Maoist dumps: ଆବାପଲ୍ଲୀର ପେଦ୍ଦାପୁନ୍ନୁର ଜଙ୍ଗଲରୁ ବନ୍ଧୁକ ଓ ବିସ୍ଫୋରକ ଉଦ୍ଧାର
ମାଓବାଦୀ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ୍ ଓ ଡିମାଇନିଂ ଅଭିଯାନ ସମୟରେ ବଡ଼ ସଫଳତା ମିଳିଛି। ଆଜି ପାମେଡ଼ ଓ ଆବାପଲ୍ଲୀ ଥାନା ଅଞ୍ଚଳର ଦୁଇଟି ଭିନ୍ନ ଜଙ୍ଗଲରୁ...

ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଓବାଦୀ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ୍ ଓ ଡିମାଇନିଂ ଅଭିଯାନ ସମୟରେ ବଡ଼ ସଫଳତା ମିଳିଛି। ଆଜି ପାମେଡ଼ ଓ ଆବାପଲ୍ଲୀ ଥାନା ଅଞ୍ଚଳର ଦୁଇଟି ଭିନ୍ନ ଜଙ୍ଗଲରୁ ମାଓବାଦୀଙ୍କ ଦ୍ୱାରା ଲୁଚାଇ ରଖାଯାଇଥିବା ଡମ୍ପ ଉଦ୍ଧାର କରାଯାଇଛି। ଏହି ଅଭିଯାନରେ ବିପୁଳ ପରିମାଣର ସଂଚାର ଉପକରଣ, ଇଲେକ୍ଟ୍ରୋନିକ୍ ସାମଗ୍ରୀ, ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ହୋଇଛି।
ପ୍ରଥମେ ପାମେଡ଼ ଥାନା ଅନ୍ତର୍ଗତ କୋରାଗୁଟ୍ଟା ଜଙ୍ଗଲରେ ଅପରେସନ ଚାଲିଥିଲା। ଜିଲ୍ଲା ପୁଲିସ ଓ କୋବ୍ରା ୨୦୮ ବାହିନୀର ମିଳିତ ଭାବେ ଗୁପ୍ତ ସୂଚନା ଆଧାରରେ ସର୍ଚ୍ଚ ଅପରେସନ୍ କରି ମାଓବାଦୀଙ୍କ ଲୁଚାଇ ରଖିଥିବା ଟେକ୍ନିକାଲ୍ ସାମଗ୍ରୀର ଡମ୍ପ ଠାବ କରିଥିଲେ। ଏଥିରୁ ୧୪ଟି ଭିଏଚ୍ଏଫ୍ ସେଟ୍, ଗୋଟିଏ ୟୁଏଚ୍ଏଫ୍ ସେଟ୍, ଡିଜେଆଇ ମାଭିକ୍-୨ ଏଣ୍ଟରପ୍ରାଇଜ୍ ଡ୍ରୋନ୍, ସାମସଙ୍ଗ ଲାପଟପ୍, ଆସେମ୍ବଲ୍ଡ ପିସିବି ବକ୍ସ, ସୋଲଡରିଂ ଷ୍ଟେସନ୍, ଆଣ୍ଟେନା, ବ୍ୟାଟେରୀ, ଏଫ୍ଏମ୍ ରିସିଭର୍ ଓ ମୋନୋକ୍ୟୁଲାର ପିଏନ୍ଭି ସାଇଟ୍ ସମେତ ବହୁ ଇଲେକ୍ଟ୍ରୋନିକ୍ ଉପକରଣ ଜବତ ହୋଇଛି। ଏହି ସାମଗ୍ରୀଗୁଡ଼ିକ ମାଓବାଦୀଙ୍କ ସଂଚାର ବ୍ୟବସ୍ଥା ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ନିର୍ମାଣ ଓ ମରାମତି କାର୍ଯ୍ୟରେ ବ୍ୟବହୃତ ହେଉଥିବା ସନ୍ଦେହ କରୁଛି ପୁଲିସ।
ଅନ୍ୟପକ୍ଷରେ, ଆବାପଲ୍ଲୀ ଥାନା ଅଞ୍ଚଳର ପେଦ୍ଦାପୁନ୍ନୁର ଜଙ୍ଗଲରେ ଜିଲ୍ଲା ପୁଲିସ ଓ ସିଆର୍ପିଏଫ୍ ୬୨ କମ୍ପାନୀର ମିଳିତ ଅଭିଯାନରେ ଆଉ ଏକ ଡମ୍ପ ଉଦ୍ଧାର ହୋଇଛି। ଏଠାରୁ ଦୁଇଟି ଭରମାର ବନ୍ଧୁକ, ଏକେ-୪୭, ଏସ୍ଏଲ୍ଆର୍, ଇନ୍ସାସ୍, ୧୨ ବୋର୍ର ଜୀବନ୍ତ ଗୁଳି, ଟିଫିନ୍ ବମ୍, ଇଲେକ୍ଟ୍ରିକ୍ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।
ଦୁଇଟି ସ୍ଥାନରୁ ଜବତ ସାମଗ୍ରୀକୁ ପୁଲିସ ନିଜ ହେପାଜତକୁ ନେଇ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଏହି ଅଭିଯାନ ମାଓବାଦୀଙ୍କ ଗୁପ୍ତ ଭଣ୍ଡାର ଓ ସଂଚାର ବ୍ୟବସ୍ଥାକୁ ଦୁର୍ବଳ କରିବା ଦିଗରେ ସୁରକ୍ଷା ବାହିନୀର ଏକ ବଡ଼ ସଫଳତା ବୋଲି ମନେ କରାଯାଉଛି। ଏହି ସମୟରେ ବିଜାପୁର ପୁଲିସ ସାଧାରଣ ଲୋକଙ୍କୁ ଅପିଲ୍ କରିଛି ଯେ, ଜଙ୍ଗଲ କିମ୍ବା ଅନ୍ୟ କୌଣସି ସ୍ଥାନରେ ସନ୍ଦେହଜନକ ଡମ୍ପ, ଅସ୍ତ୍ରଶସ୍ତ୍ର ବା ବିସ୍ଫୋରକ ସାମଗ୍ରୀ ଦେଖିଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ସୁରକ୍ଷା କ୍ୟାମ୍ପକୁ ସୂଚନା ଦିଅନ୍ତୁ। ଏଭଳି ସାମଗ୍ରୀକୁ କୌଣସି ପରିସ୍ଥିତିରେ ଛୁଇଁବା ନାହିଁ ଏବଂ ସୁରକ୍ଷିତ ଦୂରତା ରଖିବାକୁ ପୁଲିସ ପରାମର୍ଶ ଦେଇଛି।
ସୌଜନ୍ୟ ସମ୍ବାଦ




