ତାଙ୍କ ପ୍ରେରଣାର ପ୍ରତିଧ୍ୱନି ହେଉଛି ମୋ ସଙ୍ଗୀତର ଘୋଷାପଦ। ମୋର ପ୍ରଥମ ଅଡିଓ ଆଲ୍‌ବମ୍ ‘ଭୁଲି ହୁଏନା’ ୨୦୦୬ ମସିହାରେ ରିଲିଜ୍ ହୋଇଥିଲା। ସେ ଏକହଜାର ସିଡିର ପେଟି ଧରି ଦିଲ୍ଲୀରୁ ଟ୍ରେନ୍ ଯୋଗେ ଭୁବନେଶ୍ୱର ଆସିଥିଲେ ଏବଂ ଘୋଷଣା କରିଥିଲେ ଯେ ସିଡିଟି ବିଶ୍ୱର ସବୁଠାରୁ ସଫଳ ସୁଗମସଙ୍ଗୀତର ଉପହାର। ସେ ମଧ୍ୟ ଥିଲେ ମୋର ବଡ଼ କ୍ରିଟିକ୍। ପ୍ରତ୍ୟେକ ଗାୟକର ସଫଳତା ନିର୍ଭର କରେ ବିଶ୍ୱସ୍ତ ଶ୍ରୋତାଙ୍କ ଉପରେ। ଲଳିତ କେବଳ ମୋ ଗୀତ ଶୁଣି ଖୁସି ହେଉନଥିଲେ, ସେ ମଧ୍ୟ ଭଲମନ୍ଦ ବିଷୟରେ ମନ୍ତବ୍ୟ ଦେଉଥିଲେ। ପ୍ରଥମ ସିଡିରୁ କୋଡ଼ିଏତମ ସିଡି ପର୍ଯ୍ୟନ୍ତ ଏହି ଗଠନମୂଳକ ସମାଲୋଚନା ମୋର ଚିନ୍ତାଧାରା ଏବଂ ଗାୟନ ଉପରେ ବିଶେଷ ପ୍ରଭାବ ପକାଇଥିଲା। ମୋ ସହିତ ପାଦରେ ପାଦ ମିଳାଇ ଚାଲିଛନ୍ତି ଲଳିତ। ଭୋର୍‌ବେଳାର ଭୈରବୀ ରାଗ ଭଳି ଏହି ଯାତ୍ରା ଆହୁରି ଅନେକ ବାକି ଅଛି। ସୁଗମ ସଂଗୀତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ୨୦୨୩ ପୁରସ୍କାର ଲାଭ କରିବାରେ ମୋ’ଠାରୁ ଅଧିକ ଆନନ୍ଦିତ ହୋଇଛନ୍ତି ଲଳିତ। କିନ୍ତୁ ସବୁଠାରୁ ବଡ଼ ପୁରସ୍କାର ମୁଁ ପାଏ ଯେତେବେଳେ ରବୀନ୍ଦ୍ର ମଣ୍ଡପ ଓ ଜୟଦେବ ଭବନରେ ସବୁଠାରୁ ପଛଧାଡ଼ିରେ ସେ ବସିଥା’ନ୍ତି ଏବଂ ଶ୍ରୋତାମାନଙ୍କର ମୋ ଗୀତ ସଂପର୍କରେ ଆଲୋଚନା ଶୁଣୁଥା’ନ୍ତି। ଅତଏବ ମୋ ଜୀବନ ସଂଗୀତର ସ୍ୱରରେ ଅବିରତ ବାଜୁଥାଏ ରାଗ ଲଳିତ।