Jajpur Gold Theft ଘରେପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିଲେ, ପୁଲିସକୁ ଧକ୍କା ମାରି ଥାନାରୁ ଅଭିଯୁକ୍ତ ଚମ୍ପଟ
ଯାଜପୁର ବିଂଝାରପୁରରେ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଗହଣା ଲୁଟ୍। ଅଟକ ଅଭିଯୁକ୍ତ ପୁଲିସକୁ ଧକ୍କା ଦେଇ ଥାନାରୁ ଫେରାର। ଦାୟିତ୍ୱରେ ଅବହେଳା ଯୋଗୁଁ ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ।

ଏଏସ୍ଆଇ ଓ କନେଷ୍ଟବଳ ନିଲମ୍ବିତ
ବିଂଝାରପୁର(ଜାକିର ହୁସେନ୍): ଶୁକ୍ରବାର ବିଳମ୍ବିତ ରାତିରେ ବିଂଝାରପୁର ଥାନା ଅଙ୍ଗାଳୋ ଗ୍ରାମର ହେମନ୍ତ କୁମାର ସାମଲଙ୍କ ଘରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଲୁଟିନେଇଥିବା ବିଂଝାରପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ୩୯୪/୨୬ରେ ଏକ ମାମଲା ରୁଜୁକରି ସନ୍ଧାନୀ କୁକୁର ଓ ଫରେନ୍ସିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଅଟକ ଥିବା ଜଣେ ଅଭିଯୁକ୍ତ ପୁଲିସକୁ ଧକ୍କା ମାରି ଥାନାରୁ ଚମ୍ପଟ ମାରିଛି। ଏହି ଘଟଣାରେ ଦାୟିତ୍ବରେ ଥିବା ଏଏସ୍ଆଇ ଓ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି।
ଲୁଟ୍ ଘଟଣାରେ ଅଙ୍ଗାଳୋ ଗ୍ରାମର ତନ୍ମୟ ଦାସ (୨୬)କୁ ଅଟକରଖି ପୁଲିସ ପଚରାଉଚରା ଚଳାଇଥିଲା। ଶନିବାର ସଂଧ୍ୟାରେ ତନ୍ମୟ ସେଣ୍ଟ୍ରି ଦାୟିତ୍ୱରେ ଥିବା କନେଷ୍ଟବଳ ସୁନୀଲ କୁମାର କୁଲୁଙ୍କୁ ଧକ୍କାମାରି ଥାନାରୁ ଫେରାର ହୋଇଯାଇଛି।
ଅଭିଯୋଗ ଅନୁଯାୟୀ ପୁଅବୋହୁ ଗୁଜୁରାଟରେ ରହୁଥିଲାବେଳେ ହେମନ୍ତ ଓ ତାଙ୍କ ପତ୍ନୀ ଘରେ ରୁହନ୍ତି। ଶୁକ୍ରବାର ରାତିରେ ସବୁଦିନ ଭଳି ଖାଇସାରି ଉଭୟ ଶୋଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦାଣ୍ଡକବାଟ ବନ୍ଦକରି ଦେଇଥିଲେ। ପୁଅବୋହୁଙ୍କ ପ୍ରକୋଷ୍ଠରେ ପଶି ଆଲମିରା ଭାଙ୍ଗି ପାଖାପାଖି ୫୦୦ ଗ୍ରାମର ସୁନା ଗହଣା ସମେତ ୧କିଲୋରୁ ଊର୍ଦ୍ଧ୍ବ ରୁପାଅଳଙ୍କାର ଚୋରି କରିନେଇଛନ୍ତି। ରାତି ୨ଟା ପରେ ହେମନ୍ତ ପରିସ୍ରା ପାଇଁ ଉଠିଥିଲେ। କବାଟ ପଦାପଟୁ ବନ୍ଦଥିବା ଜାଣି ପଡୋଶୀ ଘରକୁ ଫୋନ କରିଥିଲେ। ପଡୋଶୀ କବାଟ ଖୋଲିଲାପରେ ହେମନ୍ତ ବାହାରକୁ ଆସି ଚୋରି କଥା ଜାଣିବାକୁ ପାଇଥିଲେ।
ସୌଜନ୍ୟ ସମ୍ବାଦ




