Khelo India Tribal Games: ଅଲିମ୍ପିକ୍ସ ସ୍ବପ୍ନ ଦେଖାଉଛି ଖେଲୋ ଇଣ୍ଡିଆ ଜନଜାତି କ୍ରୀଡ଼ା: ପରମ୍ପରା ସହ ସମ୍ମାନ ଓ ଗୌରବର ମହାମିଳନ

ରାୟପୁର: ମାତ୍ର କିଛିବର୍ଷ ତଳେ ଛତିଶଗଡ଼ର ଅଧିକାଂଶ ଜିଲ୍ଲା ଲାଲବାହିନୀର ପ୍ରଚ୍ଛନ୍ନ ପ୍ରଭାବ ଲାଗି ମାଓପ୍ରବଣ ଅଞ୍ଚଳର ଅପଯଶ ମୁଣ୍ଡାଉଥିଲା। ମାଓ ହିଂସାରେ ଜର୍ଜରିତ ହୋଇ ରାଜ୍ୟର ଅଧିକାଂଶ ଅଞ୍ଚଳ ଅନୁନ୍ନତ ହୋଇ ରହିଥିଲା। ଆଜି କିନ୍ତୁ ସ୍ଥିତି ବଦଳିଛି। ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ସଂପୂର୍ଣ୍ଣ ମାଓ ଓ ନକ୍ସଲ ମୁକ୍ତ କରିବାର ଅଭିଯାନ ଓ ପ୍ରତିବଦ୍ଧତା ପାଇଁ ଏହି ମାଓ ଗଡ଼ ଏବେ କ୍ରୀଡ଼ା ଗୌରବର ବାର୍ତ୍ତା ଦେଉଛି। ରାଜ୍ୟର ପ୍ରାଚୀନ ଦଣ୍ଡକାରଣ୍ୟ କ୍ଷେତ୍ରର ଅଂଶ ବସ୍ତର ଅଞ୍ଚଳର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକ ସହିତ ସରଗୁଜା ଅଞ୍ଚଳ, ରାୟଗଡ଼ ଓ ମାନପୁର ଭଳି ଅଞ୍ଚଳରେ ଆୟୋଜିତ ହେଉଛି ପ୍ରଥମ ଖେଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ା। ଜନଜାତିି କ୍ରୀଡ଼ାବିତ୍‌ଙ୍କ ପ୍ରତିଭା ଚିହ୍ନଟ ସହ ସେମାନଙ୍କ ପୁରୁଣା କ୍ରୀଡ଼ା ଗୌରବ ଫେରାଇ ଆଣି ଅଲିମ୍ପିକ୍ସକୁ ଯିବାର ସ୍ବପ୍ନ ଦେଖାଉଛି ଏହି କ୍ରୀଡ଼ା ମହୋତ୍ସବ। ଆୟୋଜକ କରିଥିବା ଦାବି ଅନୁସାରେ ଏହା ଦ୍ବାରା ଭାରତୀୟ କ୍ରୀଡ଼ାମଣ୍ଡଳର ପରିସର ଆହୁରି ପରିବର୍ଦ୍ଧିତ ହେବ। ଏହା ମଧ୍ୟ ଭୌଗୋଳିକ ତଥା ପୃଷ୍ଠଭୂମି ନିର୍ବିଶେଷରେ ଆଦିବାସୀ ଅଧୁଷିତ ଅଞ୍ଚଳର ପ୍ରତ୍ୟେକ ଖେଳାଳିଙ୍କ ପାଖରେ ସମାନ ସୁଯୋଗ ପହଞ୍ଚିବ। ସରଳ ଭାବରେ କହିବାକୁ ଗଲେ, ଏହା ଶୋଇଯାଇଥିବା ଜନଜାତି ଗୋଷ୍ଠୀକୁ କ୍ରୀଡ଼ାର ମୁଖ୍ୟଧାରାକୁ ଆଣିବା ଦିଗରେ ଐତିହାସିକ ପଦକ୍ଷେପ ହେବ। କେବଳ ଛତିଶଗଡ଼ ନୁହେଁ ଆନ୍ଧ୍ର, ଓଡ଼ିଶା, ମହାରାଷ୍ଟ୍ର, ଝାଡ଼ଖଣ୍ଡ ଭଳି ୩୦ ରାଜ୍ୟର ଆଦିବାସୀ କ୍ରୀଡ଼ାବିତ୍‌ମାନେ ଏହି ୧୦ ଦିନିଆ ପ୍ରତିଯୋଗିତାରେ ନିଜ ଯାଦୁ ଦେଖାଇବେ। ଏହି ଜନଜାତୀୟ କ୍ରୀଡ଼ା ମହୋତ୍ସବ ବୁଧବାରଠାରୁ ଛତିଶଗଡ଼ର ତିନିଟି ସ୍ଥାନ ରାୟପୁର, ଜଗଦଲପୁର ଓ ଅମ୍ବିକାପୁରଠାରେ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଏହି ଖେଳକୁ ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି, ଭାରତର କ୍ରୀଡ଼ା କାହାଣୀ ଅସାଧାରଣ ବିବିଧତାର ଏକ ଅଂଶ। ଉତ୍ତର-ପୂର୍ବର ପର୍ବତମାଳାଠାରୁ ଆରମ୍ଭ କରି ମଧ୍ୟଭାରତର ଜଙ୍ଗଲ ପର୍ଯ୍ୟନ୍ତ, ଆମ ଦେଶର ପ୍ରତ୍ୟେକ କୋଣରେ ପ୍ରତିଭା ବିଦ୍ୟମାନ। ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ ହେବାର ଆଠ ବର୍ଷ ବିତିଯାଇଛି ଏବଂ ଏହି ଅପେକ୍ଷାକୃତ କମ୍ ସମୟ ମଧ୍ୟରେ, ଏହା ଦ୍ରୁତ ଗତିରେ ଏକ ଦେଶବ୍ୟାପୀ ଆନ୍ଦୋଳନରେ ପରିଣତ ହୋଇଛି। ଯୁବ କ୍ରୀଡ଼ା, ବିଶ୍ୱବିଦ୍ୟାଳୟ କ୍ରୀଡ଼ା, ବିଚ୍ କ୍ରୀଡ଼ା, ଶୀତକାଳୀନ କ୍ରୀଡ଼ା ଏବଂ ଏବେ ଆଦିବାସୀ କ୍ରୀଡ଼ା ଭଳି ବହୁବିଧ କ୍ଷେତ୍ର ମାଧ୍ୟମରେ, ଖେଲୋ ଇଣ୍ଡିଆ ସଫଳତାର ସହିତ ଦେଶବ୍ୟାପୀ ଯୁବ ଖେଳାଳିଙ୍କ ଏକ ବିବିଧ ଗୋଷ୍ଠୀ ଗଠନ କରୁଛି।

୧୦ ଦିନ, ୯ ଖେଳ, ୧୦୬ ସ୍ବର୍ଣ୍ଣ ପଦକ

ଦଶ ଦିନ ଧରି ଖେଳାଯିବାକୁ ଥିବା ଖୋଲୋ ଇଣ୍ଡିଆ ଆଦିବାସୀ କ୍ରୀଡ଼ାରେ ମୋଟ ୯ଟି ଖେଳରେ ପ୍ରତିଦ୍ବନ୍ଦ୍ବିତା ହେବ। ସେଥିମଧ୍ୟରୁ ପାରମ୍ପରିକ ଭାବେ ଆଦିବାସୀମାନେ ଆଧିପତ୍ୟ ବିସ୍ତାର କରି ଆସୁଥିବା ତୀରନ୍ଦାଜି, ଦୌଡ଼କୁଦ, ଫୁଟ୍‌ବଲ୍‌, ହକି, ସନ୍ତରଣ, ଭାରୋତ୍ତୋଳନ ଓ କୁସ୍ତି ଆଦି ଖେଳରେ ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା ହେବ। ଅନ୍ୟପକ୍ଷରେ ଦୁଇଟି ଖେଳ ମଲଖମ୍ବ ଓ କବାଡ଼ି ପ୍ରଦର୍ଶନୀ ଖେଳ ଭାବେ ସାମିଲ ହେବ। ମୋଟ ୩୮୦୦ ଖେଳାଳି, ଅଧିକାରୀ ଓ ପ୍ରଶିକ୍ଷକ ଏଥିରେ ଅଂଶ୍ରଗହଣ କରିବେ। ସେଥିମଧ୍ୟରେ ରହିଛନ୍ତି ୨୩୦୦ରୁ ଅଧିକ ଖେଳାଳି। ସେହଭଳି ପଦକ ବର୍ଗର ୭ଟି ଖେଳରେ ମୋଟ ୧୦୬ଟି ସ୍ବର୍ଣ୍ଣ ପଦକ ଜିତିବାର ସୁଯୋଗ ରହିବ। ସେଥିମଧ୍ୟରୁ ସର୍ବାଧିକ ସ୍ବର୍ଣ୍ଣ ସନ୍ତରଣରେ ରହିଛି।

ଓଡ଼ିଶାର ସବୁଠୁ ବଡ଼ ଦଳ

ଏହି ବହୁଦଳୀୟ ପ୍ରତିଯୋଗିତାରେ ଓଡ଼ିଶାର ସବୁଠୁ ବଡ଼ ଦଳ ଅଂଶଗ୍ରହଣ କରିବ। ସୂଚନା ଅନୁସାରେ ପାଖାପାଖି ୧୨୫ଜଣ ଓଡ଼ିଆ ଖେଳାଳି ଏହି ପ୍ରତିଯୋଗିତାରେ ପ୍ରତିଦ୍ବନ୍ଦ୍ବିତା କରିବେ। ତେବେ ଖେଲୋ ଇଣ୍ଡିଆର ୱେବସାଇଟ୍‌ ଅନୁସାରେ ଓଡ଼ିଆ ଖେଳାଳିଙ୍କ ପଞ୍ଜୀକରଣ ସଂଖ୍ୟା ୧୫୦ରୁ ଅଧିକ ହେବ। ସେଥିମଧ୍ୟରେ ରହିଛନ୍ତି ୮୦ଜଣ ପୁରୁଷ ଓ ୭୩ଜଣ ମହିଳା ଖେଳାଳି। ସବୁଠାରୁ ବଡ଼ କଥା ହେଲା ଏହି ସଂଖ୍ୟା ହେଉଛି ଆୟୋଜକ ଛତିଶଗଡ଼ର ଦଳଠାରୁ ମଧ୍ୟ ବଡ଼। ରାଜ୍ୟ ଦଳ ପାଇଁ ପଞ୍ଜୀକରଣ କରିଥିବା ପ୍ରମୁଖ ଖେଳାଳିଙ୍କ ମଧ୍ୟ‌ରେ ରହିଛନ୍ତି ମୀନା ସାନ୍ତା, ଯମୁନା ଟୁଡୁ, ଧନେଶ୍ବରୀ ବାସ୍କେ, ଆଜ୍‌ମିନା କୁଜୁର ପ୍ରମୁଖ।

 

 

 

 

ସୌଜନ୍ୟ ସମ୍ବାଦ

Exit mobile version