Old Age Home: ଖୋଲିଲାନି ଅତ୍ୟାଧୁନିକ ବୃଦ୍ଧାଶ୍ରମ

ରାଉରକେଲା: ଖୋଲିଲାନି ଅତ୍ୟାଧୁନିକବୃଦ୍ଧାଶ୍ରମ,ପ୍ରକଳ୍ପରେ ପାଣିପରି ବହାଇଦିଆଯାଉଛି ସରକାରୀ ପାଣ୍ଠି। ହେଲେ ପ୍ରଶାସନର ଅବହେଳାରୁ ଏସବୁ ପ୍ରକଳ୍ପ ଲୋକଙ୍କ କାମରେ ଆସୁନି। କେବଳ ଠିକାଦାରପୋଷା ନୀତିରେ ଚାଲିଛି ପରି ମନେ ହେଉଛି। ଶାସକ ହେଉ ଅବା ବିରୋଧୀ ନେତା ଥରୁଟିଏ ମୁହଁ ଖୋଲୁନାହାନ୍ତି। କେବଳ ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ରଖି ଚୁପ୍ ରହୁଛନ୍ତି। ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସ ନିକଟସ୍ଥ ଅତ୍ୟାଧୁନିକ ବୃଦ୍ଧାଶ୍ରମ (ବେଦବ୍ୟାସ ହାଉସ୍) ଏହାର ଜ୍ବଳନ୍ତ ଉଦାହରଣ।
ପ୍ରଶାସନର ଅବହେଳାରୁ ଏସବୁ ପ୍ରକଳ୍ପ ଲୋକଙ୍କ କାମରେ ଆସୁନି
କିଛି ମାସ ପୂର୍ବରୁ ପ୍ରଶାସନିକ ଅଧିକାରୀ ବେଦବ୍ୟାସ ହାଉସ୍ର ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମିତାଲି ରଣା କହିଥିଲେ, ଜିଲ୍ଲାପାଳ ବେଦବ୍ୟାସ ଗୃହ ସଂକ୍ରାନ୍ତରେ ଅବଗତ ଅଛନ୍ତି। ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହୋଇଯିବ। ହେଲେ ଆଜି ପର୍ଯ୍ୟନ୍ତ ଗେଟ୍ରେ ତାଲା ଝୁଲୁଛି। ସଞ୍ଜ ନଇଁଲେ ନିଶାଡ଼ିମାନଙ୍କ ଆଡା ଜମୁଛି। ଯାହାବି କାମ ହୋଇଥିଲା ତା’ ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି। ଲକ୍ଷ୍ୟ ରହିଥିଲା ଜିଲ୍ଲାର ନିଃସହାୟ ବୃଦ୍ଧାବୃଦ୍ଧାଙ୍କୁ ସାଧାରଣ ଜୀବନଯାପନ ପାଇଁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦିଆଯିବ। ସେମାନଙ୍କୁ ରହିବା ସହ ମାଗଣାରେ ଖାଇବା ବ୍ୟବସ୍ଥା କରାଯିବ। ଫିଟ୍ ରହିବାକୁ ଯୋଗକେନ୍ଦ୍ର, କ୍ରୀଡ଼ା ସହ ସମୟ ଅହିବାହିତ କରିବାକୁ ପାଠାଗାର ନିର୍ମାଣ ହୋଇଛି। ୪ ଏକର ଜମିରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍ଏଫ୍) ପାଣ୍ଠରୁ ପାଖାପାଖି ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନିର୍ମାଣ କାର୍ଯ୍ୟକୁ ଇତି ମଧ୍ୟରେ ତିନିବର୍ଷ ବିତିଯାଇଥିଲେ ହେଁ ଖୋଲୁନି।
୨୦୦ ଶଯ୍ୟା ବିଶିଷ୍ଟ ବୃଦ୍ଧାଶ୍ରମକୁ କେବଳ ସୁରକ୍ଷାକର୍ମୀ ଜଗି ରହୁଛନ୍ତି। ରାଉରକେଲା ସମେତ ଜିଲ୍ଲାର ବିଭିନ୍ନ ବ୍ଲକରୁ ଗରିବ ଓ ଅବହେଳିତ ବୃଦ୍ଧବୃଦ୍ଧା ଆଶ୍ରମକୁ ରହିବାକୁ ଆସୁଛନ୍ତି। ତାଲା ଝୁଲୁଥିବା ଦେଖି ନିରାଶ ହୋଇ ଫେରିଯାଉଛନ୍ତି। ଜିଲ୍ଲାର ପ୍ରଥମ ଅତ୍ୟାଧୁନିକ ବୃଦ୍ଧାଶ୍ରମ ଥାଇ ଅନେକ ବୃଦ୍ଧବୃଦ୍ଧା ରାସ୍ତାପାର୍ଶ୍ବ, ମାର୍କେଟ ବାରଣ୍ଡାରେ ରାତିକାଟୁଛନ୍ତି। କାହାଠୁ କିଛି ମିଳିଲା ତ ଖାଉଛନ୍ତି, ନହେଲେ ଉପବାସରେ ରହୁଛନ୍ତି। ତତ୍କାଳୀନ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟଙ୍କ ଉଦ୍ୟମରେ ୨୦୨୦ ମେ’ ୨୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ବୃଦ୍ଧାଶ୍ରମ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୨୧ ମେ’ ଶେଷ ସୁଦ୍ଧା ସରିବାକୁ ଥିଲେ ହେଁ ତିନି ବର୍ଷ ପରେ ଅର୍ଥାତ୍ ୨୦୨୪ ସୁଦ୍ଧା ଶେଷ ହୋଇଥିଲା। ବିଜେଡି ବରିଷ୍ଠ ନେତା ବୀରେନ ସେନାପତି କହିଛନ୍ତି, ବୃଦ୍ଧାଶ୍ରମ କିଏ ପରିଚାଳନା କରିବ, ଜିଲ୍ଲା ପ୍ରଶାସନ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। କାହାରି କିଛି ଉତ୍ତରଦାୟିତ୍ବ ରହୁନି। ଏମିତି ଆଦୌ ହେବା କଥା ନୁହେଁ, ଜିଲ୍ଲା ପ୍ରଶାସନ ଅଧିକ ତତ୍ପର ହୋଇ କାର୍ଯ୍ୟକ୍ଷମ ଦିଗରେ ଉଦ୍ୟମ କରିବା ଦରକାର। ରାଜ୍ୟ ବିଜେପି ମୁଖପାତ୍ର ଧୀରେନ ସେନାପତି କହିଛନ୍ତି, ସରକାର ଅବଗତ ଅଛନ୍ତି। କେମିତି ଶୀଘ୍ର କାର୍ଯ୍ୟକ୍ଷମ କରି ବୃଦ୍ଧବୃଦ୍ଧାଙ୍କ କାମରେ ଲାଗିବ, ସେ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ସେନାପତି କହିଛନ୍ତି।
ସୌଜନ୍ୟ ସମ୍ବାଦ




