ନୂଆଦିଲ୍ଲୀ, ୧୯ /୦୩: ହୋର୍ମୁଜ ପ୍ରଣାଳୀ ବନ୍ଦ ଯୋଗୁ ବିଶ୍ୱବ୍ୟାପୀ ତୈଳ ଓ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଥିବା ବେଳେ ଭାରତୀୟ ଜାହାଜ‘ଜଗ୍ ଲାଡକୀ’ ହୋର୍ମୁଜ ପାର୍ କରି ଆଜି ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ଏଥିରେ ୮୦,୮୮୬ ଟନ୍ ଅଶୋଧିତ ତୈଳ ରହିଛି । ଏହାଦ୍ୱାରା ଦେଶରେ କୌଣସି ତୈଳ ଅଭାବ ରହିବ ନାହିଁ ବୋଲି ଆଶା କରାଯାଉଛି ।
ଏହା ପୂର୍ବରୁ ଦୁଇଟି ତୈଳ ଜାହାଜ ହୋର୍ମୁଜ ବାଧା ଡେଇଁ ଭାରତରେ ପହଞ୍ଚିଥିଲା । ଜଗ୍ ଲାଡ ତୈଳ ଟ୍ୟାଙ୍କର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଫୁଜୈରା ବନ୍ଦରରୁ ତୈଳ ଆଣି ଆସିଛି । ଏହା ପୂର୍ବରୁ ସୋମବାର ଏଲପିଜି ଟ୍ୟାଙ୍କର ଶିବାଲିକ୍ ମୁନ୍ଦ୍ରାରେ ପହଞ୍ଚିଥିଲା । ନନ୍ଦା ଦେବୀ ଜାହାଜ ବି ପହଞ୍ଚିଥିଲା । ଜଗ୍ ଲାଡ୍କୀ ଜାହାଜ ୨୭୪.୧୯ ମିଟର ଲମ୍ବା । ଯେଉଁ ଦିନ ଫୁଜୈରା ତୈଳ ଟର୍ମିନାଲ ଉପରେ ଇରାନ ଆକ୍ରମଣ କରିଥିଲା, ସେହିଦିନ ହିଁ ଏହି ଜାହାଜରେ ତୈଳ ଭର୍ତ୍ତି ହେଉଥିଲା ।
ହୋର୍ମୁଜ ପ୍ରଣାଳୀ ସେପଟେ ଆହୁରି ୨୨ଟି ଭାରତୀୟ ଜାହାଜ ରହିଛି । ଅଧିକାଂଶ ଜାହାଜରେ ତୈଳ ଓ ଗ୍ୟାସ ରହିଛି । ତେବେ ସେଗୁଡ଼ିକ ଏବେ ସୁରକ୍ଷିତ ରହିଥିବା କେନ୍ଦ୍ର ସରକାର କହିଛନ୍ତି । ଜାହାଜଗୁଡ଼ିକରେ ଥିବା ସମସ୍ତ ୬୧୧ କ୍ରୁ ସଦସ୍ୟ ମଧ୍ୟ ସୁରକ୍ଷିତ ଥିବା ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ଅଦ୍ୟାବଧି ୨.୬ ଲକ୍ଷ ଭାରତୀୟ ସ୍ୱଦେଶ ଫେରିଛନ୍ତି ।
ସୌଜନ୍ୟ Prameya News7
