ରାଜ୍ୟ

Life: ଦିନରେ ସୂର୍ଯ୍ୟ, ରାତିରେ ଜହ୍ନ ଭରସାରେ ଜୀବନ: ଦୟନୀୟ ଅବସ୍ଥାର ତାବେଡ଼ା ଓ ପାନାବାରି ଅଧିବାସୀ

ସରକାରୀ ଚାଉଳ ପାଉଛନ୍ତି ସତ, ହେଲେ ଏହା ଖାଇବା ସେମାନଙ୍କ ଭାଗ୍ୟରେ ନାହିଁ। ବୋଝ ମୁଣ୍ଡାଇ ପାହାଡ଼ ଉପରକୁ ଉଠିବା ଅପେକ୍ଷା ସେମାନେ ତାହାକୁ ଶାଗମାଛ ଦରରେ ବିକ୍ରି କରି ଦିଅନ୍ତି। ରୋଗୀ ଓ ଗର୍ଭବତୀଙ୍କୁ କାନ୍ଧରେ ବସାଇ ପାହାଡ଼ ତଳକୁ ଆଣିଲେ ଚିକିତ୍ସା ସୁବିଧା ମିଳେ।

ଦଶପଲ୍ଲା (ପ୍ରଫୁଲ୍ଲ ପଣ୍ଡା): ସରକାରୀ ଚାଉଳ ପାଉଛନ୍ତି ସତ, ହେଲେ ଏହା ଖାଇବା ସେମାନଙ୍କ ଭାଗ୍ୟରେ ନାହିଁ। ବୋଝ ମୁଣ୍ଡାଇ ପାହାଡ଼ ଉପରକୁ ଉଠିବା ଅପେକ୍ଷା ସେମାନେ ତାହାକୁ ଶାଗମାଛ ଦରରେ ବିକ୍ରି କରି ଦିଅନ୍ତି। ରୋଗୀ ଓ ଗର୍ଭବତୀଙ୍କୁ କାନ୍ଧରେ ବସାଇ ପାହାଡ଼ ତଳକୁ ଆଣିଲେ ଚିକିତ୍ସା ସୁବିଧା ମିଳେ। ବିଦ୍ୟୁତ୍‌ ଆଲୁଅ ସେମାନଙ୍କ ପାଇଁ ସ୍ବପ୍ନ। ଦିନରେ ସୂର୍ଯ୍ୟ, ଆଉ ରାତିରେ ଜହ୍ନ ଆଲୋକ ଯାହା ସେମାନଙ୍କ ଅନ୍ଧକାର ଦୂର କରିଥାଏ। ଶିକ୍ଷା, ସ୍ବାସ୍ଥ୍ୟ ଓ ପାନୀୟ ଜଳ କଥା ନକହିବା ଭଲ। ଘଞ୍ଚ ଜଙ୍ଗଲ ଓ ପାହାଡ଼ ଉପର ଏକପ୍ରକାର ଦୁର୍ବିସହ ଜୀବନ ବିତାଉଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତର ଆଦିବାସୀ ଗାଁ ତାବେଡ଼ା, ପାନାବାରି ଓ ଆସରେଡ଼ା ଗ୍ରାମର ଅଧିବାସୀ।

ଭୂପୃଷ୍ଠଠାରୁ ପ୍ରାୟ ୫କିମି ଉଚ୍ଚ ୩ଟି ପାହାଡ଼ ଉପରେ ତାବେଡ଼ା ଗ୍ରାମର ୧୨ଟି ପରିବାର ବସବାସ କରନ୍ତି। ତାବେଡ଼ାଠାରୁ ୨କିମି ଦୂର ଆଉ ଏକ ପାହାଡ଼ ଉପରେ ପାନାବାରି ଗ୍ରାମର ୩୫ପରିବାର ବସବାସ କରୁଥିବା ବେଳେ ଅନ୍ୟ ଏକ ପାହାଡ଼ ଉପରେ ଆସରେଡ଼ା ଗ୍ରାମର ୨ଟି ପରିବାର ବସବାସ କରି ଆସୁଛନ୍ତି। ଏସବୁ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଓ ବିଦ୍ୟୁତ୍ ସୁବିଧା ଏଯାଏଁ ଅପହଞ୍ଚ। ରାସ୍ତା ପାଇଁ ବାଧକ ସାଜିଛି ସଂରକ୍ଷିତ ଜଙ୍ଗଲ। ଗ୍ରାମବାସୀ ବଣ ପାହାଡ଼ର ଢିମା ପଥର ଡେଇଁ ଯାତାୟାତ କରିଥାନ୍ତି।

ପାଦେପାଦେ ବିପଦ ଥିଲେ ମଧ୍ୟ ରୋଗୀ ଓ ଗର୍ଭବତୀଙ୍କୁ ବୋହି ପାହାଡ଼ ତଳକୁ ଆସିବାକୁ ପଡ଼େ। ଭତ୍ତା, ରାସନ ସାମଗ୍ରୀ ପାଇଁ ପାହାଡ଼ ତଳକୁ ଆସି ପୁଣି ଗାଁକୁ ଫେରିବାକୁ ହେଲେ ଗୋଟିଏ ଦିନ ଲାଗି ଯାଉଛି। ଚାଉଳ ଧରି ପାହାଡ଼ ଚଢ଼ିବା ସମ୍ଭବ ହେଉ ନଥିବାରୁ ଅନେକ ପରିବାର ବ୍ୟବସାୟୀଙ୍କୁ ଶାଗମାଛ ଦରରେ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ପାହାଡ଼ ଉପରେ ଥିବା ସମତୁଲ ସ୍ଥାନରେ ଚାଷକରି ଜୀବିକା ନିର୍ବାହ କରନ୍ତି। ବର୍ଷାଦିନେ ଉପର ମୁଣ୍ତରେ ଥିବା ଆସରେଡ଼ା ପାହାଡ଼ରୁ ପ୍ରବଳ ବେଗରେ ପାଣି, ବାଲି ଓ ଛୋଟଛୋଟ ପଥରଖଣ୍ତ ଧସିଆସି ଗାଁରେ ପଶିବା ଦ୍ବାରା ଏସବୁ ଚାଷଜମି ବାଲିଚର ହୋଇ ରହୁଛି। ଗାଁରେ ପାନୀୟଜଳ ସମସ୍ୟା ଉତ୍କଟ। ଦୁଇଟି କୂଅ ମଧ୍ୟରୁ ଗ୍ରୀଷ୍ମରେ ଗୋଟିଏ ଶୁଖି ଯାଉଥିବା ବେଳେ ଗୋଟିଏ କୂଅ ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି। ଖୁଚୁରା ବିକ୍ରୟ କେନ୍ଦ୍ରରୁ କିରାସିନି ମିଳୁ ନଥିବାରୁ ସଞ୍ଜ ନଇଁଲେ ଗାଁରେ ତାଟି କବାଟ ପଡୁଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button