ପର୍ଯ୍ୟଟନ ସଂପ୍ରତି ଆମ ଅର୍ଥନୀତିର ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର। ତେବେ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ଦୃଷ୍ଟିରୁ ଅନ୍ୟାନ୍ୟ ଶିଳ୍ପ ତୁଳନାରେ ପର୍ଯ୍ୟଟନ କମ୍ ମାତ୍ରାରେ ଦାୟୀ। ଏହା ସତ୍ତ୍ବେ ପର୍ଯ୍ୟଟକଙ୍କ ସଚେତନତାର ଅଭାବ ଓ ସରକାରଙ୍କ ଉଦାସୀନତା ପାଇଁ ପର୍ଯ୍ୟଟନସ୍ଥଳୀରେ ପରିବେଶ ପ୍ରଦୂଷିତ ହେବା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ପର୍ଯ୍ୟଟକମାନଙ୍କ ଦାୟିତ୍ବହୀନତା ସ୍ଥାନୀୟ ପରିବେଶକୁ କ୍ଷତି ପହଞ୍ଚାଇଥାଏ। ତେଣୁ ପରିବେଶ ସୁରକ୍ଷା ପାଇଁ ପର୍ଯ୍ୟଟକ ନିମ୍ନୋକ୍ତ ବିଷୟ ଉପରେ ଧ୍ୟାନ ଦିଅନ୍ତୁ…
ପର୍ଯ୍ୟଟନସ୍ଥଳୀକୁ ଯିବା ବେଳେ ପ୍ଲାଷ୍ଟିକ୍ ସାମଗ୍ରୀ କମ୍ ବ୍ୟବହାର କରନ୍ତୁ। ପ୍ଲାଷ୍ଟିକ୍ ବ୍ୟାଗ୍ ପରିବର୍ତ୍ତେ କପଡ଼ା ବ୍ୟାଗ୍ ଏବଂ ପ୍ଲାଷ୍ଟିକ୍ ପାଣି ବୋତଲ ବଦଳରେ ପରିବେଶ ଅନୁକୂଳ ବୋତଲ ବ୍ୟବହାର କରନ୍ତୁ।
ପର୍ଯ୍ୟଟନସ୍ଥଳୀକୁ ପରିଷ୍କାର ରଖିବାରେ ସହଯୋଗ କରନ୍ତୁ। ରଖାଯାଇଥିବା ଡଷ୍ଟ୍ବିନ୍ ବ୍ୟବହାର କରନ୍ତୁ।
ଯଦି କୌଣସି ନଦୀ କିମ୍ବା ହ୍ରଦରେ ନୌବିହାର କରୁଥାନ୍ତି ତେବେ ପାଣି ଭିତରକୁ କୌଣସି ସାମଗ୍ରୀ ଫିଙ୍ଗନ୍ତୁ ନାହିଁ।
ଐତିହ୍ୟସ୍ଥଳୀ ଭ୍ରମଣ କରୁଥିଲେ କାରୁକାର୍ଯ୍ୟଗୁଡ଼ିକୁ କ୍ଷତି ପହଞ୍ଚାନ୍ତୁ ନାହିଁ।
ବଣଭୋଜି କରୁଥିଲେ ଭୋଜିସ୍ଥଳକୁ ଅପରିଷ୍କାର କରି ଫେରିଯାଆନ୍ତୁ ନାହିଁ। ସମସ୍ତ ବର୍ଜ୍ୟ ସାମଗ୍ରୀ ଯେଭଳି ଉପଯୁକ୍ତ ସ୍ଥାନରେ ପକାଯାଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ।
ପରିବେଶ ପର୍ଯ୍ୟଟନସ୍ଥଳୀରେ କାର୍ଯ୍ୟକ୍ରମ ଆୟୋଜନ କରୁଥିଲେ ଶବ୍ଦ ପ୍ରଦୂଷଣ ପ୍ରତି ଧ୍ୟାନ ଦେଇ ଲାଉଡ୍ସ୍ପିକର୍ ବ୍ୟବହାରକୁ ନିୟନ୍ତ୍ରଣରେ ରଖନ୍ତୁ।
ପର୍ଯ୍ୟଟକମାନଙ୍କ ପାଇଁ ଥିବା ଯାତ୍ରୀନିବାସ, ପରିବହନ ବ୍ୟବସ୍ଥା ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ କ୍ଷତି ପହଞ୍ଚାନ୍ତୁ ନାହିଁ।
ରହଣିସ୍ଥଳରେ ପାଣି ଓ ବିଦ୍ୟୁତ୍ ଅପଚୟ କରନ୍ତୁ ନାହିଁ। ସର୍ବସାଧାରଣ ଶୌଚାଳୟ ବ୍ୟବହାର କରୁଥିଲେ ତାହାର ବ୍ୟବହାର ପରେ ଉପଯୁକ୍ତ ଭାବେ ପରିଷ୍କାର କରନ୍ତୁ।
ଅନେକ ପର୍ଯ୍ୟଟନସ୍ଥଳୀରେ ସ୍ଥାନୀୟ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ବୁଲିବା ପାଇଁ ପରିବେଶ ଅନୁକୂଳ ସାଧାରଣ ପରିବହନ ବ୍ୟବସ୍ଥା କରିଥାନ୍ତି। ତେଣୁ ସେଠାକୁ ନିଜର ବ୍ୟକ୍ତିଗତ ଯାନ ନେବା ପରିବର୍ତ୍ତେ ଏହି ବ୍ୟବସ୍ଥାର ସୁବିନିଯୋଗ କରନ୍ତୁ।
ପରିବେଶ ପର୍ଯ୍ୟଟନସ୍ଥଳୀ, ଜାତୀୟ ଉଦ୍ୟାନ ଆଦିରେ ବୃକ୍ଷଲତା ଆଦିକୁ କ୍ଷତି ପହଞ୍ଚାନ୍ତୁ ନାହିଁ। ଜୀବଜନ୍ତୁଙ୍କ ଚଳପ୍ରଚଳରେ ଯେଭଳି ବାଧା ସୃଷ୍ଟି ନହୁଏ ସେଥିପ୍ରତି ଯତ୍ନବାନ୍ ହୁଅନ୍ତୁ।
ସୌଜନ୍ୟ ସମ୍ବାଦ
