ଚେନ୍ନାଇ: ସୁପରଷ୍ଟାର ତଥା ତାମିଲନାଡୁର ନୂତନ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜନ ନାୟକନ’କୁ ନେଇ ପୁଣିଥରେ ବଡ଼ ସୂଚନା । ଏହି ଚଳଚ୍ଚିତ୍ର ଖୁବ୍ ଶୀଘ୍ର ସିନେମା ଘରେ ଦର୍ଶକଙ୍କ ସମ୍ମୁଖକୁ ଆସିପାରେ। ବିଜୟଙ୍କ ରାଜନୈତିକ ଯାତ୍ରା ମଧ୍ୟରେ ଏହି ଚଳଚ୍ଚିତ୍ରକୁ ତାଙ୍କ କ୍ୟାରିଅରର ସବୁଠାରୁ ବିଶେଷ ଚଳଚ୍ଚିତ୍ର ଭାବେ ବିବେଚନା କରାଯାଉଛି। ଚଳଚ୍ଚିତ୍ରର ପ୍ରଯୋଜକ ଭେଙ୍କଟ କେ. ନାରାୟଣ କହିଛନ୍ତି ଯେ ‘ଜନ ନାୟକନ’ ଆସନ୍ତା ୧୪ ଦିନ ମଧ୍ୟରେ ମୁକ୍ତିଲାଭ କରିପାରେ। ସେ କହିଛନ୍ତି ଯେ ଚଳଚ୍ଚିତ୍ରର କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣପତ୍ର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ଅଛି ଏବଂ ବୋର୍ଡ ସହ ଆଲୋଚନା ଚାଲିଥିବାରୁ ମୁକ୍ତିଲାଭରେ ସାମାନ୍ୟ ବିଳମ୍ବ ହେଉଛି। ଖବର ଅନୁସାରେ ନିର୍ମାତାମାନେ ଜୁନ୍ ୨୨ରେ, ଅର୍ଥାତ୍ ବିଜୟଙ୍କ ଜନ୍ମଦିନରେ, ଚଳଚ୍ଚିତ୍ରଟିକୁ ମୁକ୍ତିଲାଭ କରାଇବାକୁ ଯୋଜନା କରୁଛନ୍ତି।
ଏହି ଚଳଚ୍ଚିତ୍ରରେ ପୂଜା ହେଗଡେ, ବବି ଦେୱଲ, ମମିତା ବୈଜୁ ଏବଂ ଗୌତମ ବାସୁଦେବ ମେନନଙ୍କ ଭଳି ଶକ୍ତିଶାଳୀ ତାରକା ମାନେ ନଜର ଆସିବେ। ଏଚ୍. ବିନୋଦଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ଏହି ଚଳଚ୍ଚିତ୍ରକୁ ବିଜୟଙ୍କ ଶେଷ ଚଳଚ୍ଚିତ୍ର ବୋଲି ମନେ କରାଯାଉଥିବାରୁ ପ୍ରଶଂସକମାନଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ନିର୍ମାତାମାନେ ଏହା ମଧ୍ୟ କହିଛନ୍ତି ଯେ, “ଜନ ନାୟକନ କେବଳ ଏକ ଚଳଚ୍ଚିତ୍ର ନୁହେଁ, ବରଂ ଏହା ତାମିଲନାଡୁର ନୂତନ ରାଜନୈତିକ ଚିନ୍ତାଧାରା ଏବଂ ପରିବର୍ତ୍ତନର ପ୍ରତୀକ ପାଲଟିଛି।”
ନିର୍ମାତାମାନଙ୍କ ଚିନ୍ତା ବଢ଼ାଇଲାଣି ଅବୈଧ ପ୍ରଚାର
ଏପଟେ ଚଳଚ୍ଚିତ୍ରଟି ରିଲିଜ ପୂର୍ବରୁ ଅନଲାଇନରେ ଫେକ୍ ଭାଇରାଲ୍ ହୋଉଥିବା ଘଟଣା ନିର୍ମାତାମାନଙ୍କ ଚିନ୍ତା ବଢ଼ାଇଦେଇଛି। ଏହି ଘଟଣାକୁ ନେଇ ଇଣ୍ଡିଆନ୍ ମୋସନ୍ ପିକଚର୍ ପ୍ରଡ୍ୟୁସର୍ସ ଆସୋସିଏସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କଠୋର ପଦକ୍ଷେପ ନେବାକୁ ଅନୁରୋଧ କରିଛି। ତାମିଲନାଡୁ ସାଇବର୍ ପୁଲିସ ମଧ୍ୟ ଏହି ମାମଲାରେ ଅନେକଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ଅବୈଧ ପ୍ରଚାର ଘଟଣାକୁ ନେଇ କମଲ ହାସନଙ୍କଠାରୁ ଆରମ୍ଭ କରି ରଜନୀକାନ୍ତ, ଚିରଞ୍ଜିବୀ, ବିଜୟ ଦେବରକୋଣ୍ଡା ଏବଂ ଆଲ୍ଲୁ ଅର୍ଜୁନଙ୍କ ପର୍ଯ୍ୟନ୍ତ ଅଭିନେତାମାନେ ଏହି ଘଟଣାର ନିନ୍ଦା କରିଛନ୍ତି। ନିର୍ମାତାମାନେ ପ୍ରଶଂସକମାନଙ୍କୁ ନକଲି ସୂତ୍ରରୁ ଚଳଚ୍ଚିତ୍ର ନଦେଖି ସିନେମା ଘରେ ଦେଖିବାକୁ ଅନୁରୋଧ କରିଛନ୍ତି।
ସୌଜନ୍ୟ ସମ୍ବାଦ

