ୱାସିଂଟନ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଜି ୨୦ ଦିନରେ ପହଞ୍ଚିଥିବା ବେଳେ ଏହା ଏକ ସମ୍ପୂର୍ଣ୍ଣ ତୈଳଯୁଦ୍ଧରେ ପରିଣତ ହୋଇଛି। ଆଜି ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ କହିଛନ୍ତି, ଇରାନ ପୁଣିଥରେ ସବୁଠାରୁ ଭୟଙ୍କର ଆକ୍ରମଣ ଦେଖିବ। ସେ କହିଛନ୍ତି, ଏବେ ଚାଲିଥିବା ଉପସାଗରୀୟ ଯୁଦ୍ଧ ଆମେରିକାର ସର୍ତ୍ତ ଅନୁଯାୟୀ ଶେଷ ହେବ ଏବଂ ଏହି ମିସନ ଶେଷ କରିବାପାଇଁ ଆମେରିକା ପ୍ରତିବଦ୍ଧ। ଆମେରିକା ପ୍ରତିରକ୍ଷା ସଚିବ କହିଛନ୍ତି, ଜାରି ରହିଥିବା ଯୁଦ୍ଧରେ ଆମେରିକା ସେନା ଏଯାବତ ଇରାନରେ ୭ ହଜାରରୁ ଅଧିକ ଟାର୍ଗେଟ୍ ଉପରେ ଆକ୍ରମଣ କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ ଦେଖିବ। ହେଗସେଥ କହିଛନ୍ତି, ଆମ ସାମର୍ଥ୍ୟ ଲଗାତାର ବଢ଼ିବାରେ ଚାଲିଛି ଏବଂ ଇରାନର ସାମର୍ଥ୍ୟ ଦୁର୍ବଳ ହେବାରେ ଲାଗିଛି।
ଆମେରିକାର ସର୍ତ୍ତରେ ଉପସାଗରୀୟ ଯୁଦ୍ଧ ଶେଷ ହେବ
ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବଂସ ହୋଇଯାଇଛି ବୋଲି ସେ କହିଛନ୍ତି। ଖାର୍ଗ ଦ୍ବୀପରେ ଇରାନର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଦ୍ବାରା ଇରାନର ନିୟନ୍ତ୍ରଣ ଆମେରିକା ହାତକୁ ଆସିଛି। ହେଗସେଥ କହିଛନ୍ତି, ଇରାନ ଯୁଦ୍ଧରେ ପ୍ରାଣ ହରାଇଥିବା ଆମେରିକୀୟ ସୈନିକଙ୍କ ଦେହାବଶେଷ ଆଣିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଦେଶ ସେମାନଙ୍କ ସର୍ବୋଚ୍ଚ ତ୍ୟାଗକୁ ସମ୍ମାନ କରୁଛି ବୋଲି ସେ କହିଛନ୍ତି। ହେଗସେଥ ମଧ୍ୟ କହିଛନ୍ତି ଯେ ଇରାନରେ ଆମେରିକାର ଲକ୍ଷ୍ୟ ପ୍ରଥମ ଦିନରୁ ହିଁ ଅପରିବର୍ତ୍ତିତ ରହିଛି। ସବୁକିଛି ଯୋଜନା ମୁତାବକ ଚାଲିଛି ବୋଲି ସେ କହିଛନ୍ତି। ହେଗସେଥ ଦାବି କରିଛନ୍ତି ଯେ ଯୁଦ୍ଧର ପ୍ରଥମ ଦିନରୁ ଇରାନ ଯେଉଁଭଳି ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଛାଡ଼ିଥିଲା ଏବେ ତାହା ୯୦ ପ୍ରତିଶତ କମି ଯାଇଛି। ଆମେରିକା ଇରାନର ୧୨୦ ନୌସେନା ଜାହାଜକୁ ବୁଡ଼ାଇ ଦେଇଥିବା ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ
