Neglect: ମୁଣ୍ଡ ଗୁଂଜିବାକୁ ଦୃଷ୍ଟିହୀନ ଯଦୁଙ୍କ ନାହିଁ ଘର, ମିଳିନି ତିନି ମାସର ଭତ୍ତା
ନବରଂଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ପଂଚାୟତର କୁଚେଗାଁର ଦୃଷ୍ଠିହୀନ ଯଦୁ ବିନ୍ଧାଣୀଙ୍କୁ ତାଙ୍କ ପତ୍ନୀ ଜୟମଣି ବାଟ କଡେଇ କଡେଇ ନବରଙ୍ଗପୁର ସହରରେ ଭିକ ମାଗୁଥିଲେ।

ନବରଙ୍ଗପୁର (ସୁରେଶ ନାଇଡୁ): ନବରଂଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ପଂଚାୟତର କୁଚେଗାଁର ଦୃଷ୍ଠିହୀନ ଯଦୁ ବିନ୍ଧାଣୀଙ୍କୁ ତାଙ୍କ ପତ୍ନୀ ଜୟମଣି ବାଟ କଡେଇ କଡେଇ ନବରଙ୍ଗପୁର ସହରରେ ଭିକ ମାଗୁଥିଲେ। ଏଫସିଆଇ ଗୋଦାମ ଅଂଚଳରେ ଏମାନେ ବୁଲୁଥିବା ବେଳେ ସେହିରାସ୍ତା ଦେଇ ଯାଉଥିବା ଆମ ପ୍ରତିନିଧି ତାଙ୍କୁ ଦେଖି ଏବେ ଭତ୍ତା ମିଳୁନଥିବାରୁ ମିଳୁଛି କି ନାହିଁ ପଚାରିଥିଲେ।
ତେବେ ଯଦୁ ଗତ ତିନି ମାସ ହେବ ଭତ୍ତା ପାଇନଥିବା କହିଥିଲେ। ବହୁ ବର୍ଷ ପୂର୍ବେ ଦେଇଥିବା ଆବାସ ଯୋଜନାର ଟିଣ ଘର ମାଟିରେ ମିଶିଯାଇଥିବା ବେଳେ ଚାଳ ଛପର ଘରେ ରହିବା ମୁସ୍କିଲ ହୋଇ ପଡିଛି ବୋଲି କହିଥିଲେ। ତାଙ୍କ ସହ ରହୁଥିବା ବଡଭାଇ କେଶବ ବିନ୍ଦାଣୀଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଆର୍ଥିକସ୍ଥିତି ଭଲ ନଥିବାରୁ ଶେଷକୃତ୍ୟ କରିବାବି ସମ୍ଭବ ପର ହେଉନି ବୋଲି କହିଥିଲେ।
ଏହି ସମୟରେ ସହର ଆଡକୁ ଆସୁଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଆମ ପ୍ରତିନିଧି ଓ ଯଦୁଙ୍କୁ ଦେଖି ଗାଡି ଅଟକାଇ ସେମାନଙ୍କ ନିକଟକୁ ଯାଇ କଥା ହୋଇଥିଲେ। ଯଦୁଙ୍କୁ ମିଳୁଥିବା ଭତ୍ତା ପଇସା ୩୫୦୦ଟଙ୍କା , ୩୫କିଲୋ ଚାଉଲରେ ଚଳି ଆସୁଛନ୍ତି। ଘରେ ଝିଅ , ମାଆ ସହ ବଡ ଭାଇ କେଶବ ରହୁଛନ୍ତି। ମହରଗ ଯୁଗରେ ଚଳିବା ମୁସ୍କିଲ। ପକ୍କା (ଆବାସ ଯୋଜନା)ରେ ଘର ପାଇଁ ଆବେଦନ କରି ବାରମ୍ବାର ପଂଚାୟତକାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟକୁ ଯାଇ ଫେଲ୍ ମାରିଥିବା କହିଛନ୍ତି ଯଦୁ।
ବୟସର ସାୟାହ୍ନରେ ସଇତା ବି ଆଉ ଦିନ ମଜୁରିଆ ଭାବେ କାମ କରି ପାରୁନାହାନ୍ତି। ଦୃଷ୍ଟିହୀନ ଦିବ୍ୟାଙ୍ଗ ପତି ଯଦୁଙ୍କୁ ଘରେ ଏକା ଛାଡ଼ିଲେ ହଇରାଣ ହରକତ ହେବେ। ତେଣୁ ପତି ଯଦୁଙ୍କୁ ସବୁ ଦିନ ସାଙ୍ଗରେ ଧରି ଗାଁରୁ ୨୫କିମି ଦୂର ସହରକୁ ଭିକ୍ଷାବୃତ୍ତି କରିବାକୁ ଆସୁଥିବା କହିଥିଲେ। ବିଧାୟକ ଶ୍ରୀରନ୍ଧାରୀ ଯଦୁଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର ଯୋଗାଇବା ପାଇଁ ପାପାଡାହାଣ୍ଡି ବିଡିଓଙ୍କୁ ଫୋନ କରି କହିଥିଲେ। ଏହା ସହ ଯଦୁଙ୍କ ଭାଇଙ୍କ ଦଶାହ କାର୍ଯ୍ୟ ଆଦି କରିବା ପାଇଁ ଆର୍ଥିକ ସହାୟତା ସହ ଚାଉଳ ବସ୍ତା ସହ ଉଭୟଙ୍କୁ କମ୍ବଳ ଦେବା ସହ ହୋଟେଲରେ ଖୁଆଇଥିଲେ। ଯଦୁଙ୍କ ପରିବାରର ଦୁଃଖ ଦୂର କରିବା ଦାୟିତ୍ବ ନିଜ ମୁଣ୍ଡରେ ନେଇଛି ବୋଲି କହିଛନ୍ତି ବିଧାୟକ। କେବେ କାର୍ଯ୍ୟକାରୀ ହେବ ତାହା ସମୟ କହିବ।
ସୌଜନ୍ୟ ସମ୍ବାଦ




