ଯାଜପୁର ରୋଡ୍ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣାରେ ସିଲ୍ ହେବ ନର୍ସିଂହୋମ୍। ଗତକାଲି ରାତିରେ ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟାକୁ ନିଜ ହେପାଜତକୁ ନେଲା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍। ଶିଶୁଟିକୁ ଉଦ୍ଧାର କରାଯିବା ପରେ ଚିକିତ୍ସା ପାଇଁ ତାକୁ ଯାଜପୁର ରୋଡ୍ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।
ତେବେ ଆଜି କୋରେଇ ସିଡ଼ିପିଓଙ୍କ ସମେତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏକ ଟିମ୍ ଓ ତଦନ୍ତକାରୀ ପୋଲିସ ଅଧିକାରୀ ଯାଜପୁର ରୋଡ଼ ମେଡ଼ିକାଲରେ ପହଞ୍ଚିଥିଲେ। ମେଡ଼ିକାଲରେ ଶିଶୁର ସ୍ୱାସ୍ଥ୍ୟବସ୍ଥା ଓ ଅନ୍ୟାନ୍ୟ ଦିଗ ଉପରେ ତର୍ଯମା କରାଯାଇଥିଲା। ଶେଷରେ ନବଜାତ ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟମାନେ ନିଜ ହେପାଜତକୁ ନେବା ସହ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।
ବର୍ତ୍ତମାନ ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି। ଏହି ଘଟଣାରେ ପ୍ରସବ କରିଥିବା ନାବାଳିକା ଜଣକ ଉଦ୍ଧାର ହୋଇଥିବା ବେଳେ ପୋଲିସ ଗତକାଲି ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ଯାଜପୁର ରୋଡ଼ ପୋଲିସ।
