ଜାତୀୟଜିଲ୍ଲା

COP33: ୨୦୨୮ ଜଳବାୟୁ ସମ୍ମିଳନୀ ଦୌଡ଼ରୁ ଓହରିଲା ଭାରତ; ସିଓପି୩୩ ଆୟୋଜନ ପ୍ରସ୍ତାବ ପ୍ରତ୍ୟାହାର

ନୂଆଦିଲ୍ଲୀ: ଭାରତ ନିଜର ଆନ୍ତର୍ଜାତିକ ଓ ଆଭ୍ୟନ୍ତରୀଣ ପ୍ରାଥମିକତା କ୍ଷେତ୍ରରେ ଏକ ବଡ଼ ରଣନୈତିକ ପରିବର୍ତ୍ତନ କରି ୨୦୨୮ ମସିହାରେ ଜାତିସଂଘ ଜଳବାୟୁ ସମ୍ମିଳନୀ (ସିଓପି୩୩) ଆୟୋଜନ କରିବା ପାଇଁ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାହାର କରିନେଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ସଂପର୍କରେ ଆନୁଷ୍ଠାନିକ ବିବୃତି ଜାରି କରି କହିଛି ଯେ ବିଭିନ୍ନ କାରଣ ଓ ପ୍ରତିବଦ୍ଧତାର ସମୀକ୍ଷା ପରେ ଏହି ପଦକ୍ଷେପ ନିଆଯାଇଛି। ତେବେ ଏହା ସତ୍ତ୍ୱେ ଭାରତ ନିଜର ଜଳବାୟୁ ଲକ୍ଷ୍ୟ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ରହିବ ବୋଲି ସରକାର ଦୋହରାଇଛନ୍ତି।

ଏହି ନିଷ୍ପତ୍ତି ପଛରେ ଭାରତର ଆଗାମୀ ଦିନର ଶକ୍ତି ସୁରକ୍ଷା ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ବିଶ୍ୱସ୍ତରୀୟ ଶକ୍ତି ହେବାର ଲକ୍ଷ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ନିକଟରେ ଅନୁଷ୍ଠିତ ‘ଇଣ୍ଡିଆ ଏଆଇ ଇମ୍ପାକ୍ଟ’ ଶିଖର ସମ୍ମିଳନୀରେ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଭାରତକୁ ଏକ ବୈଶ୍ୱିକ ଏଆଇ ହବ୍‌ରେ ପରିଣତ କରିବା ପାଇଁ ନିରନ୍ତର ବିଦ୍ୟୁତ ଶକ୍ତି ହେଉଛି ମୁଖ୍ୟ ମେରୁଦଣ୍ଡ। କେନ୍ଦ୍ର ଆଇଟି ସଚିବ ଏସ୍. କୃଷ୍ଣନ ସ୍ପଷ୍ଟ ଭାବେ କହିଛନ୍ତି ଯେ ଏଆଇ ମଡେଲ୍ ପୂର୍ବରୁ ଆମକୁ ଶକ୍ତି ବା ପାୱାର୍‌କୁ ସବୁଠାରୁ ଅଧିକ ପ୍ରାଥମିକତା ଦେବାକୁ ହେବ।

ପାୱାର ଗ୍ରିଡ୍ କର୍ପୋରେସନ୍ ଅନୁଯାୟୀ, ଦେଶରେ ଡାଟା ସେଣ୍ଟରଗୁଡ଼ିକର ବିଦ୍ୟୁତ ଚାହିଦା ବର୍ତ୍ତମାନର ୮ ଗିଗାୱାଟ୍‌ରୁ ଦ୍ୱିଗୁଣିତ ହୋଇ ୧୬ ଗିଗାୱାଟ୍‌ରେ ପହଞ୍ଚିବାକୁ ଯାଉଛି। ଏହି ବିଶାଳ ଚାହିଦାକୁ ପୂରଣ କରିବା ପାଇଁ ଭାରତ ୨୦୩୦ ସୁଦ୍ଧା ୫୦୦ ଗିଗାୱାଟ୍ ଅକ୍ଷୟ ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛି। ଭବିଷ୍ୟତର ଏଆଇ ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ଏବେ ନିଜର ଶକ୍ତି ଭିତ୍ତିଭୂମିକୁ ଅଧିକ ସୁଦୃଢ଼ ଓ ସ୍ଥିର କରିବା ଉପରେ ଗୁରୁତ୍ୱ ଦେଉଛି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button