ରାଜ୍ୟ

Mahanadi Water Dispute: ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ, ମହାନଦୀ ବଞ୍ଚାଅ ଆନ୍ଦୋଳନ କର୍ମୀ ଅଟକ

ମହାନଦୀ ଜଳ ବିବାଦ ନାହିଁ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ବିବୃତିକୁ ବିରୋଧ କରି ଭୁବନେଶ୍ୱରରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ବିକ୍ଷୋଭ। କର୍ମୀଙ୍କୁ ୩ ଘଣ୍ଟା ଅଟକ ପରେ ଛାଡ଼ିଲା ପୁଲିସ।

ଭୁବନେଶ୍ବର:  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ସେ ଗଣମାଧ୍ୟମ ଆଗରେ କହିଛନ୍ତି, ମହାନଦୀ ଜଳକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଭିତରେ କୌଣସି ବିବାଦ ନାହିଁ। ଏଭଳି ବିବୃତିକୁ ଦୃଢ଼ ବି‌ରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭସ୍ଥଳରୁ ପୁଲିସ କର୍ମୀଙ୍କୁ ଉଠାଇ ନେଇ ୩ ଘଣ୍ଟା ଅଟକ ରଖିବା ପରେ ଛାଡ଼ିଛି।

ଲୋକଭବନ ସମ୍ମୁଖ ମଧୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ମହାନଦୀ ବଞ୍ଚାଅ ଆନ୍ଦୋଳନର କାର୍ଯ୍ୟକର୍ତ୍ତାମାନେ ଲୋକଭବନ ସମ୍ମୁଖ ପ୍ରତିମୂର୍ତ୍ତ ତଳେ ଏକାଠି ହୋଇଥିଲେ। ମହାନଦୀ କାହାର? ଯଦି ଓଡ଼ିଶା ଓ ଛତିଶଗଡ଼ ଭିତରେ ମହାନଦୀ ଜଳକୁ ନେଇ ବିବାଦ ନାହିଁ, ସମାଧାନ ପାଇଁ ଏତେ ନାଟକ କ’ଣ ପାଇଁ? କଲମା ବ୍ୟାରେଜ୍‌ର ସମସ୍ତ ଗେଟ୍‌ ଖରାଦିନେ କାହିଁକି ବନ୍ଦ ରଖାଯାଉଛି? ଅଣମୌସୁମୀ ସମୟରେ ଓଡ଼ିଶାକୁ ୧.୭୪ ନିୟୁତ ଏକର ଫୁଟ ପାଣି ଦରକାର। ତାକୁ ଛତିଶଗଡ଼ କାହିଁକି ଛାଡୁନି? ବିନା ଅନୁମତିରେ ମହାନଦୀରେ ନିର୍ମିତ ପ୍ରକଳ୍ପଗୁଡ଼ିକୁ ବେଆଇନ୍‌ ଘୋଷଣା କରାଯିବ କି? କେତେ ପାଣି ଉପର ମୁଣ୍ଡରେ ରଖିବାକୁ ଛତିଶଗଡ଼ ଦାବି କରୁଛି? ଏଭଳି ପ୍ରଶ୍ନ ସମ୍ବଳିତ ପ୍ଲାକାର୍ଡ ଧରି ନାରା ଦେଉଥିଲେ। ସଂଗଠନର କାର୍ଯ୍ୟକର୍ତ୍ତାମାନେ ଏଠାରେ ଧାରଣା ଦେବାର ଥିଲା। କିନ୍ତୁ ହଠାତ୍‌ କ୍ୟାପିଟାଲ୍‌ ଥାନା ପୁଲିସ ପହଞ୍ଚି ସମସ୍ତଙ୍କୁ ଥାନାକୁ ଉଠାଇ ନେଇଥିଲା। ଆଜିର ଏହି ଆନ୍ଦୋଳନରେ ବାସୁଦେବ ଭଟ୍ଟ, ଗିରିଜା ଦାଶ, ଅଶୋକ ପାଇକରାୟ, ପ୍ରସନ୍ନ ବିଶୋୟୀ, ମନୋଜ ଜେନା, ପ୍ରକାଶ ରଥ, ପ୍ରଦୀପ୍ତ ନାୟକ, ଅରୁଣ ଜେନା, ମୀନାରାଣୀ ଦାସ, ସର୍ବେଶ୍ୱର ମହାନ୍ତି, ବିବେକାନନ୍ଦ ବିଶ୍ୱାଳ, ସ୍ନେହାଂଶୁ ଜେନା ପ୍ରମୁଖ ଯୋଗ ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button