ଦୋହା/ରିୟାଦ/ୱାସିଂଟନ୍: ଇରାନ-ଆମେରିକା-ଇସ୍ରାଏଲ୍ ଯୁଦ୍ଧ ଥମିବାର ନାଁ ନେଉନି। ଉପସାଗରୀୟ ଶକ୍ତି କେନ୍ଦ୍ର ଉପରେ ଇରାନ ଭୟଙ୍କର ଆକ୍ରମଣ କରିବା ଯୋଗୁଁ ବିଶ୍ବବ୍ୟାପୀ ହାହାକାର ସୃଷ୍ଟି ହୋଇଛି। ବିଶ୍ୱର ସର୍ବବୃହତ୍ ଏଲ୍ଏନ୍ଜି ରପ୍ତାନି କେନ୍ଦ୍ର କତରର ‘ରାସ ଲାଫାନ୍’ ଉପରେ ଇରାନ ଆକ୍ରମଣ କରି ବିଶ୍ୱ ଅର୍ଥନୀତିକୁ ଅସ୍ତ୍ର ଭାବରେ ବ୍ୟବହାର କରିଛି। ଏହା ସହିତ ସାଉଦି ଆରବ ଓ ୟୁଏଇର ତୈଳ ବିଶୋଧନାଗାରଗୁଡ଼ିକୁ ମଧ୍ୟ ଇରାନ ଟାର୍ଗେଟ୍ କରିଛି। ଆକ୍ରମଣରେ ଏଭଳି ପରିବର୍ତ୍ତନ ସୂଚାଉଛି ଯେ ଆମେରିକାର ଆକ୍ରମଣକୁ ସମର୍ଥନ କରୁଥିବା କୌଣସି ମଧ୍ୟସ୍ଥ ଦେଶ ଏବେ ସୁରକ୍ଷିତ ନୁହନ୍ତି। ଆଜି ସକାଳେ ଇରାନର ଏକାଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଏବଂ ଦୂରଗାମୀ ଡ୍ରୋନ୍ କତରର ରାସ୍ ଲାଫାନ୍ ଶିଳ୍ପ ସହର ଉପରେ ମାଡ଼ ହୋଇଥିଲା। କତରର ମୁଖ୍ୟ ଶକ୍ତି କେନ୍ଦ୍ରରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମସ୍ତ ଏଲ୍ଏନ୍ଜି ରପ୍ତାନି ସ୍ଥଗିତ ରଖାଯାଇଛି। ଲୋହିତ ସାଗର କୂଳରେ ଥିବା ସାଉଦି ଆରାମକୋର ସାମ୍ରେପ୍ ରିଫାଇନାରି ଉପରେ ମଧ୍ୟ ଏୟାରଷ୍ଟ୍ରାଇକ୍ କରାଯାଇଛି। ଏହି ଆକ୍ରମଣ ପୂର୍ବରୁ ଇରାନର ଇସଲାମିକ ରିଭୋଲ୍ୟୁସନାରି ଗାର୍ଡ କର୍ପସ (ଆଇଆର୍ଜିସି) ସାଉଦି ଆରବ, ୟୁଏଇ ଏବଂ କତରର ବିଭିନ୍ନ ତୈଳ ପ୍ରତିଷ୍ଠାନକୁ ଖାଲି କରିବା ପାଇଁ ଚେତାବନୀ ଦେଇଥିଲା।
ସୌଜନ୍ୟ ସମ୍ବାଦ
