୍ବୋଚ୍ଚ ବ୍ରେକ୍ ସ୍କୋର୍ ୧୫୩ ସହିତ ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ନିଜ ଆସାଧାରଣ ଏକାଗ୍ରତା ଓ କଳାର ଚମତ୍କାର ପ୍ରଦର୍ଶନ କରି ରୋନି ୨୨ ବର୍ଷ ତଳର ବିଶ୍ବ ରେକର୍ଡକୁ ପଛରେ ପକାଇଦେଇଛନ୍ତି। ପୂର୍ବ ରେକର୍ଡ ଜାମି ବର୍ନେଟ୍ଙ୍କ ନାମରେ ଥିଲା। ୨୦୦୪ ମସିହାର ୟୁକେ ଚାମ୍ପିୟନସିପ୍ କ୍ବାଲିଫାୟର୍ସରେ ଜାମି ୧୪୮ ବ୍ରେକ୍ ପଏଣ୍ଟ୍ ସ୍କୋର୍ କରିଥିଲେ। ଶୁକ୍ରବାର ରୋନି ଫ୍ରି ବଲ୍ର ଉପଯୋଗ କରି ଗୋଟିଏ ଗ୍ରିନ୍ ପଟିଂ ଓ ଅତିରିକ୍ତ ରେଡ୍ ବଲ୍ ଖେଳି ରେକର୍ଡ କରିଥିଲେ। ୧୫୩ ବ୍ରେକ୍ ପଏଣ୍ଟ୍ରେ ୧୫ ରେଡ୍, ୧୩ ବ୍ଲାକ୍, ୨ ପିଙ୍କ୍ ବଲ୍ ସହ ସବୁ କ୍ଲିୟର୍ କରିଥିଲେ।
ଚଳିତ ବିଶ୍ବ ଓପନ୍ର ରୢାନ୍ ଡେ’ଙ୍କ ବିପକ୍ଷ କ୍ବାର୍ଟରଫାଇନାଲ୍ରେ ରୋନି ଏହି ରେକର୍ଡ କରିଥିଲେ। ଫ୍ରେମ୍ ଆରମ୍ଭରୁ ରୢାନ୍ ଡେ’ ହିଟ୍ କରିବାରେ ବିଫଳ ହେବାରୁ ୭ ଥର ବିଶ୍ବ ବିଜେତା ୫୦ ବର୍ଷୀୟ ରୋନି ଏହାର ଫାଇଦା ନେଇ ଦକ୍ଷତାର ଭରପୂର ପ୍ରଦର୍ଶନ କରିଥିଲେ। ୫-୦ରେ ବିଜୟୀ ହୋଇ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ‘ଏହା ଏକ ଶୀତଳ ମୁହୂର୍ତ ଥିଲା, ରେକର୍ଡ କରିପାରିଥିବାରୁ ଖୁସି ହୋଇଛି। ମୋତେ ସମର୍ଥନ କରିଥିବା ସମସ୍ତଙ୍କୁ ଧନ୍ୟବାଦ’ ବୋଲି ରୋନି ‘ଏକ୍ସ’ ଭିଡିଓ ପୋଷ୍ଟରେ ଛାଡ଼ିଥିବା ଏକ ଭିଡିଓରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସ୍ନୁକରରେ ସର୍ବୋଚ୍ଚ ସମ୍ଭାବ୍ୟ ବ୍ରେକ୍ ୧୪୭ ସ୍କୋର୍କୁ ଏହି ବ୍ରିଟିସ୍ ତାରକା ପୂର୍ବରୁ ୧୭ ଥର ଛୁଇଁଥିଲେ।
ସୌଜନ୍ୟ ସମ୍ବାଦ
