Meenakshi Sheshadri: ପୁଣି ବଲିଉଡ୍‌କୁ ଫେରିବାକୁ ଇଚ୍ଛା ଜଣାଇଲେ ମୀନାକ୍ଷୀ ଶେଷାଦ୍ରି

ମୁମ୍ବାଇ: ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ମୀନାକ୍ଷୀ ଶେଷାଦ୍ରି ପୁଣିଥରେ ବଲିଉଡ୍‌କୁ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କାମ ପାଇଁ ଆଗ୍ରହ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭଲ ଭୂମିକା ମିଳିଲେ ସେ ଲିଡ୍, ସପୋର୍ଟିଂ କିମ୍ବା ଛୋଟ ଯେକୌଣସି ଭୂମିକା କରିବାକୁ ପ୍ରସ୍ତୁତ। ଏହି ଖବର ପରେ ଫ୍ୟାନମାନଙ୍କ ମଧ୍ୟରେ ତାଙ୍କ ସୁବର୍ଣ୍ଣ ଯୁଗର ସ୍ମୃତି ପୁଣି ତାଜା ହୋଇଯାଇଛି। ଏକ ସମୟରେ ଥିଏଟର୍‌ରେ ତାଙ୍କ ଫିଲ୍ମ ଚାଲିବା ସମୟରେ ଦର୍ଶକମାନେ ଉତ୍ସାହରେ ହୁଇସିଲ୍ ମାରୁଥିଲେ ଏବଂ ନାଚୁଥିଲେ।

ଇନ୍‌ଷ୍ଟାଗ୍ରାମରେ ଜଣାଇଛନ୍ତି କାମ ପାଇଁ ଆଗ୍ରହ

ମୀନାକ୍ଷୀ ଶେଷାଦ୍ରିଙ୍କ ଜନ୍ମ ୧୬ ନଭେମ୍ବର ୧୯୬୩ରେ ବିହାରର ସିନ୍ଦରୀ (ବର୍ତ୍ତମାନ ଝାରଖଣ୍ଡ)ରେ ଏକ ତାମିଲ୍ ବ୍ରାହ୍ମଣ ପରିବାରରେ ହୋଇଥିଲା। ତାଙ୍କ ଅସଲ ନାମ ଥିଲା ଶଶିକଳା ଶେଷାଦ୍ରି। ଛୋଟବେଳୁ ସେ ନୃତ୍ୟରେ ଆଗ୍ରହୀ ଥିଲେ ଏବଂ ଭରତନାଟ୍ୟମ୍, ଓଡ଼ିଶୀ ଓ କୁଚିପୁଡ଼ି ଶିଖିଥିଲେ। ୧୯୮୧ରେ ସେ ମିସ୍ ଇଣ୍ଡିଆ ମଧ୍ୟ ଜିତିଥିଲେ ଏବଂ ସେହି ବର୍ଷ ମିସ୍ ଇଣ୍ଟରନ୍ୟାସନାଲ୍ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ପରେ ସେ ଫିଲ୍ମ ଜଗତକୁ ପ୍ରବେଶ କରି ସୁଭାଷ ଘାଇଙ୍କ ନିର୍ଦ୍ଦେଶନାରେ ‘ହିରୋ’ ଫିଲ୍ମରେ ଡେବ୍ୟୁ କରିଥିଲେ, ଯାହା ତାଙ୍କୁ ରାତିରାତି ସୁପରଷ୍ଟାର୍ କରିଦେଇଥିଲା। ତାଙ୍କ କ୍ୟାରିୟରରେ ସେ ‘ମେରୀ ଜଙ୍ଗ୍’, ‘ଘର୍ ହୋ ତୋ ଐସା’, ‘ଶେହେନଶାହ’, ‘ଘାୟଲ୍’, ‘ସ୍ୱାତୀ’ ଭଳି ଅନେକ ସଫଳ ଫିଲ୍ମରେ କାମ କରିଛନ୍ତି। ୧୯୯୦ର ‘ଦାମିନୀ’ ଫିଲ୍ମରେ ତାଙ୍କ ଶକ୍ତିଶାଳୀ ଅଭିନୟ ଆଜିପର୍ଯ୍ୟନ୍ତ ଲୋକଙ୍କ ମନରେ ରହିଯାଇଛି।

୧୯୯୫ରେ ସେ ବିବାହ କରି ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ ମେସୁରଙ୍କ ସହ ଆମେରିକାକୁ ସ୍ଥାନାନ୍ତରିତ ହୋଇଥିଲେ। ବିବାହ ପରେ ସେ ଫିଲ୍ମ ଜଗତ ଛାଡ଼ି ପରିବାରକୁ ଗୁରୁତ୍ୱ ଦେଇଥିଲେ ଏବଂ ଆମେରିକାରେ ଏକ ଭାରତୀୟ କ୍ଲାସିକାଲ୍ ନୃତ୍ୟ ସ୍କୁଲ୍ ମଧ୍ୟ ଖୋଲିଥିଲେ। ଏବେ ପୁଣିଥରେ ମୀନାକ୍ଷୀ ଶେଷାଦ୍ରି ବଲିଉଡ୍‌କୁ ଫେରିବାର ଇଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଭଲ ଭୂମିକା ମିଳିଲେ ସେ ଅଭିନୟ କରିବାକୁ ପ୍ରସ୍ତୁତ। ଏହି ଘୋଷଣା ପରେ ଫ୍ୟାନମାନେ ତାଙ୍କ ଫେରିବାକୁ ନେଇ ଆଶାବାଦୀ ଅଛନ୍ତି।

 

 

 

ସୌଜନ୍ୟ ସମ୍ବାଦ