ନୂଆଦିଲ୍ଲୀ ୨୩।୦୫; ଆମେରିକାର ଜଣେ ବ୍ୟକ୍ତିଙ୍କ ଉପରେ ନିକଟରେ ଭାଗ୍ୟଦେବୀ ପ୍ରସନ୍ନ ହୋଇଛନ୍ତି । ଏକ ପୁରୁଣା ପ୍ୟାଣ୍ଟ ପକେଟ୍ରୁ ସେ ଗତମାସରେ ଏକ ଲଟେରୀ ଟିକଟ ପାଇଥିଲେ। ତାକୁ ଯାଞ୍ଚ କରିବା ପରେ ସେହି ଟିକଟ ଯୋଗୁ ସେ ଭାରତୀୟ ମୁଦ୍ରାରେ ପ୍ରାୟ ୫୭ କୋଟି ଜିତିଛନ୍ତି। ରିପୋର୍ଟ ଅନୁସାରେ, ନ୍ୟୁଜର୍ସିର ବାସିନ୍ଦା ବ୍ୟକ୍ତିଜଣକ ଗତବର୍ଷ ଏକ ପେଟ୍ରୋଲ ପମ୍ପରୁ ସେହି ଲଟେରୀ ଟିକଟ କିଣିଥିଲେ।
ସେହି ପେଟ୍ରୋଲ ପମ୍ପକୁ ସେ ନିୟମିତ ତେଲ ପକାଇବାକୁ ଯାଉଥିଲେ। ପରେ ତାଙ୍କର ସେହି ଲଟେରୀ ଟିକଟଟି ହଜିଯାଇଥିଲା। ସେ ମଧ୍ୟ ସେଥିପ୍ରତି ଏତେ ଧ୍ୟାନ ଦେଇନଥିଲେ। ଗତମାସରେ ଲଟେରୀର ସମୟ ସୀମା ଶେଷ ହେବା ପୂର୍ବରୁ ଅଧିକାରୀମାନେ ଘୋଷଣା କରିଥିଲେ ଯେ, ଅଦ୍ୟାବଧି କେହି ପୁରସ୍କାର ରାଶି ନେଇନାହାନ୍ତି। ତାର ବୈଧତା ଖୁବ୍ ଶୀଘ୍ର ସମାପ୍ତ ହେବାକୁ ଯାଉଛି। ସେ ଯେଉଁ ପେଟ୍ରୋଲ ପମ୍ପରେ ତେଲ ପକାଠି ସେଇଠୁ ବିଜୟୀ ଟିକଟଟି କିଣାଯାଇଥିବା ସେମାନେ ସୂଚନା ଦେଇଥିଲେ।
ଏହାପରେ ସୌଭାଗ୍ୟବଶତଃ ଆଲମିରାରେ ରଖିଥିବା ପୁରୁଣା ପ୍ୟାଣ୍ଟ ପକେଟରୁ ବ୍ୟକ୍ତିଙ୍କୁ ସେହି ଟିକଟଟି ମିଳିଥିଲା । ତାହା ଏବେ ତାଙ୍କର ଭାଗ୍ୟ ବଦଳାଇ ଦେଇଛି। ତାକୁ ଦେଖାଇ ସେ ଲଟେରୀ ଅଧିକାରୀଙ୍କ ନିକଟରୁ ୫୭.୧୧ କୋଟିର ପୁରସ୍କାର ପାଇବାରେ ସଫଳ ହୋଇଛନ୍ତି।
ସୌଜନ୍ୟ Prameya News7

