ଖେଳଜାତୀୟ

IPL 2026 GTvs RR: ପୁଣି ଶତକରୁ ଅଳ୍ପକେ ବଞ୍ଚିତ ହେଲେ ସୂର୍ଯ୍ୟବଂଶୀ, ଗୁଜରାଟକୁ ୨୧୫ ରନ୍ ଟାର୍ଗେଟ୍ ଦେଲା ରାଜସ୍ଥାନ

GTvs RR: ଶୁକ୍ରବାର ମୁଲାନପୁରର ମହାରାଜା ଯାଦବୀନ୍ଦ୍ର ସିଂହ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ IPL 2026  କ୍ୱାଲିଫାୟର୨ରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମୁହାଁମୁହିଁ ହୋଇଛନ୍ତି। ଆଜିର ମ୍ୟାଚ୍‌ରେ ରାଜସ୍ଥାନ କ୍ୟାପ୍ଟେନ ରିୟାନ ପରାଗ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ ହରାଇ ୨୧୪ ରନ୍ କରିଛି। ମ୍ୟାଚ୍ ଜିତିବାକୁ ହେଲେ ଗୁଜରାଟ କୁ ୨୧୫ ରନ୍ କରିବାକୁ ପଡ଼ିବ। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ସର୍ବାଧିକ ୯୬ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡ଼େଜା ୪୫ ଓ ଡୋନୋଭନ ପରେରା ଧୂଆଁଧାର ୩୮ ରନ୍ ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ର ଯିଏ ଜିତିବ ସେ ମେ ୩୧ ତାରିଖରେ ଅହମ୍ମଦାବାଦରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ IPL 2026 ଫାଇନାଲ ମ୍ୟାଚ୍‌ ଖେଳିବ।

ରାଜସ୍ଥାନ ବ୍ୟାଟିଂ

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ରାଜସ୍ଥାନ ରୟାଲ୍ସ ଏକ ବଡ଼ ସ୍କୋର କରିବା ଲକ୍ଷ୍ୟ ରଖିଥିଲା। ହେଲେ ଦଳ ଆରମ୍ଭ ଖରାପ ପ୍ରଦର୍ଶନ କରିଥିଲା। ମହମ୍ମଦ ସିରାଜଙ୍କ ପ୍ରଥମ ଓଭରର ଚତୁର୍ଥ ବଲ୍ରେ ଯଶସ୍ୱୀ ଜୟସ୍ୱାଲ (୧) ଆଉଟ୍ ହୋଇଥିଲେ। ଧ୍ରୁବ ଜୁରେଲ (୭) ମଧ୍ୟ ଆଜି ନିରାଶ କରିଥିଲେ। କାଗିସୋ ରାବାଡ଼ାଙ୍କ ବଲ୍ରେ ଶୁଭମନ ଗିଲଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ। ତା’ପରେ ରବିନ୍ଦ୍ର ଜାଡେଜା ଆସି ପ୍ରଥମ ବଲ୍ରେ ଚୌକା ମାରିଥିଲେ। ଇନିଂସର ତୃତୀୟ ଓଭର ମହମ୍ମଦ ସିରାଜ କରିଥିବା ବେଲେ ବୈଭବ ଏଥିରେ ୨୦ ରନ୍ ସଂଗ୍ରହ କରିଥିଲେ। ଏହାପରେ ଜାଡ଼େଜା ରିଟାର୍ଡ ହଟ୍ ହେବା ପରେ ଯଦିଓ କ୍ୟାପ୍ଟେନ୍ ରିୟାନ ପରାଗ (୧୧) ବ୍ୟାଟିଂ କରିବାକ ଆସିଥିଲେ। ହେଲେ ପୁଣି ଥରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଥିଲେ। ଦାସୁନ ଶାନାକା ମାତ୍ର ୩ ରନ୍ ପାଇଁ ଜାସନ ହୋଲ୍ଡରଙ୍କ ବଲରେ ଆଉଟ ହୋଇ ପାଭିଲିଅନ ଫେରିଥିଲେ। ଜୋଫ୍ରା ଆର୍ଚର ୭ ରନ୍ କରି ଆଉଟ୍ ହୋଇଥିଲେ।

ଏଭଳି ୱିକେଟ୍ ପତନ ମଧ୍ୟରେ, ବୈଭବ ସୂର୍ଯ୍ୟବଂଶୀ ୩୧ ବଲରେ ତାଙ୍କର ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଦଳର ଆବଶ୍ୟକତାକୁ ଦେଖି ଆଜି ସେ ଖୁବ୍ ରକ୍ଷଣଶୀଳ ଭାବେ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଆଜି ସେ ସବୁଠାରୁ ଧୀରଗତିରେ ଅର୍ଦ୍ଧଶତକ ହାସଲ କରିଥିଲା। ସେ ୪୭ ବଲରେ ୯୬ ରନ୍ ର ଇନିଂସ ଖେଳି ଆଉଟ୍ ହୋଇଥିଲେ। କାଗିସୋ ରାବାଡାଙ୍କ ବୋଲିଂରେ ପ୍ରସିଦ୍ଧ କୃଷ୍ଣଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ବୈଭବ। ବୈଭବ ତାଙ୍କ ଇନିଂସରେ ୮ ଚୌକା ଏବଂ ୭ ଛକା ମାରିଥିଲେ। ଏହା ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଏଲିମିନେଟର ମ୍ୟାଚରେ ମଧ୍ୟ ସେ ୯୭ ରନ୍ ରେ ଆଉଟ୍ ହୋଇଥିଲେ।

ସେହିପରି ଜାଡେଜା ୪୫ ରନ କରି ଅପରାଜିତ ଥିବା ବେଳେ ଶେଷ ବେଳକୁ ବ୍ୟାଟିଂ ଆସିଥିବା ଡୋନୋଭାନ୍ ଫେରେରା ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ପୁଣି ଥରେ ୧୧ ବଲରେ ୩୮ ରନର ଦ୍ରୁତ ଇନିଂସ ଖେଳିଥିଲେ। ଗୁଜୁରାଟ ପକ୍ଷରୁ କାଗିସୋ ରାବାଡ଼ା ଏବଂ ଜାସନ୍ ହୋଲ୍ଡର୍ ଦୁଇଟି ଲେଖାଏ ସଫଳତା ପାଇଥିଲେ।

 

 

 

ସୌଜନ୍ୟ Prameya News7

Show More
Back to top button