IPL 2026 : ଘରୋଇ ଗ୍ରାଉଣ୍ଡରେ ଟାଇଟନ୍ସକୁ ଭେଟିବ ଆରସିବି: ଫୋକସରେ ବିରାଟ ଏବଂ ଗିଲ୍

ବେଙ୍ଗାଲୁରୁ, ୨୪/୦୪ : ଆଇପିଏଲର ୩୪ତମ ଲିଗ୍ ମ୍ୟାଚରେ ଶୁକ୍ରବାର ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜୁରାଟ ଟାଇଟନ୍ସ । ଘରୋଇ ଗ୍ରାଉଣ୍ଡରେ ଗୁଜରାଟକୁ ଭେଟିବ ଆରସିବି । ଏହି ମ୍ୟାଚ ଜରିଆରେ ଭାରତୀୟ କ୍ରିକେଟର୍ କିଙ୍ଗ୍ ବିରାଟ କୋହଲି ଓ ପ୍ରିନ୍ସ ଶୁଭମନ ଗିଲ୍ ନିଜ ନିଜର ଦବଦବା ଜାହିର କରିବାକୁ ଉଦ୍ୟମ କରିବେ । ନିଜ ନିଜର ଶେଷ ମ୍ୟାଚରେ ପରାଜିତ ହୋଇଥିବା ଉଭୟ ଦଳ ବିଜୟଧାରାକୁ ଫେରିବା ପାଇଁ ତତ୍ପର ରହିଥିବାରୁ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିପାରେ ।

ଶେଷ ମ୍ୟାଚରେ ପରାସ୍ତ

ବେଙ୍ଗାଲୁରୁ ଗତ ୧୮ ତାରିଖରେ ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀଠାରୁ ପରାଜିତ ହୋଇଥିଲା । ଦିଲ୍ଲୀର ଶୃଙ୍ଖଳିତ ବୋଲିଂ ଓ ଚତୁର ରଣନୀତି ଆଗରେ ବେଙ୍ଗାଲୁରୁ ଫେଲ ମାରିଥିଲା। ଗୁଜରାଟ ଦଳ ମଧ୍ୟ ଚତୁର ରଣନୀତି ପାଇଁ ପରିଚିତ । ଆଶିଷ ନେହରାଙ୍କ ଅଧିନରେ ଗିଲଙ୍କ ଦଳ ସର୍ବଦା ଶୃଙ୍ଖଳିତ ପ୍ରଦର୍ଶନ ଉପରେ ଗୁରୁତ୍ୱ ଦେଇ ଆସିଛି । ଫଳରେ ଉଭୟ ଦଳର ରଣନୀତି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବା ନିଶ୍ଚିତ । ଖାଲି ସେତିକି ନୁହେଁ, ଉଭୟ ଦଳର ପେସ୍ ବୋଲିଂ ବିଭାଗ ମଧ୍ୟରେ ମଧ୍ୟ ଏକ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ ।

ରେକର୍ଡ ବରାବର

ଏହି ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ପରସ୍ପରକୁ ୬ ଥର ଭେଟିଛନ୍ତି ଓ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଗତବର୍ଷ ଗୁଜରାଟ ୬ ୱିକେଟ୍ରେ ବେଙ୍ଗାଲୁରୁକୁ ହରାଇଥିଲା । ଏଥର ବେଙ୍ଗାଲୁରୁ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ । କୋହଲି ଗୋଟିଏ ଛକା ମାରିଲେ ୩୦୦ ଆଇପିଏଲ୍ ଛକା କ୍ଲବରେ ସାମିଲ ହେବେ । ପୂର୍ବରୁ କେବଳ କ୍ରିସ ଗେଲ ଓ ରୋହିତ ଶର୍ମା ଏହି କ୍ଲବରେ ରହିଛନ୍ତି ।

ଆରସିବିରେ ପରିବର୍ତ୍ତନ ସମ୍ଭାବନା କମ୍

ବେଙ୍ଗାଲୁରୁ ଦଳରେ ପରିବର୍ତ୍ତନ ସମ୍ଭାବନା ନାହିଁ । ମାତ୍ର ଗୁଜରାଟ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିପାରେ । ଫର୍ମ ହରାଇଥିବା ଶାହରୁଖ ଖାନ କିମ୍ବା ରାହୁଲ ତେୱାତିଆଙ୍କ ସ୍ଥାନରେ କୁମାର କୂଶାଗ୍ରଙ୍କୁ ଖେଳିବାକୁ ସୁଯୋଗ ମିଳିପାରେ । ଗୁଜରାଟ ମଧ୍ୟ ଫର୍ମରେ ରହିଥିବା ଜାସନ ହୋଲ୍ଡରଙ୍କୁ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳାଇବା ଆଶା କରାଯାଉଛି ।

ବ୍ୟାଟିଂ ପିଚ୍

ଚିନ୍ନାସ୍ୱାମୀ ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍ ଫିଲ୍ଡ ଯୋଗୁଁ ବିଶାଳ ସ୍କୋର ହେବା ଏକ ପ୍ରକାର ନିଶ୍ଚିତ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସୌଜନ୍ୟ Prameya News7