Lightning Strike ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୨ ଚାଷୀ ମୃତ
ମୟୂରଭଞ୍ଜ ବାରିପଦା ସଦର ଥାନା ଅଧୀନ କାଶିପାଳ ଗ୍ରାମରେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ଦୁଇ ଚାଷୀଙ୍କ ମୃତ୍ୟୁ। ଚାଷ କାମ ସାରି ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ।

ବେତନଟୀ (ମୟୂରଭଞ୍ଜ): ବାରିପଦା ସଦର ଥାନା ଅଧୀନ ରାଜାବସା ପଞ୍ଚାୟତର କାଶିପାଳ ଗ୍ରାମରେ ବଜ୍ରପାତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।
ସୂଚନାନୁସାରେ, ଆଜି (ସୋମବାର) ଚାଷ କାମ ସାରି ଘରକୁ ଫେରୁଥିବା ସମୟରେ ବଜ୍ରାଘାତର ଶିକାର ହୋଇ କାଶିପାଳ ଗ୍ରାମର କାତୁଲ ହାଁସଦା (୪୮) ଓ ଫୁଲମଣି ହାଁସଦା (୪୦)ଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ସ୍ବର୍ଗତ ହରି ହାଁସଦାଙ୍କ ପୁଅ କାତୁଲ ହାଁସଦା ଓ ସ୍ବର୍ଗତ ମଙ୍ଗଲ ହାଁସଦାଙ୍କ ପତ୍ନୀ ଫୁଲମଣି ହାଁସଦା ଗ୍ରାମ ନିକଟସ୍ଥ କ୍ଷେତରେ ଚାଷ କାମ କରୁଥିଲେ। ଆକାଶ ମେଘାଚ୍ଛନ୍ନ ହୋଇ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଥିଲା। ଏହାପରେ ଦୁହେଁ ବିଲରୁ ଘରକୁ ଫେରୁଥିବା ବେଳେ ହଠାତ୍ ସେମାନଙ୍କ ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ଦୁହେଁ ଅଚେତ ହୋଇ ପଡ଼ିଥିଲେ।
ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ରଙ୍ଗାମାଟିଆସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ବାରିପଦା ସଦର ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରେ ମୃତଦେହର ଶବବ୍ୟବଚ୍ଛେଦ କରାଯାଇଥିବା ନେଇ ଥାନା ଆଇଆଇସି ସସ୍ମିତା ମହାନ୍ତ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




