ଖେଳଦେଶ ବିଦେଶ

Labour codes: ଦେଶରେ କାର୍ଯ୍ୟକାରୀ ହେଲା ନୂଆ ଶ୍ରମ କୋଡ୍‌, ସାପ୍ତାହିକ କାର୍ଯ୍ୟ ସମୟ ୪୮ ଘଣ୍ଟା

ନୂଆଦିଲ୍ଲୀ: କାର୍ଯ୍ୟ ସମୟକୁ ନେଇ ବିତର୍କ ଚାଲିଥିବା ଭିତରେ କେନ୍ଦ୍ର ସରକାର ନୂଆ ଶ୍ରମ କୋଡ୍‌ରେ ସାପ୍ତାହିକ କାର୍ଯ୍ୟ ସମୟକୁ ୪୮ ଘଣ୍ଟାରେ ସୀମିତ ରଖିଛନ୍ତି। ଏହାଠାରୁ ଅଧିକ ସମୟ କାର୍ଯ୍ୟ କଲେ କର୍ମଚାରୀମାନଙ୍କୁ ଘଣ୍ଟାପିଛା ଧାର୍ଯ୍ୟ ‌ମଜୁରିର ଦୁଇଗୁଣା ରାଶି ଦେବାକୁ ପଡ଼ିବ। ନୂଆ ଶ୍ରମ କୋଡ୍‌ ଅଧୀନରେ ଅଂଶୀଦାରମାନଙ୍କ ମତମତା ସଂଗ୍ରହ ପାଇଁ ଚିଠା ନିୟମ ପ୍ରକାଶ ପାଇବାର ପ୍ରାୟ ୪ ମାସ ପରେ କେନ୍ଦ୍ର ସରକାର ଶୁକ୍ରବାର ଚୂଡ଼ାନ୍ତ ନିୟମ ଜାରି କରିଛନ୍ତି। ସଂପୃକ୍ତ କୋଡ୍‌ ସଂକ୍ରାନ୍ତ ନିୟମର ବିଜ୍ଞପ୍ତି ଜାରି ହେବା ଫଳରେ ଦେଶରେ ପ୍ରଚଳିତ ୨୯ଟି ଶ୍ରମ ନିୟମକୁ ବ୍ୟବସ୍ଥିତ କରିବା ପାଇଁ ୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ପଦକ୍ଷେପ ସଂପୂର୍ଣ୍ଣ ହୋଇଛି।

ସେହି ୪ଟି କୋଡ୍‌ ହେଲା ମଜୁରି କୋଡ୍‌ ୨୦୧୯, ଶିଳ୍ପ ସଂପର୍କ କୋଡ୍‌ ୨୦୨୦, ସାମାଜିକ ସୁରକ୍ଷା କୋଡ୍‌ ୨୦୨୦ ଏବଂ ବୃତ୍ତି ସଂପର୍କିତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାମ କରିବାର ସ୍ଥିତି କୋଡ୍‌ ୨୦୨୦। ନୂଆ ଶ୍ରମ କୋଡ୍‌ ଗତବର୍ଷ ଆଇନରେ ପରିଣତ ହୋଇଥିଲା। କିନ୍ତୁ କୋଡ୍‌ ଅଧୀନରେ ବିସ୍ତୃତ ନିୟମ ପଡ଼ି ରହିଥିବାରୁ ସରକାର ଶ୍ରମ ‌କୋଡ୍‌କୁ ସଂପୂର୍ଣ୍ଣ କାର୍ଯ୍ୟକାରୀ କରିପାରି ନଥିଲେ। କିନ୍ତୁ ଏବେ ୪ଟି ଯାକ ଶ୍ରମ କୋଡ୍‌ ଅଧୀନ ନିୟମ ଅଫିସିଆଲ ଗେଜେଟ୍‌ରେ ପ୍ରକାଶ ପାଇଛି। ତେଣୁ ନୂଆ ଶ୍ରମ କୋଡ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ୨୦୨୫ ଡିସେମ୍ବର ୩୦ରେ ପ୍ରଥମେ ଚିଠା ନିୟମ ପ୍ରକାଶ ପାଇଥିଲା। ଆଇନ ବିଭାଗର ସମ୍ମତି ଏବଂ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି ପୂର୍ବରୁ ଅଂଶୀଦାରମାନଙ୍କ ଠାରୁ ମତାମତ ଲୋଡ଼ାଯାଇଥିଲା।।

ଶ୍ରମ ଆଇନ ସମ୍ବିଧାନର ମିଳିତ ତାଲିକାରେ ଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏଥିପାଇଁ ବିଜ୍ଞପ୍ତି ଜାରି କରିବାକୁ ହେବ। ନୂଆ ଶ୍ରମ କୋଡ୍‌ରେ ନିଯୁକ୍ତିପତ୍ର ଦେବାକୁ ବାଧ୍ୟତାମୂଳକ କରାଯାଇଛି। ସେହିଭଳି ୪୦ ଓ ତା’ଠାରୁ ଅଧିକ ବୟସର କର୍ମଚାରୀମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ ଏବଂ ସମାନ କାମକୁ ସମାନ ଦରମା ସହିତ ବିଭିନ୍ନ ସିଫ୍ଟରେ ମହିଳା କର୍ମଚାରୀମାନଙ୍କୁ ସୁଯୋଗ ଦେବାର ବ୍ୟବସ୍ଥା ରହିଛି। ଯେଉଁ କର୍ମଚାରୀମାନେ ଚାକିରି ହରାଉଛନ୍ତି ଏବଂ ସେମାନଙ୍କୁ ପୁନର୍ବାର ତାଲିମ ଦେବାର ଆବଶ୍ୟକତା ରହିଛି ସେମାନଙ୍କ ପାଇଁ ଏକ ଜାତୀୟ ପୁନଃଦକ୍ଷତା ପାଣ୍ଠି ସୃଷ୍ଟିକୁ ବାଧ୍ୟତାମୂଳକ କରାଯାଇଛି।

ସୂଚନା ଅନୁଯାୟୀ, ମଜୁରି କୋଡ୍‌ ଅଧୀନ ନିୟମରେ କେନ୍ଦ୍ର ସରକାରଙ୍କୁ ଜାତୀୟସ୍ତରରେ ସର୍ବନିମ୍ନ ମଜୁରି ଧାର୍ଯ୍ୟ କ୍ଷମତା ଦିଆଯାଇଛି। ଏଥିସହିତ ଠିକା କର୍ମଚାରୀମାନଙ୍କୁ ବେତନ ପ୍ରଦାନ କରା ନଯିବା ପ୍ରସଙ୍ଗରେ ଠିକାଦାରଙ୍କୁ ଉତ୍ତରଦାୟୀ କରିବା ପରିବର୍ତ୍ତେ ମୁଖ୍ୟ ନିଯୁକ୍ତିଦାତାଙ୍କୁ ଉତ୍ତରଦାୟୀ କରିବା ବ୍ୟବସ୍ଥା ରହିଛି। ଏଥିସହିତ ବର୍ଷକୁ ଦୁଇଥର ପରିବର୍ତ୍ତିତ ମହଙ୍ଗା ଭତ୍ତା ନିଶ୍ଚିତ ସଂଶୋଧନ କରାଯିବାର ବ୍ୟବସ୍ଥା ରହିଛି। ଶିଳ୍ପ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଖାଉଟି ମୂଲ୍ୟ ସୂଚୀ ଆଧାରରେ ଏହା କରାଯିବ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button