ଗଡ଼ଚିରୋଲି: ନକ୍ସଲବାଦ ଦେଶରେ ଶେଷନିଶ୍ବାସ ନେଉଥିବାବେଳେ ଏକଦା ମାଓବାଦୀଙ୍କ ଗଡ଼ ଥିବା ମହାରାଷ୍ଟ୍ରର ଗଡ଼ଚିରୋଲି ଛତିଶଗଡ଼ର ବସ୍ତର ପରି ବର୍ତ୍ତମାନ ନକ୍ସଲ ମୁକ୍ତ ଅଞ୍ଚଳ ଭାବେ ପରିଗଣିତ ହେଉଛି। ଦେଶରେ ମାଓବାଦୀଙ୍କ ସଙ୍ଗଠନ ଭାଙ୍ଗି ଯାଇଥିବାବେଳେ ମାତ୍ର କେତେଜଣ ହାତଗଣତି ମାଓ ନେତା ଆମସର୍ମପଣ କରିନାହାନ୍ତି। ଏପରିସ୍ଥଳେ ନିଜର ମାଓବାଦୀ ପୁଅକୁ ଘରକୁ ଫେରିଆସିବାକୁ ମହାରାଷ୍ଟ୍ର ଜଣେ ଅସହାୟ ବାପା ଆକୁଳ ନିବେଦନ କରିଛନ୍ତି।ଏତାପଲ୍ଲିର ଗିଲନଗୁଡା ଏକ ଉପାନ୍ତ ଗାଁର ଜୟରାମ ଓରଫ ନନ୍ଦୁ ମୋଙ୍ଗେ ଗଭାଡେ ମହାରାଷ୍ଟ୍ର ପୁଲିସ ରେକର୍ଡ଼ରେ ରହିଯାଇଥିବା ଶେଷ ଛଅଜଣ ମାଓବାଦୀଙ୍କ ମଧ୍ୟରୁ ଜଣେ।
ଜୟରାମ ୧୪ ବର୍ଷ ପୂର୍ବେ ଘର କାମକୁ ନେଇ ବାପାଙ୍କ ଗାଳି ପରେ ରାଗିକରି ଘର ଛାଡ଼ି ପଳାଇଥିଲେ। ସେତେବେଳେ ଜୟରାମଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ସେ ମାଓବାଦୀଙ୍କ ସହିତ ମିଶି ଅସ୍ତ୍ର ଉଠାଇଥିଲେ ଓ ଆଉ ଘରକୁ ଫେରିନଥିଲେ। ମାଓବାଦୀଙ୍କ ମୂଳୋତ୍ପାଟନ ପାଇଁ ସରକାରୀ ସମୟସୀମା ପରେ ଏବେ ସୁରକ୍ଷା ବାହିନୀ ତାଙ୍କୁ ଖୋଜୁଛି। ଏଣେ ପୁଅର ସୁରକ୍ଷା ନେଇ ଚିନ୍ତିତ ହୋଇପଡ଼ିଛନ୍ତି ବାପା ମୋଙ୍ଗେ ଗଭାଡେ। ଏନ୍ଡିଟିଭି ସହିତ କଥାବାର୍ତ୍ତାବେଳେ ଏକ ଭିଡିଓ ବାର୍ତ୍ତାରେ ମୋଙ୍ଗେ ଗଭାଡେ ତାଙ୍କ ପୁଅକୁ ଘରକୁ ନିଜ ଲୋକଙ୍କ ପାଖକୁ ଫେରିଆସିବାକୁ ନିବେଦନ କରିଛନ୍ତି। ମୋଙ୍ଗେ କହିଛନ୍ତି, ତୁମର ବରିଷ୍ଠ କମ୍ରେଡ ଓ ନେତାମାନେ ଦଳ ଛାଡ଼ିସାରିଲେଣି। ତାହାହେଲେ ତୁମେ କାହିଁକି ଜଙ୍ଗଲରେ ଏକୁଟିଆ ରହି ଏତେ କଷ୍ଟ ସହୁଛ। ବନ୍ଧୁକ ଛାଡ଼ି ନିଜ ଲୋକଙ୍କ ପାଖକୁ ଚାଲି ଆସ।
ସୁରକ୍ଷା ବାହିନୀର ସୂତ୍ର ଅନୁସାରେ ଗାଭାଡେ ମାଓବାଦୀଙ୍କ କମ୍ପାନୀ ନମ୍ବର ୧୦ର ସଦସ୍ୟ। ଶେଷ ୬ ମାଓବାଦୀଙ୍କ ମଧ୍ୟରେ ୪ ଜଣ ମହିଳା ନକ୍ସଲଙ୍କ ବ୍ୟତୀତ ଡିଭିଜିନାଲ କମିଟି ସଦସ୍ୟ ରାଜୁ ୱେକୋ ଓ ଜୟରାମ ଗଭାଡେ ଅଛନ୍ତି। ଜୟରାମଙ୍କୁ ଛାଡ଼ିଦେଲେ ଅନ୍ୟ ୫ ଜଣ ଛତିଶଗଡ଼ର। ଏକଦା ପୁଲିସ ଓ ଲୋକଙ୍କ ଭିତରେ ଭୟ ସୃଷ୍ଟି କରୁଥିବା ଏହି ନକ୍ସଲ ଦଳର ଅଧିକାଂଶ ସଦସ୍ୟଙ୍କ ମତ୍ୟୁ ହୋଇସାରଥିବାବେଳେ ଆଉ କେତେଜଣ ରାଜ୍ୟ ସରକାରଙ୍କ ଲୋଭନୀୟ ପ୍ରସ୍ତାବ ଯୋଗୁ ଆତ୍ମସମର୍ପଣ କରୁଛନ୍ତି। ଗଡଚିରୋଲିରେ ଗତ କିଛିବର୍ଷ ଭିତରେ ସୁରକ୍ଷାକର୍ମୀଙ୍କ ଅପରେସନରେ ବହୁ ନକ୍ସଲ ନିହତ ହୋଇଛନ୍ତି। ଏପ୍ରିଲ ୨୦୧୮ରେ ଗଡ଼ଚିରୋଲିରେ ଦୁଇଟି ବଡ଼ ଅପରେସନରେ ୪୦ରୁ ଅଧିକ ମାଓବାଦୀ ନିହତ ହୋଇଥିଲେ। ମାର୍ଚ୍ଚ ୩୧ରେ କେନ୍ଦ୍ର ସରକାର ମହାରାଷ୍ଟ୍ରକୁ ନକ୍ସଲମୁକ୍ତ ଘୋଷଣା କରିଥିଲେ।
ସୌଜନ୍ୟ ସମ୍ବାଦ
