MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର ନେଇପାରନ୍ତି। କ୍ରିକେଟରୁ ଦୂରେଇବା ପରେ ଉଭୟ କ’ଣ କରିବେ, ଏହାକୁ ନେଇ ପ୍ରଶଂସକଙ୍କ ମନରେ ପ୍ରଶ୍ନ ରହିଛି। ଫ୍ୟାନ୍ସ ଆଶା କରୁଛନ୍ତି ଯେ, ରୋହିତ ଓ ବିରାଟ ଆଗକୁ ମଧ୍ୟ IPL ଖେଳିବେ। ଏବେ ପୂର୍ବତନ ଭାରତୀୟ କ୍ରିକେଟର ଆର୍. ଅଶ୍ୱିନ ଭବିଷ୍ୟବାଣୀ କରିଛନ୍ତି ଯେ, ବିରାଟ କୋହଲି ଓ ରୋହିତ ଶର୍ମା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବା ପରେ IPLରେ କେଉଁ ଭୂମିକାରେ ନଜର ଆସିପାରନ୍ତି।
ପୂର୍ବତନ ଭାରତୀୟ ସ୍ପିନର ଆର୍. ଅଶ୍ୱିନ ନିଜ ୟୁଟ୍ୟୁବ ଚ୍ୟାନେଲରେ ବିରାଟ କୋହଲିଙ୍କ ସମସ୍ତ ଫର୍ମାଟରୁ ଅବସର ପରବର୍ତ୍ତୀ ଯୋଜନା ବିଷୟରେ କହିଛନ୍ତି। ଅଶ୍ୱିନଙ୍କ ମତରେ, ଅବସର ନେବା ପରେ ବିରାଟ ତୁରନ୍ତ RCBର କୋଚ ହେବେ ନାହିଁ, କିନ୍ତୁ ପରେ ଅନ୍ୟ କୌଣସି ଭୂମିକାରେ ନଜର ଆସିପାରନ୍ତି।
ସେ କହିଛନ୍ତି, ମୋତେ ଲାଗୁନାହିଁ ଯେ ବିରାଟ କୋହଲି ତୁରନ୍ତ କୋଚ ହେବେ। ଉଭୟ ବହୁତ କ୍ରିକେଟ ଖେଳିଛନ୍ତି। ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ସହ କୌଣସି ନା କୌଣସି ଭୂମିକାରେ ଜଡ଼ିତ ରହିପାରନ୍ତି, କିନ୍ତୁ ବିରାଟଙ୍କ ବିଷୟରେ ମୁଁ ସେତେ ଜାଣିନାହିଁ। ସେ ହୁଏତ କିଛି ସମୟ ବ୍ରେକ ନେଇପାରନ୍ତି।
ଆର୍. ଅଶ୍ୱିନଙ୍କ ମତରେ, ଅବସର ନେବାର ୨-୩ ବର୍ଷ ପରେ ରୋହିତ ଶର୍ମା MIର ହେଡ କୋଚ ହୋଇପାରନ୍ତି। ତାଙ୍କ ମତରେ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ଅଭିଜ୍ଞତାର ଲାଭ ନେବା ଉଚିତ୍।
ସେ କହିଛନ୍ତି, ଯଦି ଭବିଷ୍ୟତରେ ରୋହିତ ଶର୍ମା ନିଷ୍ପତ୍ତି ନିଅନ୍ତି ଯେ ସେ ଆଉ ଖେଳିବେ ନାହିଁ, ତେବେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଅଭିଜ୍ଞତାକୁ ଉପଯୋଗ କରିବା ଉଚିତ୍। ସେ ୫ଟି IPL ଟାଇଟଲ ଜିତିଛନ୍ତି ଏବଂ ବିଶ୍ୱକପରେ ଭାରତର ନେତୃତ୍ୱ ନେଇଛନ୍ତି।
ଆର୍. ଅଶ୍ୱିନ ଆହୁରି କହିଛନ୍ତି, ଆପଣ ଏଭଳି ଲୋକ ସହଜରେ ପାଇବେ ନାହିଁ। ଯଦି ସେ ଆରମ୍ଭରେ ହେଡ କୋଚ ହେବାକୁ ଚାହୁଁନାହାନ୍ତି, ତେବେ କିଛି ବର୍ଷ ବ୍ରେକ୍ ନେବା ପରେ ସେ ଏହି ଭୂମିକା ନେଇପାରନ୍ତି। ରାହୁଲ ଭାଇ ମଧ୍ୟ ବ୍ରେକ୍ ନେଇଥିଲେ ଏବଂ ପରେ ଫେରିଥିଲେ। ମୁଁ ମୁମ୍ବାଇ ଇଣ୍ଡିଆନ୍ସକୁ ଯେତିକି ଜାଣିଛି, ସେମାନେ ରୋହିତଙ୍କ ଭଳି ଜଣେ ଖେଳାଳିଙ୍କୁ ଛାଡ଼ିବେ ନାହିଁ।
ସୌଜନ୍ୟ ଧରିତ୍ରୀ




