ଓଡିଶାରାଜନୀତି

SCB ଅଗ୍ନିକାଣ୍ଡ ଘଟଣା ରାଜ୍ୟରେ ଭୁଶୁଡ଼ିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦୁଃଖଦ ଉଦାହରଣ: ନବୀନ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କଟକ ଯାଇ ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜର ICU ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ କଟକ ଯାଇ  ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ SCB ମେଡିକାଲ କଲେଜର ICU ବୁଲି ଦେଖିବା ସହ ସ୍ଥାନାନ୍ତର ହୋଇଥିବା ଆହତ ରୋଗୀଙ୍କୁ ଭେଟି ଥିଲେ ଓ ସେମାନଙ୍କ ଚିକିତ୍ସା ସମ୍ପର୍କରେ ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ।

କଟକ ବଡ଼ଡାକ୍ତରଖାନା ପରି ଦେଶର ଏକ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ଅନୁଷ୍ଠାନର ICUରେ ଏଭଳି ଦୁର୍ଘଟଣାରେ ଶ୍ରୀ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଥିଲେ। ବିଜେଡି ସରକାର ସମୟରେ SCBକୁ ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ଭାବେ ଗଢ଼ିବା ପାଇଁ କାମ ଆରମ୍ଭ କରିଥିଲେ।କିନ୍ତୁ ବିଜେପି SCB ବିକାଶ କାମରେ ଗୁରୁତର ଅବହେଳା କରିଛନ୍ତି। ଆଜିର ଦୁର୍ଘଟଣା ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡି ଯିବାର ଦୁଃଖଦ ଉଦାହରଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିରୋଧୀ ଦଳ ନେତାଙ୍କ ସହ କଟକ ମେୟର ସୁବାସ ସିଂଙ୍କ ସମେତ ବିଜେଡିର ନେତୃବର୍ଗ କଟକ ମେଡିକାଲ କଲେଜକୁ ଯାଇ ଥିଲେ।

ବିଜେଡି ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ କହିଛି କଟକ ଏସସିବି ମେଡିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା ସରକାରୀ ଉଦାସୀନତା ଏବଂ ଖାମଖିଆଲି ମନୋଭାବର ପରିଣତି। ନିର୍ବାଚିତ ବିଜେପି ସରକାର ଲୋକଙ୍କୁ ସେବା ଦେବାରେ ସମ୍ପୂର୍ଣ୍ଣ ବିଫଳ। ମନ୍ତ୍ରୀମାନେ ମେଳା ମହୋତ୍ସବରେ ବ୍ୟସ୍ତ। ରାଜ୍ୟସଭା ନିର୍ବାଚନ ଜିତିବାକୁ କିଭଳି ଘୋଡ଼ା ବେପାର କରାଯିବ, ସେନେଇ ସମଗ୍ର ସରକାରୀ ଦଳ ବ୍ୟଗ୍ର। ହେଲେ ସାଧାରଣ ଲୋକଙ୍କ କଥା ଭାବିବାକୁ ଏମାନଙ୍କ ପାଖରେ ସମୟ ନାହିଁ। ଏପଟେ ଓଡ଼ିଶାର ସବୁଠାରୁ ବଡ଼ ମେଡିକାଲ କଲେଜର ଆଇସିୟୁରେ ନିଆଁ ଲାଗି ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। ଚିକିତ୍ସା ସୁବିଧା ପାଇବାକୁ ଆସିଥିବା ଲୋକ ଶବ ହୋଇ ଫେରିବା ଅତ୍ୟନ୍ତ ଦୁଃଖଦାୟକ। ଏହି ଘଟଣାକୁ ସରକାର ଆଦୈା ହାଲୁକା ଭାବେ ନେଇପାରିବେ ନାହିଁ। କିଏ ଏଥିପାଇଁ ଉତ୍ତରଦାୟୀ, ସରକାରଙ୍କୁ ଜବାବ ଦେବାକୁ ପଡିବ।

ବିଜେଡି କହିଛି, ସ୍ୱାସ୍ଥ୍ୟମନ୍ତ୍ରୀ ପାରାଦୀପର ଘରୋଇ ହୋଟେଲରେ ରହି ସମୁଦ୍ର କୂଳରେ ସକାଳୁ ଦୈାଡି ନିଜ ସ୍ୱାସ୍ଥ୍ୟପ୍ରତି ଯଥେଷ୍ଟ ଧ୍ୟାନ ଦେବାରେ ବ୍ୟସ୍ତ। ହେଲେ ଏସସିବି ସମେତ ରାଜ୍ୟର ସମସ୍ତ ମେଡିକାଲର ସ୍ଥିତି ଯାଞ୍ଚ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ। ଏକ ନୀତିହୀନ ଓ ସମ୍ବେଦନହୀନ ସରକାର ସାଧାରଣ ଜନତାଙ୍କ ଜୀବନ ବିପନ୍ନ କରି ଦେଇଛି। ଏଭଳି ଅପାରଗ ସରକାର ଏବଂ ଅପାରଗ ମନ୍ତ୍ରୀ ଓଡ଼ିଶା ପାଇଁ କଳଙ୍କ। ଏସସିବିରେ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇବାକୁ ବିଜୁ ଜନତା ଦଳର ସରକାର ସମୟରେ ଆରମ୍ଭ କରାଯାଇଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ଏ ସରକାର ରାଜନୈତିକ ଅଭିସନ୍ଧି ରଖି ବିଳମ୍ବିତ କରାଇ ଚାଲିଛି। ଲୋକଙ୍କୁ ଉନ୍ନତ ସ୍ଵାସ୍ଥ୍ୟସେବା ଯୋଗାଇ ଦେବା ମାନସିକତା ଏ ସରକାର ପାଖରେ ନାହିଁ। ଇତିହାସ ମନେ ରଖିବ, ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ବିଜେପି ସରକାର କିଭଳି ନିଜ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଓଡ଼ିଶାରେ ସରକାର ଚଳାଇଥିଲା।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button