ମୁମ୍ବାଇ: ଘରୋଇ କଳହ ପରେ ଜଣେ ୪୨ ବର୍ଷୀୟ ବ୍ୟକ୍ତି ନିଜ ପତ୍ନୀଙ୍କୁ ଲୋକାଲ ଟ୍ରେନ୍ ସାମ୍ନାକୁ ଠେଲି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ତୁରନ୍ତ ଘଟଣାସ୍ଥଳରୁ ପଳାଇ ଯାଇଥିଲେ କିନ୍ତୁ ପରେ ରେଳ ପୁଲିସ ଏସ୍ଟିଏଫ୍ ତାଙ୍କୁ ସୁରତରୁ ଗିରଫ କରିଥିଲା।
ପଚରାଉଚରା ସମୟରେ ଅଭିଯୁକ୍ତ ରାଜକୁମାର ଗୁପ୍ତା ନାମକ ଇଲେକ୍ଟ୍ରିସିଆନ୍ ସ୍ବୀକାର କରିଛି ଯେ, ଘରୋଇ କଳହକୁ ନେଇ ସେ ତାଙ୍କ ପତ୍ନୀ ପୁଷ୍ପା ଗୁପ୍ତା (୩୬)ଙ୍କୁ ମାର୍ଚ୍ଚ ୧୪ ତାରିଖ ସକାଳେ ମୁଲୁଣ୍ଡ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧ରେ ଏକ ଲୋକାଲ ଟ୍ରେନ୍ ସାମ୍ନାକୁ ଠେଲି ଦେଇଥିଲା। ଯାତ୍ରୀମାନେ ସଙ୍ଗେ ସଙ୍ଗେ ଷ୍ଟେସନ୍ ମାଷ୍ଟରଙ୍କୁ ସତର୍କ କରାଇବା ପରେ ରେଳ ଅଧିକାରୀମାନେ ପୁଷ୍ପାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ପତ୍ନୀଙ୍କୁ ଲୋକାଲ ଟ୍ରେନ୍ ସାମ୍ନାକୁ ଠେଲି ହତ୍ୟା
ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଷ୍ଟେସନରେ ସ୍ଥାପିତ ସିସିଟିଭି କ୍ୟାମେରାରେ ପୁରା ଘଟଣା କଏଦ ହୋଇଛି। କୁର୍ଲା ସରକାରୀ ରେଳ ପୁଲିସ (ଜିଆର୍ପି)ରେ ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ଧାରା ୧୦୩ ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଧିକ ତଦନ୍ତ ଚାଲିଛି।
ସୌଜନ୍ୟ ସମ୍ବାଦ
