Ganjam: ଗଞ୍ଜାମରେ ବନ୍ୟା ସ୍ଥିତି: ଏୟାରଡ୍ରପ୍ ପାଇଁ ପ୍ରସ୍ତୁତି, ୪୫ ଓଡ୍ରାଫ୍ ଓ ୫୦ରୁ ଅଧିକ ଅଗ୍ନିଶମ ଟିମ୍ ମୁତୟନ
ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଜଳମଗ୍ନ ସ୍ଥାନରୁ ପାଣି ନିଷ୍କାସନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ରାସ୍ତାଘାଟରେ ଜମିଥିବା ବନ୍ୟାଜଳ ଯୋଗୁଁ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ଶୀଘ୍ର ନିଷ୍କାସନ କରିବାକୁ ବ୍ୟବସ୍ଥା କରାଯାଉଛି।

ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି। ଭଞ୍ଜନଗରଠାରୁ ଛତ୍ରପୁର ପର୍ଯ୍ୟନ୍ତ ଋଷିକୁଲ୍ୟା ନଦୀକୂଳିଆ ଅଞ୍ଚଳର ବିଭିନ୍ନ ଗାଁରେ ବନ୍ୟାଜଳ ପ୍ରବେଶ କରିଥିବା ବେଳେ କେତେକ ସ୍ଥାନରେ ନଦୀବନ୍ଧରେ ଘାଇ ସୃଷ୍ଟି ହେବାରୁ ଲୋକେ ଜଳବନ୍ଦୀ ହୋଇଥିଲେ। ଏବେ ପ୍ରଶାସନ ପକ୍ଷରୁ ଜଳ ନିଷ୍କାସନ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ଜୋରଦାର କରାଯାଉଛି।
ଛତ୍ରପୁର ଓ ଗଞ୍ଜାମ ଅଞ୍ଚଳର ବିଭିନ୍ନ ଜଳମଗ୍ନ ସ୍ଥାନରୁ ପାଣି ନିଷ୍କାସନ ପାଇଁ ତ୍ୱରିତ ପଦକ୍ଷେପ ନିଆଯାଉଛି। ରାସ୍ତାଘାଟରେ ଜମିଥିବା ବନ୍ୟାଜଳ ଯୋଗୁଁ କେତେକ ସ୍ଥାନରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବାରୁ ଏହାକୁ ମଧ୍ୟ ଶୀଘ୍ର ନିଷ୍କାସନ କରିବାକୁ ବ୍ୟବସ୍ଥା କରାଯାଉଛି। ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ କହିଛନ୍ତି ଯେ ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯାଇଛି। ଗତକାଲିଠାରୁ ବିପନ୍ନଙ୍କ ନିକଟରେ ରିଲିଫ୍ ସାମଗ୍ରୀ ପହଞ୍ଚାଯାଉଛି। ଅଧିକ ଜଳସ୍ରୋତ ଯୋଗୁଁ ଯେଉଁ ସ୍ଥାନକୁ ବୋଟ୍ ପହଞ୍ଚିବା ସମ୍ଭବ ହେଉନାହିଁ, ସେଠାରେ ହେଲିକପ୍ଟର ମାଧ୍ୟମରେ ଖାଦ୍ୟ ପ୍ୟାକେଟ୍ ଓ ଅତ୍ୟାବଶ୍ୟକ ସାମଗ୍ରୀ ଏୟାରଡ୍ରପ୍ କରିବା ପାଇଁ ପ୍ରସ୍ତୁତି ଚାଲିଛି।
ଗତକାଲି ପରୀକ୍ଷାମୂଳକ ଭାବେ ଆକାଶମାର୍ଗରେ ୬ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ଏହି ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ। ଜଳବନ୍ଦୀ ଅଞ୍ଚଳରେ ଫସିଥିବା ଲୋକଙ୍କୁ ଶୀଘ୍ର ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ଉଦ୍ଧାରକାରୀ ଦଳଗୁଡ଼ିକୁ ସଜାଗ ରଖାଯାଇଛି। ବନ୍ୟା ମୁକାବିଲା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୪୫ଟି ଓଡ୍ରାଫ୍ ଟିମ୍ ଏବଂ ୫୦ରୁ ଅଧିକ ଅଗ୍ନିଶମ ବାହିନୀ ଟିମ୍ ମୁତୟନ ହୋଇଛନ୍ତି। ଟିମ୍ଗୁଡ଼ିକ ଜଳବନ୍ଦୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବା ସହ ଆବଶ୍ୟକ ସ୍ଥାନରେ ରିଲିଫ୍ ସାମଗ୍ରୀ ପହଞ୍ଚାଉଛନ୍ତି।
ସୌଜନ୍ୟ ସମ୍ବାଦ




