Debasish Samantray Joins BJP: ନୂଆଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଲେ ଦେବାଶିଷ ସାମନ୍ତରାୟ

ନୂଆଦିଲ୍ଲୀ/କଟକ: ନୂଆଦିଲ୍ଲୀ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଲେ ଦେବାଶିଷ ସାମନ୍ତରାୟ। ଗତକାଲି ବିଜେଡିରୁ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ।। ଆଜି ଦଳର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଅରୁଣ ସିଂହ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଓଡ଼ିଶା ବିଜେପି ପ୍ରଭାରୀ ବିଜୟ ସିଂହ ତୋମରଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ଦେବାଶିଷ ସାମନ୍ତରାୟ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ

ଏହି ଅବସରରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ଓ ନେତୃତ୍ବରେ ପ୍ରେରିତ ହୋଇ ମୁଁ ବିଜେପିରେ ଯୋଗ ଦେଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଓଡ଼ିଶା ବିକାଶ’ କାର୍ଯ୍ୟକ୍ରମରେ ମୁଁ ସାମିଲ ହେବି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବି , କାରଣ ସେ ମୋତେ ବିଜେପିରେ ସାମିଲ କରିଛନ୍ତି। ଆଗକୁ ଓଡ଼ିଶାରେ ମୁଁ ଅନେକ କାମ କରିବି।

ଗତକାଲି ବିଜେଡି ଛାଡ଼ିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ। ସେ ନିଜର ଇସ୍ତଫାପତ୍ରରେ ଦର୍ଶାଇଛନ୍ତି ଯେ ଦଳ ପାଇଁ ନିଜକୁ ଉତ୍ସର୍ଗ କରିଛି। ଦଳରେ ମୋତେ ଯଥେଷ୍ଟ ସମ୍ମାନ ଓ ଗୁରୁତ୍ୱ ମିଳୁନଥିଲା ମୋର ସେବାକୁ ଦଳ ଆଉ ଦରକାର କରୁନାହିଁ।

ବିଜେଡି ରାଜନୀତିରେ ପୁଣି ଏକ ବଡ଼ କମ୍ପନ ସୃଷ୍ଟି ହୋଇଛି। ରାଜ୍ୟସଭା ସଦସ୍ୟ ତଥା ତିନିଥରର ବିଧାୟକ ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ିଛନ୍ତି। ସେ ଦଳ ଛାଡୁଥିବା ସଂପର୍କରେ ଉପର ମହଲରେ ଆଲୋଚନା ‌ଜୋର୍‌ ଧରିଥିଲା। ଦେବାଶିଷ ଉଭୟ ବିଜେଡି ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ଏବଂ ତାଙ୍କୁ ବିଜେପି ପକ୍ଷରୁ ପୁଣି ରାଜ୍ୟସଭାକୁ ମନୋନୀତ କରାଯିବ। ଏହି ପ୍ରକାର ଘଟଣାକ୍ରମ ଯଦି ସତ ହୁଏ, ତା’ହେଲେ କଟକ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ।

ପୂର୍ବରୁ ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣରୁ ଅସ‌ନ୍ତୁଷ୍ଟ ଥିଲେ। ନବୀନ ଓ ତାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରାଯାଇ ଆସୁଥିଲା। ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ବ ଦିଆଯାଉ ନ ଥିଲା। ଏମିତିକି ତାଙ୍କୁ ଯେଉଁ ବରିଷ୍ଠ ଉପସଭାପତି (ବରିଷ୍ଠ ନାଗରିକ) ପଦ ଦିଆଯାଇଥିଲା, ତାହାକୁ ଦେବାଶିଷ ପ୍ରତ୍ୟାଖ୍ୟାନ କରିଥିଲେ। ଗତ କିଛି ମାସ ‌ହେଲା ଦେବାଶିଷ ବି ଦଳ ଭିତରେ ଘଟୁଥିବା ପରିବର୍ତ୍ତନ ସଂପର୍କରେ କୌଣସି ଟୀକା ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ। ଦେବାଶିଷ ବିଜେପି‌ରେ ଯୋଗ ଦେବାପରେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି।

 

 

 

ସୌଜନ୍ୟ ସମ୍ବାଦ