Juang child death: ପ୍ରଶାସନିକ ତନାଘନା, ତଦନ୍ତକଲେ ସିଡିଏମ୍ଓ
ଯାଜପୁର ଜିଲ୍ଳା ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ମୌଜା ତଳଡିହ ଜୁଆଙ୍ଗ ବସ୍ତିର ଶିଶୁକନ୍ୟା ମନିତା ଓ ଶିବ ପ୍ରଧାନଙ୍କ ଷଷ୍ଠ ସନ୍ତାନ କଇଁଚି(୪ ମାସ)ଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ ଦିନ ଧରି ତନାଘନା କରାଯାଇଛି।

କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଳା ନଗଡ଼ା ପାଖ ଗୁହିଆଶାଳ ରାଜସ୍ବ ମୌଜା ତଳଡିହ ଜୁଆଙ୍ଗ ବସ୍ତିର ଶିଶୁକନ୍ୟା ମନିତା ଓ ଶିବ ପ୍ରଧାନଙ୍କ ଷଷ୍ଠ ସନ୍ତାନ କଇଁଚି(୪ ମାସ)ଙ୍କ ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୩ ଦିନ ଧରି ତନାଘନା କରାଯାଇଛି। ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨ଟି ଡାକ୍ତରୀ ଦଳ ପୃଥକ ଭାବେ ତଳଡିହ ଗସ୍ତ କରି ବାସ୍ତବ ସ୍ଥିତି ପରଖିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ନଗେନ ମହାପାତ୍ର କାଳିଆପାଣି ଆସି ବିଭାଗୀୟ ତଦନ୍ତ ତ୍ବରାନ୍ବିତ କରାଇଥିଲେ।
ସୋମବାର ଶିଶୁମୃତ୍ୟୁ ଖବର ଆଧାରରେ ବିଭାଗୀୟ ପ୍ରସ୍ତୁତି କରାଯାଇଥିଲା। ସିଡିଏମ୍ଓ ଶ୍ରୀ ମହାପାତ୍ରଙ୍କ ନିର୍ଦ୍ଦେଶରେ ମଙ୍ଗଳବାର ଦିନ ଜିଲ୍ଲା ପ୍ରଜନନକ୍ଷମ ମାତୃତ୍ବ, ନବଜାତ, ଶିଶୁ ସ୍ବାସ୍ଥ୍ୟ ପରାମର୍ଶଦାତା(ଡିଏମ୍ଆର୍ସିଏଚ୍) ସୁଧାଂଶୁ ଶେଖର ନାୟକ, ଟିକାକରଣ ଅଧିକାରୀ ଶୁଭ୍ରଜିତ ପୃଷ୍ଟି ଓ ଜିଲ୍ଲା ଟିକାଦ୍ରବ୍ୟ ପରିବହନ ପ୍ରବନ୍ଧକ କଳ୍ପନା ଦାସ, ସିସିଟି ରମେଶ ଚନ୍ଦ୍ର ମିଶ୍ର ନାଲିଆଡାବରୁ ପାହାଡ଼ୀ ଗୁଳାରେ ଚାଲିଚାଲି ତଳଡିହ ପହଞ୍ଚିଥିଲେ। ମଙ୍ଗଳବାର ନଗଡ଼ା ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାସ ଚନ୍ଦ୍ର ମହାନ୍ତ, କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ରାଉତରାୟ, ବରିଷ୍ଠ ସ୍ବାସ୍ଥ୍ୟକର୍ମୀ ଭାସ୍କର ହାଇବ୍ରୁ ଓ ଆଶାକର୍ମୀ ଜୟନ୍ତୀ ମହାନ୍ତ ସେହି ଗୁଳାବାଟରେ ପାହାଡ଼ ଚଢ଼ି ତଳଡିହ ଗାଁକୁ ଯାଇଥିଲେ।
ମନିତା ପ୍ରଧାନ ୩୧ ବର୍ଷ ବୟସରେ ୬ଟି ସନ୍ତାନର ମାଆ ହୋଇଥିବା ଜଣାପଡ଼ିଛି। ବଖୁରିକିଆ କୁଡ଼ିଆରେ ୮ ଜଣିଆ ପରିବାର ଅତି ଦୟନୀୟ ଭାବେ ରହୁଥିଲେ। ମୃତ ଶିଶୁକନ୍ୟା କଇଁଚି ଗତ ମେ ମାସ ୧୭ ତାରିଖରେ ନିଜ ଘର କୁଡ଼ିଆରେ ଜନ୍ମ ହୋଇଥିଲା। ୮ ଦିନ ପରେ ଗାଁକୁ ଆସିଥିବା ଡାକ୍ତରୀଦଳ ତା’ର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେତେବେଳେ ଶିଶୁର ଓଜନ ୨.୩ କିଲୋ ଥିଲା।
ଗତ ୨ ତାରିଖ ତାରିଖରେ କଇଁଚିକୁ ଜର ଓ ତା’ ପିଠିରେ ଫୋଟକାହୋଇ ଘାଆ ହୋଇଥିଲା। ରୋଗଣା ଛୁଆକୁ କୋଳରେ ଧରି ମାଆ ତଇଳାକୁ କାମ କରିବାକୁ ଯାଉଥିଲେ। ସେଠାରେ ଧାନ ବାଛୁଥିଲେ। ହେଲେ ଶିଶୁକୁ ରୋଗ ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ଅବଗତ ନଥିଲା। ଚିକିତ୍ସା ବିନା ଏହି ଶିଶୁର ଘରର ଅସ୍ବାସ୍ଥ୍ୟକର ପରିବେଶରେ ମୃତ୍ୟୁ ହୋଇଥିଲା। ବଡ଼ଝିଅ ବବିତା(୧୦) ଓ ପୁଅ ବସନ୍ତ(୮)ଙ୍କ ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରେ ନାମ ଲେଖାଇଛନ୍ତି। ଗ୍ରୀଷ୍ମଛୁଟି ପରେ ସେମାନେ ଆଉ ସ୍କୁଲ ଆସୁନାହାନ୍ତି। ହେମନ୍ତ(୬), ନମିତା(୪) ଓ ରେବତୀ(୨)ଙ୍କ ନାଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରରେ ରହିଛି। ଅଙ୍ଗନବାଡ଼ି କର୍ମୀ ଆଗୁଣି ପ୍ରଧାନଙ୍କ ଝାଟିମାଟି ଘରେ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ର ପାଖାପାଖି ବର୍ଷେ ଧରି ଖୋଲୁନାହିଁ। ଏଠାରେ ପଞ୍ଜିକୃତ ୧୫ ଜଣ ଶିଶୁଙ୍କ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ସାତସପନ ହୋଇରହିଛି। ୧୫ କିଲୋମିଟର ଦୂର କଙ୍କଡ଼ାଗୋଡ଼ି ଗାଁରୁ ନିୟୋଜିତ ହୋଇଥିବା ସହାୟିକା(ପାଚିକା) ଗୋଲାପ ତିରିଆ ଅଙ୍ଗନବାଡ଼ି କେନ୍ଦ୍ର ଆସୁନଥିବା ଅଭିଯୋଗ ହୁଏ। ଏହି ମହିଳାଙ୍କ ପାଇଁ ବଣ ଜଙ୍ଗଲରେ ପାହାଡ଼ ଚଢ଼ି ଏକାକୀ ଅଙ୍ଗନବାଡ଼ି କେନ୍ଦ୍ର ଯିବା କଷ୍ଟକର ବୋଲି କୁହାଯାଇଛି।
ହେଲେ ଶିଶୁ ମୃତ୍ୟୁ ସଂପର୍କରେ ସେ ଜାଣିନଥିବା କିମ୍ବା ତାଙ୍କୁ ସୂଚନା ଦିଆଯାଇନଥିବା ପରିପ୍ରେକ୍ଷୀରେ ବିଡିଓ ପ୍ରଜ୍ଞା ପରିମିତା ପୃଷ୍ଟି ଉଦ୍ବେଗ ପ୍ରକାଶ କରିଛନ୍ତି। ଏ ସଂପର୍କରେ ଭାରପ୍ରାପ୍ତ ସିଡିପିଓ ଚମ୍ପାବତୀ ଜାରିକାଙ୍କୁ ଯୋଗାଯୋଗ ଉଦ୍ୟମ ସତ୍ତ୍ବେ ସେ ଫୋନ୍ ଉଠାଇଥିଲେ।
ସୌଜନ୍ୟ ସମ୍ବାଦ




