‘Pushpa Gang’ Leader ଚଳାଉଥିଲା ‘ପୁଷ୍ପା ଗ୍ୟାଙ୍ଗ’, ଚକମା ଦେଇ ଫେରାଥିଲା, ସୁବର୍ଣ୍ଣପୁରରୁ ଧରାପଡ଼ିଲା
ସୁବର୍ଣ୍ଣପୁର ପୁଲିସ ହାତରେ ‘ପୁଷ୍ପା’ ଓରଫ ପି. ରାମୁଲୁ। ଭୁବନେଶ୍ୱରରେ ୧୫ରୁ ଅଧିକ ମାମଲା ଥିବା ଏହି ଅଭିଯୁକ୍ତ ‘ପୁଷ୍ପା ଗ୍ୟାଙ୍ଗ’ ଚଳାଉଥିବା ଅଭିଯୋଗ।

ସୋନପୁର(ସୁବର୍ଣ୍ଣପୁର): ବହୁ ଆଲୋଚିତ ଚଳଚ୍ଚିତ୍ର ‘ପୁଷ୍ପା’ ଷ୍ଟାଇଲ୍ରେ ନିଜର ଜୀବନକୁ ଗଢ଼ିବାକୁ ଉଦ୍ୟମ କରୁଥିଲା। ଆତଙ୍କ ସୃଷ୍ଟି କରି ଅପରାଧ ଜଗତର ଡନ୍ ହେବାର ଲାଳସା ଥିଲା। ଏଣୁ ନିଜ ଗ୍ୟାଙ୍ଗର ନାଁ ରଖିଥିଲା ପୁଷ୍ପାଗ୍ୟାଙ୍ଗ୍। କିନ୍ତୁ ଧରପଗଡ଼ ଆରମ୍ଭ ହେବା ପରେ ପୁଲିସକୁ ଚକମା ଦେଇ ଫେରାର୍ ହୋଇଯାଇଥିଲା। ଆଜି ସୁବର୍ଣ୍ଣପୁର ପୁଲିସ ହାତରେ ଧରାପଡ଼ିଛି ପି ରାମୁଲୁ ଓରଫ ପୁଷ୍ପା।
କିଛି ମାସ ତଳେ ଭୁବନେଶ୍ବର ବୁଦ୍ଧନଗର ଗୌତମନଗର ସ୍ଥିତ ଏକ କଦଳୀ ଗୋଦାମରେ ଖଣ୍ଡାରେ ଆକ୍ରମଣ କରି ଆତଙ୍କ ଖେଳାଇଥିଲେ। ଏହି ଘଟଣାରେ ବଡ଼ଗଡ଼ ପୁଲିସ ତଦନ୍ତ କରି ପି ରାମୁଲୁର ତିନି ସହଯୋଗୀ ଆଦିତ୍ୟ, ପ୍ରତ୍ୟୁଷ ଓ ସଂଗ୍ରାମ ସହ ପତ୍ନୀ ଶ୍ରୀବଲ୍ଲିକୁ ଗିରଫ କରିଥିଲା। କିନ୍ତୁ ପୁଷ୍ପା ପି.ରାମଲୁ ଫେରାର ହୋଇଯାଇଥିଲା। ଏହାପରେ କମିସନରେଟ ପୁଲିସର ୱାଣ୍ଡେଡ୍ ତାଲିକାରେ ଥିଲା ପି ରାମୁଲୁ।
ଆଜି ସୁବର୍ଣ୍ଣପୁର ପୁଲିସ ପି ରାମୁଲୁ ସହ ଅନ୍ୟ ଦୁଇ ସହଯୋଗୀଙ୍କୁ ଗିରଫ କରିଛି। ଏନେଇ ଏସପି ନାରାୟଣ ନାୟକ ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି। ଜିଲ୍ଲାର ତରଭା ଥାନା ଶିବତୁଲା ଅଞ୍ଚଳରେ ଏକ ଧଳା ରଙ୍ଗର କାର(ଓଡି-୦୨-ଡିକେ-୬୩୭୩)ରେ କିଛି ସନ୍ଦିଗ୍ଧ ବ୍ୟକ୍ତି ମାରଣାସ୍ତ୍ର ସହ ରହିଥିବା ରବିବାର ଅପରାହ୍ନରେ ପୁଲିସକୁ ସୂଚନା ମିଳିଥିଲା। ପୁଲିସ କାର ନିକଟରେ ପହଞ୍ଚିବା ବେଳେ କାରରୁ ଦୁଇ ଜଣ ବ୍ୟକ୍ତି ଫେରାର ହେବାରେ ସଫଳ ହୋଇଥିଲେ। ଅନ୍ୟ ତିନି ଜଣଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିଥିଲା। ୫୭ ନଂ ଜାତୀୟ ରାଜପଥର ଶିବତୁଲାଠାରୁ ଖାରି ମଧ୍ୟରେ ଗାଡ଼ି ଚାଳକ ଓ ପଥଚାରୀଙ୍କୁ ଲୁଟ୍ କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା। ଏପରିକି ତରଭା ଥାନା ଅଞ୍ଚଳରେ ଥିବା ସମୟରେ କାର ଭିତରେ ରିଲ୍ସ ତିଆରି କରିଥିବା ଏସପି ସୂଚନା ଦେଇଛନ୍ତି। ସେମାନେ ହେଲେ ଭୁବନେଶ୍ବର ଧଉଳି ଥାନା ଶିଶୁପାଳଗଡ଼ର ପୁଷ୍ପା ଓରଫ ରାମଲୁ ରାଓ(୨୫), ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବାଜିଚୌକିର ମୂଳବାସିନ୍ଦା ତଥା ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ବୁଦ୍ଧନଗରରେ ରହୁଥିବା ପ୍ରତ୍ୟୁଷ ପ୍ରିୟାଂଶୁ ନାଏକ(୨୦) ଓ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବତୁଲା ଗ୍ରାମର ରାଜେଶ ଓରଫ ରାଜନ ନାଏକ(୨୪)।
ରାଜେଶ ଭୁବନେଶ୍ବରେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିଲା। ସେ ଏମାନଙ୍କୁ ଆଣି ଥିବା ସୂଚନା ମିଳିଛି। ପି.ରାମଲୁ ଭୁବନେଶ୍ବର ଜଣେ ଜଣାଶୁଣା ଅପରାଧୀ। ତା’ ବିରୋଧରେ ଭୁବନେଶ୍ବର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି। ‘ପୁଷ୍ପା ଗ୍ୟାଙ୍ଗ’ ନାମରେ ଏକ ଅପରାଧୀ ଗୋଷ୍ଠୀ ପରିଚାଳନା କରୁଥିବା ଜଣାଯାଇଛି। ସେହିପରି ପ୍ରତ୍ୟୁଷ ନାଏକ ବିରୋଧରେ ମଧ୍ୟ ଭୁବନେଶ୍ବର ସହରାଞ୍ଚଳ ପୁଲିସ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରହିଥିବା ଜଣାଯାଇଛି। ତଲାସି ବେଳେ କାରରୁ ମିଳିଥିବା ଗୋଟିଏ ଲେଖାଏଁ ଭୂଜାଲି, ଛୁରି, ଲୁହା ପାଇପ, ଦୌଡ଼ି, ଲଙ୍କାଗୁଣ୍ଡ ପ୍ୟାକେଟ, ୩ଟି କଳା ମାସ୍କ, ଦୁଇଟି ଲାଠି ଜବତ ହୋଇଛି। ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରହିଥିବା ଏସପି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି କେ.କେ ହରି ପ୍ରସାଦ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




