ଖେଳ

Medal: କମିଲା ପଦକ, କମିଲାନି ସ୍ଥାନ: ଏସୀୟ କ୍ରୀଡ଼ା ଉଦ୍‌ଯାପିତ; ଜାପାନ ବାଣ୍ଟିଲା ‘ଏକ ଏସିଆ’ ଭାବନା

ଜାପାନୀ ସଂସ୍କୃତି ଓ ପରମ୍ପରାର ରଙ୍ଗାରଙ୍ଗ ପ୍ରଦର୍ଶନ ସହ ରବିବାର ଉଦ୍‌ଯାପିତ ହୋଇଯାଇଛି ଏସୀୟ କ୍ରୀଡ଼ାର ୨୦ତମ ସଂସ୍କରଣ। ଆଇଚି-ନାଗୋୟାର ମିଜୁହୋ ପାର୍କ ଆଥ୍‌ଲେଟିକ୍‌ ଷ୍ଟାଡିୟମ୍‌ରେ ଆୟୋଜିତ...

ନାଗୋୟା: ଜାପାନୀ ସଂସ୍କୃତି ଓ ପରମ୍ପରାର ରଙ୍ଗାରଙ୍ଗ ପ୍ରଦର୍ଶନ ସହ ରବିବାର ଉଦ୍‌ଯାପିତ ହୋଇଯାଇଛି ଏସୀୟ କ୍ରୀଡ଼ାର ୨୦ତମ ସଂସ୍କରଣ। ଆଇଚି-ନାଗୋୟାର ମିଜୁହୋ ପାର୍କ ଆଥ୍‌ଲେଟିକ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ୯୦ ମିନିଟ୍‌ର ଉଦ୍‌ଯାପନୀ ଉତ୍ସବରେ ଜାପାନର ସଙ୍ଗୀତ, ନୃତ୍ୟ ଓ ରକମ ରକମ ଆଲୋକମାଳାର ଆଖି ଝଲସେଇ ଦେଲା ଭଳି ପ୍ରଦର୍ଶନ ଥିଲା ଏହି ଉତ୍ସବର ମୁଖ୍ୟ ଆକର୍ଷଣ। ଦୁଇ ସପ୍ତାହରୁ ଅଧିକ ସମୟ ଧରି ଆୟୋଜିତ ଏଥରର ଏସୀୟ କ୍ରୀଡ଼ାରେ ୩୫୦ରୁ ଅଧିକ ଏସିଆଡ୍‌ ରେକର୍ଡ ଭାଙ୍ଗିଥିବା ବେଳେ ୫୦ରୁ ଅଧିକ ବିଶ୍ୱରେକର୍ଡ ସ୍ଥାପିତ ହୋଇଛି। ଚୀନ୍‌ ୧୬୯ ସ୍ବର୍ଣ୍ଣ, ୮୯ ରୌପ୍ୟ ଓ ୮୩ କାଂସ୍ୟ ସହ ମୋଟ ୩୪୧ ପଦକ ଜିତି ଲଗାତାର ୧୨ତମ ଥର ପାଇଁ ପଦକ ତାଲିକାର ଶୀର୍ଷରେ ରହିଛି। ଜାପାନ ୨୬୯ ପଦକ ସହ ଦ୍ବିତୀୟ ଓ ଦକ୍ଷିଣ କୋରିଆ ୧୫୦ ପଦକ ସହ ତୃତୀୟ ସ୍ଥାନରେ ରହିଛି। ଭାରତ ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ ଓ ୩୭ କାଂସ୍ୟ ସହ ମୋଟ ୮୫ ପଦକ ଜିତି ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଛି।

ରବିବାରର ଉଦ୍‌ଯାପନୀ ଉତ୍ସବରେ ଭାରତର ପତାକାଧାରୀ ଥିଲେ ଟ୍ରାପ୍‌ ଶୁଟର ନୀରୁ ଧାଣ୍ଡା। ପ୍ରାୟ ୩୦ ଭାରତୀୟ କ୍ରୀଡ଼ାବିତ୍‌ ଓ ଅଧିକାରୀ ଉଦ୍‌ଯାପନୀ ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଏସୀୟ କ୍ରୀଡ଼ା ପରିଷଦ (ଓସିଏ) ଅଧ୍ୟକ୍ଷ ଶେଖ୍‌ ଜୋଆନ୍‌ ବିନ୍‌ ହମାଦ ଅଲ୍‌ ଥାନି ଆଇଚି-ନାଗୋୟା ଏସୀୟ କ୍ରୀଡ଼ାର ସମାପ୍ତି ଘୋଷଣା କରିଥିଲେ। ଏହାପରେ ୨୦୩୦ ଏସୀୟ କ୍ରୀଡ଼ାର ଆୟୋଜକ ଦୋହାକୁ ଓସିଏ ପତାକା ହସ୍ତାନ୍ତର କରାଯାଇଥିଲା। କାତାରର ଅଲିମ୍ପିକ୍ସ ଓ ବିଶ୍ୱ ଚାମ୍ପିଅନ୍‌ ହାଇଜମ୍ପର ମୁତାଜ ବାର୍ଶିମ୍‌ ଏହି ହସ୍ତାନ୍ତର କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ। ‘ୱାନ୍‌ ଏସିଆ’  ବା ‘ଏକ ଏସିଆ’ ଭାବନାକୁ ଆଧାର କରି ଆୟୋଜିତ ଉଦ୍‌ଯାପନୀରେ ଜାପାନର ପାରମ୍ପରିକ ‘ବୋନ୍‌-ଓଡୋରି’ ନୃତ୍ୟ ସହ ନାଗୋୟାର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରାଯାଇଥିଲା। ଆଲୋକ, ସଙ୍ଗୀତ ଓ ନୃତ୍ୟର ମନୋରମ ପ୍ରଦର୍ଶନ ସହ ଏହି କ୍ରୀଡ଼ା ମହାକୁମ୍ଭର ପରିସମାପ୍ତି ଘଟିଥିଲା।

ତ୍ରିରଙ୍ଗା ଧରିଲେ ନୀରୁ

ନାଗୋୟା: ଏସୀୟ କ୍ରୀଡ଼ାର ଉଦ୍‌ଯାପନୀ ଉତ୍ସବରେ ଭାରତୀୟ ଦଳର ପତାକା ବାହକ ହୋଇଥିଲେ ଟ୍ରାପ୍‌ ସୁଟର ନୀରୁ ଧାଣ୍ଡା। ରବିବାର ନାଗୋୟାସ୍ଥିତ ପାଲୋମା ମିଜୁହୋ ଷ୍ଟାଡିୟମ୍‌ରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ସେ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ୨୭ ବର୍ଷୀୟ ନୀରୁ ଏଥର ଏସୀୟ କ୍ରୀଡ଼ାରେ ଚମତ୍କାର ପ୍ରଦର୍ଶନ କରି ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ୩ଟି ପଦକ ଜିତିଛନ୍ତି। ମହିଳା ବ୍ୟକ୍ତିଗତ ଟ୍ରାପ୍‌ରେ ସ୍ବର୍ଣ୍ଣ ଜିତି ସେ ଏସୀୟ କ୍ରୀଡ଼ାରେ ଏହି ବର୍ଗରେ ସ୍ବର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି। ମହିଳା ଟିମ୍‌ ଟ୍ରାପ୍‌ରେ ରୌପ୍ୟ ଜିତିବା ପରେ କିନାନ୍‌ ଚେନାଇଙ୍କ ସହ ମିଶି ମିକ୍ସଡ୍‌ ଟିମ୍‌ ଟ୍ରାପ୍‌ରେ ସ୍ବର୍ଣ୍ଣ ହାସଲ କରିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button