ଅଫଜଲ୍‌ର ପରିବାର ମହାମହିମ ରାଷ୍ଟ୍ରପତିଙ୍କ ପାଖରେ କ୍ଷମା ପ୍ରାର୍ଥନାର ଆବେଦନ ଜଣାଇବା ପାଇଁ ନୂଆଦିଲ୍ଲୀରେ ଶିବିର ସ୍ଥାପନ କରନ୍ତି। ଏହାର ପ୍ରତିବାଦରେ କମଳେଶଙ୍କର ପରିବାର ପ୍ରକାଶ୍ୟରେ ଘୋଷଣା କରନ୍ତି ଯେ, ମହାମାନ୍ୟ ରାଷ୍ଟ୍ରପତି ଯଦି ଅଫଜଲ୍‌ଙ୍କ ପରିବାରର ଆବେଦନ ଗ୍ରହଣ କରନ୍ତି, ତାହାହେଲେ ସେମାନେ କମଳେଶଙ୍କୁ ପ୍ରଦତ୍ତ ଅଶୋକ ଚକ୍ର ଫେରାଇଦେବେ। ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଅଫଜଲ୍‌ଙ୍କ ପରିବାରର ଆବେଦନ ପ୍ରତ୍ୟାଖ୍ୟାନ କରି ନଥିଲେ କି ଗ୍ରହଣ ମଧ୍ୟ କରି ନଥିଲେ ଫଳରେ ଅଫଜଲ୍‌ର ଫାଶୀ ବିଳମ୍ବିତ ହୋଇଥିଲା। ଏହାର ପ୍ରତିବାଦରେ କମଳେଶଙ୍କ ପରିବାର ସହିତ ମିଶି ସଂସଦ ଆକ୍ରମଣ ସମୟରେ ସାହସିକତା ପାଇଁ ସମ୍ମାନିତ ହୋଇଥିବା ଅନ୍ୟ ୮ ଜଣ ନିରାପତ୍ତା କର୍ମକର୍ତ୍ତାଙ୍କ ପରିବାର ମଧ୍ୟ ୨୦୦୬ ମସିହା ଡିସେମ୍ବର ୧୩ ତାରିଖ ଦିନ ସେମାନଙ୍କର ବୀରତ୍ବର ପଦକ ଫେରାଇ ଦେଇଥିଲେ। ତେବେ ୨୦୧୩ ମସିହାରେ ତତ୍କାଳୀନ ମହାମହିମ ରାଷ୍ଟ୍ରପତି ଶ୍ରୀଯୁକ୍ତ ପ୍ରଣବ ମୁଖାର୍ଜୀ, ଅଫଜଲ୍‌ଙ୍କ ପରିବାରର କ୍ଷମା ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ ଏବଂ ୨୦୧୩ ମସିହା ଫେବ୍ରୁଆରି ୯ ତାରିଖ ଦିନ ଅଫଜଲ୍‌କୁ ଫାଶୀ ଦିଆଯାଇଥିଲା। ୨୦୧୩ ମସିହା ମାର୍ଚ୍ଚ ୩୦ ତାରିଖ ଦିନ କମଳେଶଙ୍କ ପରିବାର ସହିତ ଅନ୍ୟ ସହିଦ ପରିବାରର ସଦସ୍ୟମାନେ ଫେରାଇ ଦେଇଥିବା ପଦକ ପୁନଃଗ୍ରହଣ କରିବା ପାଇଁ ସମ୍ମତ ହୋଇଥିଲେ।