Neglect: ଦେଢ଼ ଶହ କୋଟିରେ ନିର୍ମିତ ୨ଟି ଲିଫ୍ଟ ଅଚଳ; ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ହନ୍ତସନ୍ତ
ଦେଢ଼ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଉର୍ଦ୍ଧିଷ୍ଟ ୨ଟି ଲିଫ୍ଟ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ଏହି ଲିଫ୍ଟ ଅଚଳ ହୋଇପଡ଼ିଥିବାରୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ...

ଭଦ୍ରକ (ହରିହର ନାୟକ): ଦେଢ଼ ଶହ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ପାଇଁ ଉର୍ଦ୍ଧିଷ୍ଟ ୨ଟି ଲିଫ୍ଟ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ଏହି ଲିଫ୍ଟ ଅଚଳ ହୋଇପଡ଼ିଥିବାରୁ ରୋଗୀ ଓ ସେମାନଙ୍କ ସଂପର୍କୀୟମାନେ ହସ୍ପିଟାଲର ୱାର୍ଡକୁ ଯିବାରେ ଅସୁବିଧା ଭୋଗୁଛନ୍ତି। ଅଚଳ ଲିଫ୍ଟକୁ ସଚଳ କରିବା ପାଇଁ ଲୋକମାନେ ବାରମ୍ବାର ଅଭିଯୋଗ କରି ଦାବି ପତ୍ର ଦେଇଥିଲେ ମଧ୍ୟ ମେଡ଼ିକାଲ କର୍ତ୍ତୃପକ୍ଷ ଏଥି ପ୍ରତି କର୍ଣପାତ କରୁ ନାହାନ୍ତି। ଲିଫ୍ଟ ସଚଳ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଭଦ୍ରକର ବହୁ ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକ ଚେତାବନୀ ଦେଇଛନ୍ତି।
ଏହି ସମସ୍ୟା ଆଜିର ନୁହେଁ। ପ୍ରାୟ ଛଅ ମାସ ପୂର୍ବରୁ ନବନିର୍ମାଣ ଯୁବ ଛାତ୍ର ସଂଗଠନର ପ୍ରବକ୍ତା ସବୀର ଖାନ ଏନେଇ ଏକ ଭିଡିଓ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ମଧ୍ୟ ଏହି ସମସ୍ୟା ସମାଧାନ ପାଇଁ ଦାବି ଓ ଅନୁରୋଧ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଚଳ ଲିଫ୍ଟ ଠିକ୍ ହୋଇନଥିବା ନେଇ ପୂର୍ବତନ କାଉନସିଲର ଅଶରଫ ଅଲ୍ଲୀ ଖାଁ ଅଭିଯୋଗ କରିଛନ୍ତି।
ଏତେ ଦିନ ଧରି ରୋଗୀଙ୍କ ଏହି ଗୁରୁତର ସମସ୍ୟା ରହିଥିବା ସତ୍ତ୍ୱେ ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନାହିଁ କାହିଁକି? ଲିଫ୍ଟ ଭଳି ଅତ୍ୟାବଶ୍ୟକ ସେବା ଦୀର୍ଘଦିନ ଧରି ଅଚଳ ରହିବା ପାଇଁ ଦାୟୀ କିଏ ବୋଲି ଭଦ୍ରକବାସୀଙ୍କ ପ୍ରଶ୍ନ ଉଠାଇଛନ୍ତି। ନବନିର୍ମାଣ ଯୁବ ଛାତ୍ର ସଂଗଠନର ପ୍ରବକ୍ତା ସବୀର ଖାନ ଦାବି କରିଛନ୍ତି ଯେ, ଯଥାଶୀଘ୍ର ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ଅଚଳ ଲିଫ୍ଟକୁ ମରାମତି କରି ରୋଗୀଙ୍କ ପାଇଁ ସେବା ଚାଲୁ କରାଯାଉ। ନଚେତ୍ ଆଗାମୀ ଦିନରେ ସେ ସିଡିଏମ୍ଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ରୋଗୀଙ୍କ ଜୀବନ ଓ ସୁବିଧା ସହିତ ଜଡ଼ିତ ଏଭଳି ଗୁରୁତର ସମସ୍ୟାକୁ ଆଉ ଅବହେଳା ନକରି ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଅଚଳ ଲିଫ୍ଟକୁ ଚାଲୁ କରିବା ସହିତ ଦାୟୀ ବିଭାଗ ଓ ଅଧିକାରୀଙ୍କ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଉ ବୋଲି ଭଦ୍ରକ ଜିଲ୍ଲା ନବନିର୍ମାଣ ଯୁବ ଛାତ୍ର ସଂଗଠନ ଦାବି କରିଛି।




