ବର୍ଲିନ: ଇରାନ ଯୁଦ୍ଧ ଯୋଗୁ ବଢୁଥିବା ଇନ୍ଧନ ଦର ଏଭିଏସନ ସେକ୍ଟର ଲାଗି ଏବେ ଚିନ୍ତାର କାରଣ ପାଲଟିଛି। ଜର୍ମାନର ପ୍ରସିଦ୍ଧ ଏୟାର ଲାଇନ କମ୍ପାନୀ ଲୁପଥାଂସା ନିଜ ପରିଚାଳନାରେ ବଡ଼ ଧରଣ କାଟ କରି ମେ ମାସରୁ ଅକ୍ଟୋବର ମଧ୍ୟରେ ପାଖାପାଖି ୨୦ ହଜାର ଉଡାଣ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଷ୍ଟ୍ରେଟ୍ ଅଫ ହର୍ମୁଜରେ ଉତ୍ତେଜନା କାରଣରୁ ୟୁରୋପରେ ଜେଟ ଫୁଏଲ ଦାମ ପାଖାପାଖି ୨ ଗୁଣା ହୋଇଯାଇଛି। ଏଣୁ ଏୟାର ଲାଇନ୍ସଙ୍କ ଆର୍ଥିକ ବୋଝ ବଢି ଯାଇଛି। ଏହି ସଂକଟ କେବଳ ଜର୍ମାନ ପର୍ଯ୍ୟନ୍ତ ସୀମିତ ନାହିଁ ବରଂ ପୁରା ବିଶ୍ୱର ଏୟାରଲାଇନ୍ସ ସେମାନଙ୍କ ରୁଟ ହ୍ରାସ କରିବା ଓ ଟିକେଟ ଦାମ ବଢାଇବାକୁ ବାଧ୍ୟ ହେଉଛନ୍ତି।
ଏଭିଏସନ ଇଣ୍ଡଷ୍ଟ୍ରି ଉପରେ ଇରାନ ଯୁଦ୍ଧର ପ୍ରଭାବ
ଇନ୍ଧନ ବଞ୍ଚାଇବା ପାଇଁ ଲୁପଥାଂସା ପ୍ରତିଦିନ ୧୨୦ ଉଡାଣ କମ କରୁଛି। ଏହା ଉଦ୍ଦେଶ୍ୟ ୪୦ ହଜାର ଟନ ଜେଟ୍ ଫୁଏଲ ବଞ୍ଚାଇବା। ଫ୍ରାଙ୍କଫର୍ଟ ଓ ମ୍ୟୁନିକ୍ ଭଳି ବଡ଼ ବଡ଼ ସହରାଞ୍ଚଳର କ୍ଷତିରେ ଚାଲିଥିବା ରୁଟକୁ ଏଥିରେ ବନ୍ଦ କରାଯାଉଛି। ଅନ୍ୟପଟେ ଜ୍ୟୁରିଖ ଓ ଭିଏନା ଭଳି ସେଣ୍ଟରରୁ ଉଡାଣ ବଢା ଯାଉଛି। ଏହାଛଡା କମ୍ପାନୀ ନିଜ ବିମାନ ଭେଳାରୁ ପୁରୁଣା ଓ ଅଧିକ ଇନ୍ଧନ ଖର୍ଚ୍ଚ କରୁଥିବା ୬ ବଡ଼ ବିମାନଙ୍କୁ ମଧ୍ୟ ହଟାଇ ଦେଇଛି, ଯାହାଦ୍ୱାରା ବଢୁଥିବା ଇନ୍ଧନ ଖର୍ଚ୍ଚକୁ ନିୟନ୍ତ୍ରଣ କରାଯାଇ ପାରିବ।
ୟୁରୋପରେ ଇନ୍ଧନର ଗୁରୁତର ସଂକଟ
ଅନ୍ତର୍ଜାତୀୟ ଉର୍ଜା ଏଜେନ୍ସୀ (ଆଇଇଏ)ର ଚେତାବନୀ ଏବେ ୟୁରୋପର ଚିନ୍ତା ବଢାଇ ଦେଇଛି। ଏବେ ସମଗ୍ର ୟୁରୋପରେ ମାତ୍ର ୬ ସପ୍ତାହ ପାଇଁ ଜେଟ୍ ଫୁଏଲ ଅଛି। ଷ୍ଟ୍ରେଟ ଅଫ ହର୍ମୁଜ ବନ୍ଦ ରହିବା ଯୋଗୁ ତୈଳ ଯୋଗାଣ ଗୁରୁତ୍ତର ପ୍ରଭାବିତ ହୋଇଛି। ଏହି ଅଭାବର ମୁକାବିଲା ନିମନ୍ତେ ୟୁରୋପୀୟ ଦେଶ ଏବେ ଆମେରିକାରୁ ଇନ୍ଧନ ମଗାଇବା ଓ ବିମାନକୁ ବିଦେଶରୁ ଅଧିକ ତେଲ ଭରି ଆଣିବା ଭଳି ବିକଳ୍ପ ଉପରେ ବିଚାକ କରୁଛନ୍ତି, ଯାହା ଦ୍ୱାରା ଗ୍ରୀଷ୍ମ ଋତୁରେ ଯେପରି ବିମାନ ସେବା ସମ୍ପୂର୍ଣ୍ଣ ବନ୍ଦ ନ ହୁଏ।
ବୈଶ୍ୱିକ ଏୟାରଲାଇନ୍ସଙ୍କ ଉପରେ ପଡୁଛି ସବୁଠୁ ଖରାପ ପ୍ରଭାବ
ଇନ୍ଧନ ସଂକଟର ପ୍ରଭାବ ଏବେ ସାରା ବିଶ୍ୱରେ ଦେଖା ଯାଉଛି। ଆମେରିକାର ଡେଲ୍ଟା ଏୟାର ଲାଇନ୍ସ ନିଜ ନେଟୱାର୍କର ୩.୫% ହ୍ରାସ କରିଛି। ସେହିପରି କ୍ୟାଥେ ପେସିଫିକ ଓ ଏୟାର ଏସିୟା ଭଳି କମ୍ପାନୀମାନେ ମଧ୍ୟ ନିଜନିଜ ରୁଟ କମ କରିବାରେ ଲାଗିଛନ୍ତି। ବ୍ରିଟିଶ ଏୟାରୱେଜ ଓ ଭର୍ଜିନ ଆଟଲାଣ୍ଟିକ ଭଳି ବଡ଼ କମ୍ପାନୀମାନେ ଜାଣିସାରିଲେଣି ମହଙ୍ଗା ଇନ୍ଧନ ଯୋଗୁ ଏବର୍ଷ ସେପରି ବିଶେଷ କିଛି ଲାଭ ମିଳିବନି। ଏଣୁ ଅଧିକାଂଶ କମ୍ପାନୀ ଏବେ ଫୁଏଲ ସରଚାର୍ଜ ଲାଗୁ କରିଛନ୍ତି।
ବିମାନ ଯାତ୍ରା ଉପରେ ପ୍ରଭାବ
ବିମାନ ଟିକେଟ୍ ମହଙ୍ଗା ହେବାର ସିଧା ପ୍ରଭାବ ଏବେ ଯାତ୍ରୀଙ୍କ ପକେଟ ଉପରେ ପଡୁଛି। କାରଣ ଏୟାରଲାଇନ୍ସଙ୍କ ମୋଟ ଖର୍ଚ୍ଚରେ ପାଖାପାଖି ୪୦% ଇନ୍ଧନ ବାବଦ ବ୍ୟୟ ରହୁଛି। ଏଣୁ ମୂଲ୍ୟ ବଢିବାମାତ୍ରେ ଯାତ୍ରା ମଧ୍ୟ ମହଙ୍ଗା ହୋଇଯାଇଛି। ଅନେକ ସିଧା ଉଡାଣ ବନ୍ଦ ହେବା ଯୋଗୁ ଯାତ୍ରୀଙ୍କୁ କନେକ୍ଟିଂ ଫ୍ଲାଇଟ ନେବାକୁ ପଡୁଛି। ଏଣୁ ଯାତ୍ରା ଓ ସମୟ ଉଭୟ ଅଧିକ ଲାଗୁଥିବା ବେଳେ ଯାତ୍ରା ସମସ୍ୟା ବହୁଳ ହେଉଛି। ଅନ୍ୟପଟେ ଉଡାଣ ସଂଖ୍ୟା ହ୍ରାସ ଯୋଗୁ ପିକ୍ ସିଜନରେ ଟିକେଟ ମିଳିବା ଏବେ ପୂର୍ବାପେକ୍ଷା ଅଧିକ କଷ୍ଟକର ହେଉଛି।
ସୌଜନ୍ୟ Prameya News7

